ଭାରତର କ୍ରମାଗତ ୪ର୍ଥ ବିଜୟ, ବିସ୍ଫୋରକ ଶତକ ସହ ଦ୍ରୁତ ୨୬୦୦୦ ରନ ପୂର୍ଣ୍ଣ କଲେ କୋହଲି

ଓଡ଼ିଆ ବାର୍ତ୍ତା/ ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଅନୁଷ୍ଠିତ ମୁକାବିଲାରେ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ବଳରେ ବାଂଲାଦେଶକୁ ୭ ୱିକେଟରେ ସହଜରେ ପରାସ୍ତ କରିଛି । ୨୫୭ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଆରମ୍ଭରୁ ଭାରତ ଉପରୁ ଚାପ ହଟେଇ ଦେଇଥିଲେ । ରୋହିତ ଶର୍ମା ୪୮ ଓ ଶୁଭମନ ୫୩ ରନ କରି ପ୍ୟାଭିଲିୟନ ଫେରିଥିଲେ । କୋହଲି ଏହା ପରେ ଆକର୍ଷଣୀୟ ବ୍ୟାଟିଂ କରି  ୯୭ ବଲରେ ୬ ଚୌକା ଓ ୩ଛକା ସହାୟତାରେ ୧୦୩ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ କ୍ୟାରିୟରର ୪୮ତମ ଶତକ । ସେ ଆନ୍ତର୍ଜାତୀୟସ୍ତରରେ ଓଭରାଲ ଦ୍ରୁତ ୨୬୦୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ୫୬୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ୬୦୦ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାଶ ଆୟାର ୧୯ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୩୪ ରନ କରି ଅପରାଜିତ ରହିଥିଲେ । ଘରୋଇ ପରିବେଶରେ ହେଉଥିବା ବିଶ୍ୱକପରେ ଭାରତର ଏହା କ୍ରମାଗତ ୪ର୍ଥ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ତାନଜିଦ ହାସନଙ୍କ ୫୧ ଓ ଲିଟନ ଦାସଙ୍କ ୬୬ ରନ ସହାୟତାରେ ୮ ୱିକେଟ ବିନିମୟରେ ୨୫୬ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.