ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ସୋନପୁର ଠାରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା କଳା ଉତ୍ସବ ଓ ଓଡିଶା ମିଲେଟସ ପ୍ରତିଯୋଗିତା ୨୦୨୩ । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ନାଗରିକ ହୋଇ ଜିଲ୍ଲା ତଥା ରାଜ୍ୟର ନାମକୁ ଗୌରାବାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି l ମୁଖ୍ୟ ବକ୍ତା ଭାବରେ ଡିଏଭି ଟିଟିଲାଗଡ଼ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଉଦବୋଧନ ପ୍ରଦାନ କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ବ୍ଲକରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ତିନୋଟି ବିଭାଗର ସମୁଦାୟ ୫୧ ଟି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି l ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡତିଆ ଏବଂ ମଞ୍ଜୁଲତା ଭୋଇ, ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡା, ବିନିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗଦାନ କରି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ସୁରଭିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆଗାମୀ ନଭେମ୍ବର ୧୪ ରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭିରେ ଯୋଗଦାନ କରିବାକୁ ମନୋନୀତ ହୋଇଛନ୍ତି l ଶିକ୍ଷକ ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠିତ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଚାରକ ଭାବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ସମସ୍ତ ଶିକ୍ଷକ ପ୍ରଶିକ୍ଷକ ତଥା ଶିକ୍ଷାର୍ଥୀ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.