ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍ କାଉଗୁଡାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜନଜାତୀୟ ଗୌରବ ଦିବସ ଓ ଅଭିଭାବକ ସହ ସହଭାଗିତା ମହାସମାରୋହରେ ପାଳିତ ହୋଇଯାଇଛି। କାଉଗୁଡା ପିଏମ୍ ଶ୍ରୀ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସ ପାଳନର ମୁଖ୍ୟ ଆକର୍ଷଣ ଥିଲା ଅଭିଭାବକ ସହ ସହଭାଗିତା। ଏଥିରେ ଅତିଥି ଭାବେ ଲାଞ୍ଜିଗଡ଼ ରୋଡ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରବିନ୍ଦ୍ର ସାହୁ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ନିଲେଶ କୁମାର ନାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର, ସଦସ୍ୟ ମୋତିରାମ ରଣା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗଜାନନ ଶ୍ରୀ ଗଣେଶ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ବିର୍ସା ମୁଣ୍ଡାଙ୍କ ଜୀବନୀ, ତାଙ୍କ ଉଲଗୁଲାନ ଆନ୍ଦୋଳନ, ଜଳ-ଜଙ୍ଗଲ-ଜମି ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେ ମାତ୍ର ୨୫ ବର୍ଷ ବୟସରେ ଦେଶ ଓ ଆଦିବାସୀ ସମାଜ ପାଇଁ ଯେଉଁ ଅଦମ୍ୟ ସାହସ ଦେଖାଇଥିଲେ ତାହା ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଅଭିଭାବକ ସହ ସହଭାଗିତା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ପିଲାମାନଙ୍କ ପାଠପଢ଼ା, ଶୃଙ୍ଖଳା, ସଂସ୍କାର ଓ ଭବିଷ୍ୟତ ଗଢ଼ିବାରେ କେବଳ ଶିକ୍ଷକ କି ବିଦ୍ୟାଳୟ ନୁହେଁ, ଘରେ ଅଭିଭାବକଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ଅଭିଭାବକମାନେ ପିଲାଙ୍କ ସହ ପ୍ରତିଦିନ କଥା ହେବା, ପାଠ ପ୍ରତି ଧ୍ୟାନ ଦେବା, ବିଦ୍ୟାଳୟ ଆସି ଶିକ୍ଷକଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ଗୀତ, ବକ୍ତୃତା, ଚିତ୍ରାଙ୍କନ, ରଙ୍ଗୋଲି ପରିବେଷଣ କରାଯାଇଥିଲା। ସେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହ ଶିକ୍ଷକ ହିମାଞ୍ଚଳ ପୂଝାରୀ ବିଦ୍ୟାଳୟରେ ସରକାରଙ୍କ ବିଭିନ୍ନ ଯୋଜନାର ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମକୁ ଏନସିସି ଶିକ୍ଷକ ତଥା ଭାରପ୍ରାପ୍ତ ଖେଳ ଶିକ୍ଷକ ସନ୍ଦୀପ କୁମାର ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହ ଶିକ୍ଷକ କୋକିଳ ଶବର, ସୁଶିଳ ପ୍ରଧାନ, ବିବେକାନନ୍ଦ ମହାପାତ୍ର, ଅରୁଣ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ପଦ୍ମିନୀ ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ସବିତା ଜଗତ, ଅଞ୍ଜଳି ସାହୁ, କର୍ମଚାରୀ ସଂକୀର୍ତ୍ତନ ଶବର, କ୍ଷିରାବ୍ଧି ଜୁଆଡ, ସୁଦର୍ଶନ ପାତ୍ର, ସମାଜ ଶବର, ସୁନା ମାଝୀ, ଆରତୀ ପ୍ରଧାନ, ଗୋପି ଶବର, ଚମ୍ପା ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ବିଦ୍ୟାଳୟ ତରଫରୁ ସମସ୍ତ ଅଭିଭାବକ ଓ ଅତିଥିଙ୍କୁ ବିଜ୍ଞାନ ଶିକ୍ଷୟିତ୍ରୀ ନମିତା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।





