ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୌଳିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ଦକ୍ଷତା ପ୍ରଶିକ୍ଷଣର ପ୍ରମାଣପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଶିକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ପକ୍ଷରୁ ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନାନ୍ଦୋଲଠାରେ ମୌଳିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ଦକ୍ଷତା ପ୍ରଶିକ୍ଷଣର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଚମ୍ରୁ ମହାନନ୍ଦ ମୁଖ୍ୟ ଅତିଥି ଏବଂ ଯୁବ ସାମ୍ବାଦିକ ଧୀରେନ୍ଦ୍ର ସୁନାନି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ ଅଫିସର ଖିରମଣି କୁମ୍ଭାର, ଅତିରିକ୍ତ ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ ଏବଂ ସ୍ୱାସ୍ଥ୍ୟ ଶିକ୍ଷୟିତ୍ରୀ ଝିଲି ବାଗ ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା, ବ୍ୟକ୍ତିଗତ ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ରୋଗ ପ୍ରତିରୋଧ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଜ୍ଞାନ ସହ ବ୍ୟବହାରିକ ଦକ୍ଷତା ପ୍ରଦାନ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ଉଲ୍ଲେଖ କରିବା ସହ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଭଳି ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଯୁବପିଢ଼ିଙ୍କୁ ଆତ୍ମନିର୍ଭର ଓ ସଚେତନ କରିବାରେ ସହାୟକ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ଦକ୍ଷତା ବିକାଶକୁ ଆଗକୁ ବଢ଼ାଇବା ସହ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.