ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ବାତ୍ୟା ମିଗଜୋମ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବ୍ଲକର ୨୩ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଗତ ୫ ତାରିଖ ମଙ୍ଗଳବାର ଦିନ ଠାରୁ ଝିପି ଝିପି ବର୍ଷା ଆରମ୍ଭ ହେଇଥିବା ବେଳେ ବୁଧବାର ଦିନତମାମ ସହ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଷା ହୋଇଛି। ଯାହା ଫଳରେ ଅମଳ ଧାନ ଗୁଡିକ ଚାଷୀ ଚାଷ ଜମିରେ ଧାନ କାଟି ପଡି ରହିଥିବା ବେଳେ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଦେଖାଦେଇଛି। ଏପରିକି ଅମଳ ଧାନ ଫସଲଗୁଡିକ ନଷ୍ଟ ହୋଇଥିବା ସହିତ ଚଳିତ ବର୍ଷ ଚାଷୀ ମୁଗ, ବିରି, କୋଳଥ, କପା, ଚଣା ଆଦି ଚାଷ କରିଥିବା ବେଳେ ବର୍ଷାରେ ପନିପରିବା ଚାଷଗୁଡିକ ବେହାଲ ହେଇଛି। ଏଥିରେ ଭଦ୍ରା ପଞ୍ଚାୟତ ସିଲେଟପଡା ଗାଁର ଉଦ୍ଧବ କୁମ୍ଭାର ନାମକ ଜୈନିକ ଚାଷୀଙ୍କ ୨ ଏକର ଚାଷ ଜମି ରହିଥିବା ବେଳେ ବର୍ଷା ଯୋଗୁଁ ଅମଳ ଧାନ ସହ ମୁଗ, ବିରି , ହରଡ଼, ଚନା ଇତ୍ୟାଦି ଫସଲଗୁଡିକ ନଷ୍ଟ ହୋଇଥିବା ଚାଷୀ ଉଦ୍ଧବ କ୍ଷୋଭ ସହ ପ୍ରକାଶ କରିଛି। ଏହି ବର୍ଷା ହେବା ଯୋଗୁଁ ଚାଷୀ ଅମଳ ଧାନକୁ କ୍ଷେତରେ ଛାଡି ଦେଇଥିବା ବେଳେ କିଛି ଧାନକୁ ପଲିଥିନ ସାହାଯ୍ୟରେ ଢ଼ାପି କରି ରଖିଥିବା ଦେଖାଦେଇଛି। ବର୍ତମାନ ପର୍ଯ୍ୟନ୍ତ ତହସିଲ ବିଭାଗ ଓ କୃଷି ବିଭାଗ କ୍ଷୟ କ୍ଷତି ଅଞ୍ଚଳକୁ ଆକଳନ କରିବା ପାଇଁ ଆସି ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ଏଣୁ ଏ ଦିଗରେ କୃଷି ବିଭାଗ ତୁରନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ ଗୁଡିକକୁ ଯାଇ କ୍ଷୟକ୍ଷତି ଆକଳନ କରି ତୁରନ୍ତ ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସଇଁତଳା କୃଷକ ସଂଘ ସଭାପତି ସତ୍ୟନାରାୟଣ ପଣ୍ଡା ଦାବୀ କରିଛନ୍ତି।