ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ରେ ଖରିଫ ଧାନ ସଂଗ୍ରହ ଆରମ୍ଭରୁ ଅଚଳାବସ୍ଥା ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲାର ଚାଷୀର ସମସ୍ୟା ପିଛା ଛାଡୁନି। କେତେ ବେଳେ ମରୁଡି ତ କେତେବେଳେ ରୋଗପୋକ। ଠିକ୍ ଚାଷ ଅମଳ ହୋଇସାରି ଥିବା ବେଳେ ବର୍ତମାନ ଅଦିନିଆ ବର୍ଷା ଯୋଗୁଁ ଚାଷୀର ଦୁଃଖ ଦ୍ଵିଗୁଣିତ ହୋଇଯାଇଛି। ନୂଆପଡା ଜିଲ୍ଲା ରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଖୋଲା ଆକାଶ ତଳେ କଷ୍ଟ ଉପାର୍ଜିତ ଧାନ ଭିଜୁ ଥିବାର ଦେଖି ଚାଷୀ ଏବେ ଚିନ୍ତାରେ। ଚଳିତ ବର୍ଷ ଜିଲ୍ଲାରେ ବିଦ୍ଧି ବଦ୍ଧ ଭାବରେ ନଭେମ୍ବର ୨୪ ତାରିଖ ଦିନ ଚାଲୁ ହୋଇଛି ମଣ୍ଡି। ଠିକ୍ ସମୟରେ ଧାନ ଉଠି ପାରିନଥିବାରୁ ବର୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚଳିତ ବର୍ଷ ୪୪ ହଜାର ୩୩୪ ଜଣ ଚାଷୀଙ୍କ ଠାରୁ ୧୭ ଲକ୍ଷ ୯୨ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ୨୬ ଗୋଟି ପ୍ୟକ୍ସ୍ ର ୭୬ ଗୋଟି ମଣ୍ଡିରେ ଧାନ କ୍ରୟ ହେବ। ଏଥର ୩୦ ଗୋଟି ମିଲରସ ଧାନ କିଣିବାକୁ ଦାୟିତ୍ଵ ଦେଇଥିବା ବେଳେ ୧୩ ଗୋଟି ଏସଏଚଜି ଦ୍ଵାରା ଧାନ କିଣିବାକୁ ସ୍ଥିର କରାଯାଇଛି। ତେବେ ଆଜିକୁ ୧୪ ଦିନ ହେବ ଜିଲ୍ଲାର ୩୩ ମଣ୍ଡିରେ ୪୫୮ ଜଣ ଚାଷୀଙ୍କ ୪୪ ହଜାର ୯୧୬ ବସ୍ତା ଧାନ ପଡି ରହିଛି। ଲଗାଣ ବର୍ଷା ଫଳରେ ଦୁଇ ଦିନ ହେବ ଧାନ କ୍ରୟ କୌଣସି ମଣ୍ଡିରେ ବ୍ୟବସ୍ଥିତ ଭାବେ ହୋଇପାରୁନି। ଅନ୍ୟପଟେ ମିଲର୍ସମାନେ ପ୍ୟାକ୍ସ ଓ ଆଇଏମସି କର୍ମଚାରୀଙ୍କ ସହିତ ମିଶି ଚାଷୀଙ୍କ ଠାରୁ ବାଧ୍ୟତାମୂଳକ ଭାବେ କ୍ୱିଣ୍ଟାଲ ପିଛା ୨ ରୁ ୪ କେଜି କଟନୀଛଟନୀ କରି ଶୋଷଣ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ଚାଷୀଙ୍କ ଧାନ ସ୍ୱାଭାବିକ ଭାବେ ବିନା କଟନୀଛଟନୀରେ କ୍ରୟ କରୁବୋଲି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବୀ କରାଯାଉଛି।