ରାୟଗଡା ଜିଲ୍ଳା ଯୋଜନା କମିଟିର ୨୧ତମ ବୈଠକ

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୪୬୩ କୋଟି ୩୦ ଲକ୍ଷ ୮୬ ହଜାର ଟଙ୍କାର ବାର୍ଷିକ ଯୋଜନା

ଅନୁଦାନ ରାଶିର ସଠିକ ବିନିଯୋଗ ଉପରେ ଗୁରୁତ୍ୱାରୋପ କଲେ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଏକବିଂଶ (୨୧ତମ)ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଜିଲ୍ଳାପାଳ ସ୍ୱଧାଦେବ ସିଂ, କାଶିପୁର ବ୍ଳକ ଅଧ୍ୟକ୍ଷ କଣ୍ଠ ମାଝି, ସହ ନିର୍ଦ୍ଦେଶିକା ଯୋଜନା ଅଧିକାରୀ ଜୟନ୍ତିମାଳା ନାୟକଙ୍କ ସମେତ ଜିଲ୍ଳା ଯୋଜନା କମିଟିର ୧୪ଜଣ ସଭ୍ୟସଭ୍ୟାଙ୍କ ସମେତ ରାୟଗଡା ନଗର ସଭ୍ୟ ସୁକାନ୍ତ ପରିଡା ଏବଂ ଗୁଣପୁର ଓ ଗୁଡାରୀ ନଗର ସଭ୍ୟା ମମତା ଶତପଥି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବୈଠକରେ ଗତ ଏପ୍ରିଲ୍ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଳା ଯୋଜନା କମିଟି ବିଂଶତମ ବୈଠକର କାର୍ଯ୍ୟଧାରା ବିବରଣୀକୁ ଦୃଢୀକରଣ ପାଇଁ ଅନୁମୋଦିତ କରାଯାଇଥିଲା। ପରେ ୨୦୨୩-୨୪ଆର୍ଥିକ ବର୍ଷର ବିଜୁ କେବିକେ ଯୋଜନା ନିମନ୍ତେ ବ୍ଳକ ୱାରି ୫୦ଲକ୍ଷ ଟଙ୍କା ହିସାବରେ ମୋଟ ୫କୋଟି ୫୦ଲକ୍ଷ ଟଙ୍କାର ବିଜୁଳି, ସଡକ, ପାଣି ତଥା ଅନ୍ୟାନ୍ୟ ଗଠନ ସମୂହ ଉନ୍ନୟନ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ଚିଠା ସଂପର୍କରେ ଆଲୋଚନା କରାଯିବା ପରେ ଅଧ୍ୟକ୍ଷ ଶ୍ରୀ ନାୟକ ଅନୁମୋଦିତ କରିଥିଲେ। ରାୟଗଡା ଜିଲ୍ଳାକୁ ବିଗତ ଆର୍ଥିକ ବର୍ଷ ୨୦୨୧-୨୧ରେ ରାଜ୍ୟ ଯୋଜନା ପାଣ୍ଠି,କେନ୍ଦ୍ରୀୟ ଯୋଜନା ପାଣ୍ଠି ଏବଂ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିଭିନ୍ନ ଉନ୍ନୟନ ବିଭାଗ ବାବଦକୁ ମୋଟ ୧୨୦୯ କୋଟି ୬୩ ଲକ୍ଷ ୩ ହଜାର ଟଙ୍କା ଅନୁଦାନ ରାଶି ପ୍ରାପ୍ତ ହୋଇଥିଲା ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ରୂପାୟନ ପାଇଁ ୧୨୬୬ କୋଟି ୯୦ଲକ୍ଷ ୫୮ହଜାର ଟଙ୍କାର ଅନୁଦାନ ରାଶି ପ୍ରାପ୍ତ ହୋଇଥିବା ବୈଠକରେ ଉପସ୍ଥାପନା କରାଯାଇଥିଲା। ସେହିପରି ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର୍ ନିମନ୍ତେ ଜିଲ୍ଳାର ବିଭିନ୍ନ ଉନ୍ନୟନ ବିଭାଗର ଯୋଜନା ମୂଳକ କାର୍ଯ୍ୟକ୍ରମରେ ୧୪୬୩ କୋଟି ୩୦ ଲକ୍ଷ ୮୬ ହଜାର ଟଙ୍କାର ଜିଲ୍ଳା ବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ଉପରେ ଅଧ୍ୟକ୍ଷ ଶ୍ରୀ ନାୟକ ଆଲୋଚନା କରିବା ସହ ତାହାର କିପରି ସଠିକ୍ ବିନିଯୋଗ କରାଯିବ ଏବଂ ଅନୁମୋଦିତ ହେବ ତାହା ଉପରେ ଆଲୋଚନା କରିଥିଲେ। ତେବେ ରାୟଗଡା ଜିଲ୍ଳା କ୍ରିଟିକାଲ୍ ଗେପ୍ ଫଣ୍ଡ ଯୋଜନାରେ ଗୁଣପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳିର ବିଧାୟକମାନେ ୩୨ଲକ୍ଷ ଟଙ୍କା ଲେଖାଁଏ ପ୍ରକଳ୍ପ ଚିଠା ଅନୁମୋଦନ ପାଇଁ ଉପସ୍ଥାପନା କରିଥିବା ବେଳେ ରାୟଗଡା ନିର୍ବାଚନ ମଣ୍ଡଳିରୁ ଏହି ଯୋଜନା ନିମନ୍ତେ କୈାଣସି ଚିଠା ଉପସ୍ଥାପନା କରାଯାଇ ପାରି ନ ଥିଲା। ଯଦ୍ୱାରା ବୈଠକରେ ରାୟଗଡା ନିର୍ବାଚନ ମଣ୍ଡଳିର ପ୍ରକଳ୍ପ ସଂପର୍କରେ ଗୃହ ଜାଣିବାକୁ ପାଇ ନ ଥିଲେ। ଏ ନେଇ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କହଁରକୁ ପଚାରିବାରୁ ରାୟଗଡା ବିଧାୟକ ଚିଠା ପ୍ରସ୍ତୁତ କରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅଧ୍ୟକ୍ଷ ଶ୍ରୀ ନାୟକ ଜିଲ୍ଳାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ମିଗଜୋମ ବାତ୍ୟା ପ୍ରଭାବରେ ରାୟଗଡା ଜିଲ୍ଳାରେ ୨ ରୁ ୩ ଦିନ ଧରି ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ବିଭିନ୍ନ ଫସଲର କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ସରକାରଙ୍କୁ ପ୍ରେରଣ କରିବା ପାଇଁ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବାକୁ ଥିବା ଜିଲ୍ଳାସ୍ତରୀୟ ଧାନ ମଣ୍ଡିର ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ। ଠିକଣା ଭାବେ ଯେପରି ଚାଷୀମାନେ ନିଜ ଧାନ ବିକ୍ରି କରି ଅର୍ଥ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାୟଗଡା ସହରରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ଜାନୁଆରୀ ୨୫ ତାରିଖ ସୁଦ୍ଧା ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି କହିବା ସହ ଭାକୁରଗୁଡା ସ୍ଥିତ ପ୍ଳାନେଟୋରିୟମ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପଂହଚିଥିବା ବେଳେ ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷି ଜିଲ୍ଳାଗୁଡିିକ ମଧ୍ୟରେ ଜିଲ୍ଳାର ସାମଗ୍ରୀକ ବିକାଶ କ୍ଷେତ୍ରରେ ରାୟଗଡା ଆକାଂକ୍ଷି ଜିଲ୍ଳା ଭାବେ ୧ ନମ୍ବର ର‌୍ୟାଙ୍କ ପାଇଥିବାରୁ ମନ୍ତ୍ରୀ ଶ୍ରୀ ନାୟକ ଏହା ଜିଲ୍ଳା ତଥା ରାଜ୍ୟ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.