ବଡ଼ରାଇସିଂ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ହନ୍ତସନ୍ତ ଅନ୍ତେବାସୀ; ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ହେଲେ ଫେରାଦ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅଧିନସ୍ଥ କଲ୍ୟାଣ ବିଭାଗର ବଡରାଇସିଂ ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଛାତ୍ରମାନେ ଦୀର୍ଘ ୧୮କିଲୋମିଟର ରାସ୍ତା ଚାଲି ଚାଲି ଅତିକ୍ରମ କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟ ଏବଂ ହଷ୍ଟେଲରେ ଅବ୍ୟବସ୍ଥା ପ୍ରତିବାଦରେ ହଷ୍ଟେଲ ଛାଡ଼ିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ଦ୍ଵିତୀୟ ଶନିବାର ହେତୁ କାର୍ଯ୍ୟାଳୟ ଛୁଟି ଥିବାରୁ ଜିଲ୍ଲାପାଳଙ୍କୁ ଭେଟିବା ସମ୍ଭବପର ହୋଇନଥିବା ବେଳେ ସ୍ଥାନୀୟ ସାର୍କିଟ ହାଉସରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ରହିଥିବା ଜାଣିବାକୁ ପାଇ ସେଠାକୁ ଯାଇଥିଲେ। ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଶ୍ରୀ ସାରକା ପିଲାଙ୍କ ଠାରୁ ସବୁକଥା ଶୁଣିବା ପରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଡବ୍ଲୁଇଓ ଙ୍କୁ ଘଟଣାର ତଦନ୍ତ କରି ଆବଶକ୍ୟସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏତେ ଦୂରରୁ ଚାଲି ଆସିଥିବା କୁନି କୁନି ପିଲାମାନେ ଭୋକିଲା ଥିବା ଜାଣିବାକୁ ପାଇ ଜଳଖିଆ ବ୍ୟବସ୍ଥା କରାଇଥିଲେ। ଘଟଣାରୁ ପ୍ରକାଶ ଯେ, ବଡରାଇସିଂ ଆଶ୍ରମରେ ୨୪୦ ଜଣ ଛାତ୍ରୀଛାତ୍ର ହଷ୍ଟେଲରେ ରହୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ବିଦ୍ୟାଳୟ ଓ ହଷ୍ଟେଲ କର୍ତ୍ତ୍ତୃପକ୍ଷଙ୍କ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା ଛାତ୍ରମାନେ କହିଛନ୍ତି। ହଷ୍ଟେଲରେ ଖାଇବା ପାଇଁ ଠିକ୍‌ ଭାବେ ଦିଆଯାଉ ନାହିଁ। ଖାଇବା ପାଇଁ ମାଗିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ମାଡ ମାରିବା ସହିତ ବିଦ୍ୟାଳୟରୁ ତଡି ଦେବାର ଭୟ ଦେଖାଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପାଠ ପଢିବା ସମୟରେ ପନିପରିବା, ଆଳୁ ବସ୍ତା ବୋହି ନେବା ପାଇଁ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ସୁନା ଓ ମେଟ୍ରୋନ କହୁଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ପ୍ରଧାନଶିକ୍ଷକ ବିଶାମିତ୍ର ସୁନାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା। ରାୟଗଡ଼ା ସହର ଉପକଣ୍ଠ କଟଲାଗୁଡାସ୍ଥିତ ଅନ୍ବେସା ହଷ୍ଟେଲରେ ସମାନ ଅଭିଯୋଗ ଆସିଥିଲା। ହଷ୍ଟେଲର ଛାତ୍ରୀଛାତ୍ର ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ତାପରେ ବିଶାମିତ୍ର ସୁନାଙ୍କୁ ଜିଲ୍ଲାପାଳ ଦାଇତ୍ୱରୁ ହଟେଇ ଥିଲେ। ଆଉ ମାତ୍ର ଦୁଇ ମାସ ମଧ୍ୟରେ ସମାନ ଘଟଣା ଏବେ ନଜରକୁ ଆସିଛି। ଏହି ସମ୍ପର୍କରେ ପ୍ରଧାନଶିକ୍ଷକ ବିଶାମିତ୍ର ସୁନା କହିଛନ୍ତି ଖାଇବା ପାଇଁ ପିଲାମାନଙ୍କୁ ଠିକ୍‌ ଭାବରେ ପ୍ରଦାନ ହେଉଛି। ପିଲାମାନେ ହଷ୍ଟେଲ ଫାଟକ ଡେଇଁ ଆସିଛନ୍ତି। ତବେ ମାଡ଼ ମରାଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.