୨୪ ଭାଷାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ : ଓଡ଼ିଆରେ ପାଇବେ କବି ଆଶୁତୋଷ ପରିଡ଼ା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀ ଠାରେ ଆଜି ଅନୁଷ୍ଠିତ ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ବୈଠକରେ ୨୦୨୩ ମସିହା ପାଇଁ ଚବିଶଟି ଭାଷାର ପୁରସ୍କାର ଘୋଷଣା କରାଯାଇଛି।
ଏକାଡେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁସାରେ ଏଥର ନଅଟି କବିତା ସଂକଳନ, ପାଞ୍ଚଟି ଗଳ୍ପ ସଂକଳନ, ତିନିଟି ପ୍ରବନ୍ଧ ପୁସ୍ତକ ଏବଂ ଗୋଟିଏ ସାହିତ୍ୟ ସମାଲୋଚନା ପୁସ୍ତକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏ ସଂପର୍କରେ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ ଜାରି କରିଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ଏଥର ଓଡ଼ିଆ ଭାଷା ପାଇଁ ପୁରସ୍କାର ପାଇବେ ବିଶିଷ୍ଟ କବି ତଥା ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ା।

ଓଡ଼ିଆ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ। ୧୯୪୬ ମସିହାରେ କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିବା ଡକ୍ଟର ପରିଡ଼ା ବୃତ୍ତିରେ ଜଣେ ବୈଜ୍ଞାନିକ ହୋଇଥିଲେ ସୁଦ୍ଧା କବିତା ରଚନା ହେଉଛି ତାଙ୍କର ପ୍ରବୃତ୍ତି। ତାଙ୍କର ଏଗାରଟି କବିତା ସଂକଳନ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇଛି| ଏହା ପୂର୍ବରୁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭାନୁଜୀ ରାଓ ସ୍ମୃତି ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ସଚ୍ଚି ରାଉତରାୟ କବିତା ସମ୍ମାନ ଏବଂ ସତ୍ୟବାଦୀ ସାହିତ୍ୟ ସମ୍ମାନ ଆଦି ସମ୍ମାନ ଓ ସ୍ବୀକୃତି ଲାଭ କରିଛନ୍ତି। ଜଣେ ପ୍ରଗତିଶୀଳ ଚେତନାର କବି ଭାବରେ ତାଙ୍କ ସୁଖ୍ୟାତି ରହିଛି।

ସେହିପରି ସଂସ୍କୃତ ଭାଷା ପାଇଁ ଏକାଡେମୀ ପୁରସ୍କାର ପାଇବେ ପ୍ରଫେସର ଅରୁଣ ରଂଜନ ମିଶ୍ର।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷାର ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ଏଥର ଥିଲେ ବିଶିଷ୍ଟ କବି ରାଜେନ୍ଦ୍ର କି‌ଶୋର ପଣ୍ଡା, ହରପ୍ରସାଦ ଦାସ ଏବଂ ସମାଲୋଚକ ପ୍ରଫେସର କାଳିଦାସ ମିଶ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.