ଅମରେଶ ବିଶ୍ଵାଳ ପାଇବେ କନହେଇ କଥା ପୁରସ୍କାର-୨୦୧୯

କନହେଇଲାଲ୍ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର,୧୧/୬: ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇଲାଲ୍ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କନହେଇ କଥା ପୁରସ୍କାର-୨୦୧୯’ ପାଇବେ ଯୁବ ଗାଳ୍ପିକ ଅମରେଶ ବିଶ୍ବାଳ। ବାଲେଶ୍ୱର ସ୍ଥିତ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଛି।

କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ ସଂସଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର। ପ୍ରାରମ୍ଭରେ ପ୍ରଖ୍ୟାତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ଗିରିଶ କର୍ନଡଙ୍କ ବିୟୋଗରେ ଶୋକପ୍ରସ୍ତାବ ଅଣାଯିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେପରେ ସଂସଦର ସଂପାଦକ କବି ଉତ୍ପଳ ମହାନ୍ତି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେବା ସହ ଚଳିତ ବର୍ଷର ବଜେଟ୍ ବାବଦରେ କହିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମତାଲିକା ପ୍ରକାଶ କରିବା ପରେ ତନ୍ମଧ୍ୟରୁ ଅମରେଶ ବିଶ୍ବାଳଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଏଥିରେ ସମସ୍ତ କର୍ମକର୍ତ୍ତା ଭାଗ ନେଇଥିଲେ। ତଦନୁସାରେ ଆସନ୍ତା ଜୁନ୍ ୨୭ ତାରିଖ ଗୁରୁବାର ସଂଧ୍ୟା ୫ଟାରେ କଳିଙ୍ଗ ହୋଟେଲ୍ ସମ୍ମିଳନୀ କକ୍ଷରେ ଜୟନ୍ତୀ ସମାରୋହ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମାରୋହରେ ବିଶିଷ୍ଟ ଗାଳ୍ପିକା ସରୋଜିନୀ ସାହୁ ଏବଂ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି। ସମାରୋହରେ କନହେଇ କଥା ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ସହ ପାଞ୍ଚ ହଜାର ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ପୂର୍ବରୁ ଚିରଶ୍ରୀ ଇନ୍ଦ୍ରସିଂ, ଆଦିତେଶ୍ଵର ମିଶ୍ର, ମୋନାଲିସା ଜେନା, ହିରଣ୍ମୟୀ ମିଶ୍ର ପ୍ରମୁଖ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇସାରିଛନ୍ତି।

ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିବାରଣ ଜେନା, ଗଙ୍ଗାଧର ବିଶ୍ବାଳ, ରଞ୍ଜନ ବାଗ, ବ୍ୟୋମନାଥ ରଥ, ସ୍ମୃତି ଦାସ, ଦିଲ୍ଲୀପ ପାଲ, ଶୁଭେନ୍ଦୁ ଦାସ, ଅଞ୍ଜନ ଚାନ୍ଦ, ରାମନାରାୟଣ ଦେ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ସହ-ସମ୍ପାଦକ ଯାଦବେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏଠି କ୍ଲିକ୍ କରି ଆମ ହ୍ଵାଟ୍ସଆପ୍ ସାହିତ୍ୟ ଗ୍ରୁପ୍’ରେ ଯୋଗଦିଅନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.