୩୦ରୁ ଆରମ୍ଭ ହେବ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ, ଦଶାବତାର ବେଶ ପ୍ରଦର୍ଶନ ସହ ଐତିହ୍ୟ ନାଟକ ପ୍ରଦର୍ଶନ ହେବ

୩୧ରେ ହେବ ଅର୍ଦ୍ଧ ଶତାଧିକ କବିଙ୍କ ସମାବେଶ ଓ କବିତାପାଠ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଚଳିତ ମାସ ୩୦ ତାରିଖରୁ ଫେବୃଆରୀ ମାସ ୧ ତାରିଖ ପର୍ଯ୍ୟନ୍ତ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଏବଂ ଓଡ଼ିଆ ଭାଷା ସାହିତ୍ୟର ବିକାଶ ସହିତ ଯୁବବର୍ଗଙ୍କ ନିକଟରେ ବିଶେଷ ଆଦୃତି ଲାଭ କରିବାର ସହ ସାହିତ୍ୟ-ଜ୍ଞାନର ପରିସୀମାକୁ ବର୍ଦ୍ଧିତ କରିବାର ପ୍ରୟାସ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଭାଷା ସାହିତ୍ୟରେ ଆଗ୍ରହ ଓ ଅନନ୍ୟ ଉତ୍ସାହ ନେଇ ଆୟୋଜିତ ହେଉଥିବା ଏହି ୩ ଦିନିଆ କାର୍ଯ୍ୟକ୍ରମଟି ବିଶ୍ବବିଦ୍ୟାଳୟର ନୂଆପାଢୀ କ୍ୟାମ୍ପସରେ ଅନୁଷ୍ଠିତ ହେବ। ଏଥିସହିତ ଭଗବାନ ଶ୍ରୀଜଗନ୍ନାଥଙ୍କ ୩୨ ବେଶ, ଦଶାବତାର ରୂପ ପ୍ରଦର୍ଶନ, ଭକ୍ତିପୂତ ଭଜନ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୋଡ଼ା ନାଚ, ପାଲା ଇତ୍ୟାଦିର ପରିବେଷଣ ହେବା ସହ ଏକ ଐତିହ୍ୟ ନାଟକ ପ୍ରଦର୍ଶନ ମଧ୍ୟ ହେବ। ଚାରିଦିନ ଧରି ସକାଳ ୧୦:୦୦ ଟାରୁ ରାତି ୮:୦୦ଟା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ବେଶ ପ୍ରଦର୍ଶିତ ହେବ। ପ୍ରାତଃ ଓ ସନ୍ଧ୍ଯାକାଳୀନ କାର୍ଯ୍ୟକ୍ରମ ଅନ୍ତର୍ଗତ କୀର୍ତ୍ତନ ପରିବେଷଣ ହେବା ସହ ଐତିହ୍ୟ ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ରାଙ୍କନ କର୍ମଶାଳା ‘ଅସ୍ମିତା’ର ଆୟୋଜନ ମଧ୍ଯ କରାଯାଇଛି।

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଲେଖକମାନଙ୍କ ସହ ପରିଚିତି କରାଇବା ପାଇଁ ଲେଖକ ଫଟୋଚିତ୍ର ଗ୍ୟାଲେରୀ କରାଯିବ। ଆନ୍ତର୍ଜାତିକ ଆଲୋଚନାଚକ୍ର ୩୦ ତାରିଖରୁ ଫେବୃଆରୀ ୧ତାରିଖ ଯାଏଁ ହେବ। ଯେଉଁଥିରେ ଆଦିବାସୀ ସଂସ୍କୃତି ଓ ସାହିତ୍ଯ, ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟ, ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଓଡ଼ିଆ ସଂସ୍କୃତି ଓ ପରମ୍ପରା ଇତ୍ୟାଦି ବିଷୟବସ୍ତୁ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନାଚକ୍ରରେ ଦେଶ ବିଦେଶରୁ ୪୦ରୁ ଅଧିକ ଊର୍ଦ୍ଧ୍ବ ବରେଣ୍ଯ ସାହିତ୍ୟିକ ଓ ଶତାଧିକ କବି, ଗାଳ୍ପିକ ମାନେ ଅତିଥି ଭାବେ ଯୋଗଦାନ କରିବେ। ଏଥିସହିତ କବିତା ପାଠୋତ୍ସବ ଓ କବିତା ଚର୍ଚ୍ଚା ତଥା ଓଡ଼ିଆ ଗଳ୍ପ-ଆସର ଓ ଗଳ୍ପ ଚର୍ଚ୍ଚାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ପ୍ରତିଦିନ ସଂଧ୍ୟା ୫:୩୦ ରୁ ରାତି ୮:୦୦ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବା ସହ ଅନ୍ତିମ ଦିନରେ ଐତିହ୍ଯ ପରିବେଷଣ କରାଯିବ। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ଓ ଫକୀରମୋହନ ବିଶ୍ବବିଦ୍ୟାଳୟର ଆୟୋଜନରେ ହେଉଥିବା ଏହି ଦୁର୍ଲ୍ଲଭ ଓ ଅଭିଭୂତ କରିବାର ପ୍ରୟାସ ନେଇ ପ୍ରସ୍ତୁତ କରାଯାଉଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସାଧାରଣ ଯୋଗ ଦେବା ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.