ରାୟଗଡା ଓ କାଶିପୁର ବ୍ଳକରେ ଅଛନ୍ତି, ୯ଟି ବ୍ଳକରେ ନାହାନ୍ତି ଏବିଡିଓ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ଏବିଡିଓ ପଦବୀରେ ପଡିଛି ମରୁଡି । ଦୀର୍ଘ ବର୍ଷ ବର୍ଷ ଧରି ଏହି ପଦବୀଗୁଡିକ ଖାଲି ପଡିଛି । ଜିଲ୍ଳାର ରାୟଗଡା ଓ କାଶିପୁର ବ୍ଳକକୁ ବାଦ ଦେଲେ କୋଲନରା, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର, ଗୁଡାରୀ, ପଦ୍ମପୁର, ଗୁଣପୁର, ରାମନାଗୁଡା ବ୍ଳକରେ ନାହାନ୍ତି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ) । ଏହି ପଦବୀର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ସେଠାକାର ବିଡିଓ ତଥା ଅନ୍ୟ ଅଧିକାରୀମାନେ । ଫଳରେ ଏବିଡିଓ ପଦବୀର ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଅଧିକାରୀମାନେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରୁ ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷ ବର୍ଷ ଧରି ଜିଲ୍ଳାରେ ଏବିଡିଓ ପଦବୀ ଖାଲି ପଡିଥିବା ଜଣାପଡିଛି । ଜିଲ୍ଳାର ବିଭିନ୍ନ ପଂଚାୟତ ସମିତିଗୁଡିକରେ ହେଉଥିବା ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଏବିଡିଓମାନେ ପରିଦର୍ଶନ ଓ ତଦାରଖ କରିବା ତଥା ବିକାଶମୂଳକ ପ୍ରକଳ୍ପଗୁଡିକର ତଦାରଖ କରିବା କଥା କିନ୍ତୁ ପଦବୀ ଖାଲି ପଡିଥିବାରୁ ତାହା ମଧ୍ୟ ଠିକ୍ ସେ ହୋଇ ପାରୁନାହିଁ । ବ୍ଳକଗୁଡିକରେ ବିଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ବିଡିଓ ଭାବେ ଏବିଡିଓମାନେ ଦାୟିତ୍ୱ ସମ୍ଭାଳିଥାନ୍ତି । ବିଭିନ୍ନ କଲ୍ୟାଣ ଯୋଜନାର ଏବିଡିଓମାନେ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଏମାନଙ୍କ ପଦବୀ ଖାଲି ପଡିଥିବାରୁ ଜିଲ୍ଳାରେ କିଭଳି ଭାବେ ଏହି କାର୍ଯ୍ୟ ସଂପାଦନା ହେଉଥିବା ତାହା ଆପେ ଅନୁମେୟ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ବର୍ତମାନ ରାୟଗଡା ବ୍ଳକରେ ଏବିଡିଓ କାଳୁଚରଣ ନାୟକ ଏବଂ କାଶିପୁର ବ୍ଳକରେ ପଦ୍ମିନୀ କହଁରଙ୍କୁ ଛାଡି ଜିଲ୍ଳାର ଅନ୍ୟ କୈାଣସି ବ୍ଳକରେ ସ୍ଥାୟୀ ଏବିଡିଓ ନାହାନ୍ତି । ଏଥିପୂର୍ବରୁ ଗତ ୨୦୨୨ବର୍ଷରେ ଜିଲ୍ଳାର କୋଲନରା ବ୍ଳକରେ ଏବିଡିଓ ଭାବେ ନୃସିଂହଚରଣ ପଟ୍ଟନାୟକ ଏବଂ କଲ୍ୟାଣସିଂହପୁର ବ୍ଳକରେ ବଳରାମ ପାତ୍ର ପଦୋନ୍ନତି ପାଇ ଅନ୍ୟ ଜିଲ୍ଳାକୁ ବଦଳି ହୋଇଥିବା ବେଳେ ଏହି ଦୁଇଟି ବ୍ଳକରେ ମଧ୍ୟ ଏଯାବତ୍ ସ୍ଥାୟୀ ଏବିଡିଓଙ୍କୁ ନିଯୁକ୍ତ କରାଯାଇନାହିଁ ।