୧୨ରେ ସୁବର୍ଣ୍ଣପୁରଠାରେ ହେବ ବିଶାଳ ଚାଷୀ ସମାବେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କଥାରେ ଅଛି ଯେଉଁଠି ଚାଷୀ ସମୃଦ୍ଧ ହୁଏ ସେଇ ରାଜ୍ଯ ଓ ଦେଶ ବି ସମୃଦ୍ଧ ହୋଇଥାଏ। ଚାଷୀ ହସିଲେ ଗାଁ ହସେ ଦେଶ ହସେ କିନ୍ତୁ ଏ ସବୁର ପୁରା ବ୍ୟତିକ୍ରମ ଦେଖିବକୁ ମିଳିଛି ଆମ ଓଡ଼ିଶା ରାଜ୍ୟରେ। ଆମ ଦେଶ ୭୫ ତମ ସ୍ବାଧିନତା ପରେ ଓ ମହା ସମାରୋହ ରେ ଅମୃତ ମହୋତ୍ସବ ପାଳନ କଲା ପରେ ବି ଓଡ଼ିଶା ରାଜ୍ୟରେ ସବୁ ସରକାରଙ୍କ ଅତ୍ୟାଚାରରେ ଏ ରାଜ୍ୟର ଚାଷୀ ଅତିଷ୍ଠ ହୋଇ ପଡିଛନ୍ତି। ଆଉ ଯେଉଁ ପଶ୍ଚିମ ଓଡ଼ିଶାକୁ ରାଜ୍ୟର ଭାତ ହାଣ୍ଡି ବୋଲି ଆମ ଅଞ୍ଚଳର ଲୋକ ପ୍ରତିନିଧି ମାନେ ଭାଷଣ ରେ ଡିଣ୍ଡିମି ପିଟୁଛନ୍ତି ଏଠିକାର ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଲେ ସାରା ଦେଶ ହସିବ। ଦୀର୍ଘ ୪୦ /୫୦ ବର୍ଷ ଯାଏ ଚାଷୀ ମାନେ ରାଜ୍ୟରେ ନିଜର ହକ୍ ପାଇଁ ଲଢେଇ କରି ନୟାନ୍ତ ହୋଇ ପଡିଲେଣି ତେଣୁ ଚାଷୀ ଆଜି ସଂକଳ୍ପ ନେଇଛି ଚାଷୀ ମାରଣ ନୀତି ଆପଣେଇ ଥିବା ସରକାର ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିବ ଏଵଂ ନିଜ ର ନ୍ୟାର୍ଯ୍ୟ ଦାବୀ ହାସଲ ହେବା ପର୍ଯ୍ୟନ୍ତ ସହିଦ ହେବ ପଛେ କିନ୍ତୁ ଆନ୍ଦୋଳନରୁ ନ ହଟିବାକୁ ଦୃଢ଼ ପ୍ରତିଜ୍ଞା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଅଗଣିତ ଚାଷୀ ଆସନ୍ତା ୧୨ ତାରିଖରେ ସୋନପୁର ରୟାଲ ପଡ଼ିଆ ଠାରେ ଏକତ୍ରିତ ହୋଇ ଏକ ବିଶାଳ ଚାଷୀ ସମାବେଶ କରିବେ ଏବଂ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଜରିଆରେ ମହା ମହିମ ରାଜ୍ୟପାଳଙ୍କୁ ୧୧ ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଚାଷୀ ନେତା ପଦ୍ମ ଲୋଚନ ମିଶ୍ର, ପ୍ରଦୀପ ପୁରୋହିତ ଓ ମିତ୍ରବ୍ରତ ମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟ ରାଜ୍ୟ ପରି ଚାଷୀଙ୍କୁ ବୋନସ ସହ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି, ଚାଷୀ ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ଼ ସହିତ ଧାନର ଟୋକନ ବ୍ୟବସ୍ଥା ଉଚ୍ଛେଦ, ସବୁଠି ଚାଷୀଙ୍କୁ ଉଚିତ ସମ୍ମାନ ପ୍ରଦାନ ପ୍ରମୁଖ ୧୧ ଗୋଟି ଦାବୀ ଏଥିରେ ଉଲ୍ଲେଖ ଅଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ସଂଘ ସଭାପତି ବୈକୁଣ୍ଠ ଶତପଥୀ, ସମ୍ପାଦକ ଚିତ୍ତ ରଂଜନ ଗର୍ତିଆ, ଚାଷୀ ନେତା ନରୋତ୍ତମ ପଧାନ, ନରେନ୍ଦ୍ର ଆଚାର୍ଯ୍ୟ, ବିଶେଶ୍ୱର ପାଣିଗ୍ରାହୀ, ମାଗୁଣି ସାହୁ, ତିରୁପତି ପଣ୍ଡା, ଭୋଳା ବର୍ମା ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.