ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ଅନୁଷ୍ଠିତ ହେଲା ‘ଗ୍ରାମୀଣ ଶିବିର’

ସାମାଜିକ ସମସ୍ୟାକୁ ନେଇ ଛାତ୍ରଛାତ୍ରୀ ପରିବେଷଣ କଲେ ପଥପ୍ରାନ୍ତ ନାଟକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ଅନ୍ତୋର୍ଦୟ ଚେତନା ମଣ୍ଡଳ, ଲାବଣ୍ୟଦେଇପୁର ସଦସ୍ଯଙ୍କ ସହଯୋଗରେ ଶରତ ଗ୍ରାମ ଠାରେ ଏକ ଦଶଦିନିଆ ଗ୍ରାମୀଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ଅନୁମୋଦନରେ ଏହି ଅଭିନବ ପ୍ରୟାସର ଆୟୋଜନ କରାଯାଇପାରିଛି । ଉଦଘାଟନୀ ଅବସରରେ ସଂପୃକ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତଙ୍କ ଅଧ୍ୟକ୍ଷତାରେ ଡ଼କ୍ଟର ଭଗବାନ ପଣ୍ଡା ମୁଖ୍ଯବକ୍ତା ଭାବେ ଯୋଗଦେଇ ସମାଜ ପ୍ରତି ଛାତ୍ରଛାତ୍ରୀଙ୍କ ଦାୟିତ୍ବ ଓ କର୍ତ୍ତବ୍ଯ ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ମୁଖ୍ଯ ଅତିଥି ଭାବେ ତୁରାମ ସିଂ ଓ ସମ୍ମାନିତ ଅତିଥି ଭାବେ ପୀତାମ୍ବର ସାହୁ ଯୋଗଦେଇ ଉକ୍ତ ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହିତ ସ୍ଵାଗତ କରିଥିଲେ। ସମାଜ ସେବାର ପ୍ରକୃତ ଅର୍ଥ ଓ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରି ଜନମଙ୍ଗଳ କାର୍ଯ୍ୟ ସହ ସଚେତନତା କାର୍ଯ୍ୟକ୍ରମ କରିବାକୁ ସେ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅନେକ ସାମାଜିକ ସମସ୍ୟାକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ମେଲେରିଆ ନିରାକରଣ, ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି , ନିଶାନିବାରଣ ଇତ୍ୟାଦି ବିଷୟରେ ଆଧାରିତ ନାଟକ ବହୁ ଗ୍ରାମବାସୀଙ୍କ ଉପସ୍ଥିତିରେ ପରିବେଷଣ କରି ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବାରେ ସଫଳ ହୋଇଥିଲେ। ବିଶ୍ବବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ଏହି ପ୍ରୟାସକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି । ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଏହି ଶିବିରରେ ଯୋଗ ଦେଇଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ସୁପ୍ରିୟା ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ବିଭାଗର ଦ୍ବିତୀୟବର୍ଷର ଛାତ୍ର ସନ୍ତୋଷ ବେହେରା କାର୍ଯ୍ୟକ୍ରମ ସଂପାଦନ କରିଥିଲେ। ଉଦଘାଟନୀ ଉତ୍ସବ ଶେଷରେ ସ୍ଳୋଗାନ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.