ନାଏକ ପରିବାରର ପେଣ୍ଡ୍ରାଣି ଦେବୀଙ୍କ ‘ମାଘ ମଣ୍ଡେଇ’

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡେଙ୍ଗାଗୁଡା ଗୌନ୍ତିଆପଡା ନାଏକ ପରିବାରର ମା’ ପେଣ୍ଡ୍ରାଣି ଦେବୀଙ୍କ ‘ମାଘ ମଣ୍ଡେଇ’ ରବିବାର ସମ୍ପନ୍ନ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ଯାତ୍ରାରେ ଶହ ଲୋକେଙ୍କ ସମାଗମ ହୋଇଥିଲା। ୧୯୭୧ ମସିହାରୁ ପଡୋଶୀ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରୁ ପେଣ୍ଡ୍ରାଣି ଦେବୀଙ୍କୁ ଡେଙ୍ଗାଗୁଡା ଗ୍ରାମର ମାୟାଧର ନାଏକ ଆମନ୍ତ୍ରଣ କରି ଗାଁରେ ଆଣି ସ୍ଥାପନ କରିଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦେବୀ ପେଣ୍ଡ୍ରାଣି ଏହି ଗ୍ରାମରେ ପୂଜା ପାଇଆସୁଛନ୍ତି। ମା’ଙ୍କ ଏହି ଯାତ୍ରାରେ ବିଭିନ୍ନ ସ୍ଥାନରୁ ଦେବାଦେବୀ ମାନଙ୍କ ଲାଠି କାଲିଶୀଙ୍କୁ ନିମନ୍ତ୍ରଣ ଦିଆଯାଇଥାଏ। ଆଜି ଡ଼େଙ୍ଗାଗୁଡ଼ା ଗ୍ରାମ୍ୟ ଦେବୀ ମା’ ଠାକୁରାଣୀ, ମା’ ହେଙ୍ଗଳାଇ ଦେବୀ, ତେତେଲପଦର ବସ୍ତେରେନ ମାଉଳି, ମା’ ପେଡ୍ରାଗୁଡେନ ଆଦି ଦେବାଦେବୀ ମାନଙ୍କ ଦେହରେ କାଲିଶୀ ଚଢିଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦେବଦେବୀ ମାନଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ। ଏବଂ ମାନସିକ ଧାରୀ ଭକ୍ତମାନେ ଦେବାଦେବୀଙ୍କ ପାଖରେ ରକ୍ତ ଭୋଗରେ ବଳୀ ପ୍ରଦାନ କରିଥିଲେ। ପରେ ଦେବାଦେବୀ ମାନଙ୍କ ଦେବ କଚେରୀ ବସିଥିଲା। ଏଥିରେ ଶ୍ରଦ୍ଧାଳୁ ମାନେ ମା’ଙ୍କ ପାଖରେ ବିଭିନ୍ନ ମନସ୍କାମନା, ସୁଖ ଦୁଃଖ ବିଷୟରେ ଦେବାଦେବୀଙ୍କ ପ୍ରତିନିଧିତ୍ବ କରୁଥିବା ପୂଜକ ମାନଙ୍କୁ ପଚାରିଥିଲେ। ମା’ଙ୍କ ମୁଖ୍ୟ ପୂଜକ ମନ୍ମଥ ନାଏକ, ମୂଖ୍ୟ ଶିରା ଚମାର ନାଏକ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ମା’ପେଣ୍ଡ୍ରାଣି ପୂଜା କମିଟିର ଛବିନ୍ଦ୍ର ନାଏକ, ରିକ୍ଷୀରାମ ନାଏକ, ଘନଶ୍ୟାମ ନାଏକ, ଜିତେନ୍ଦ୍ର ନାଏକ, ମୋହନ୍ ନାଏକ, ମାୟାଧର ନାଏକ, ଚିନିଲାଲ ନାଏକ, ନରେନ୍ଦ୍ର ବାଗ, କାର୍ତ୍ତି ପାତ୍ର ପ୍ରମୁଖ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.