ଭାରତୀୟ ମହିଳା ହକି ଟିମରେ ସୁଯୋଗ ପାଇବା ସୁଜାତା କୁଜୁରଙ୍କ ସ୍ୱପ୍ନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ କରି ଉଦୀୟମାନ ମହିଳା ହକି ଖେଳାଳି ସୁଜାତା କୁଜୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସୁଜାତାଙ୍କ ନେତୃତ୍ୱରେ ସମ୍ବଲପୁର ୟୁନିଭରସିଟି ଫାଇନାଲରେ ଆଇଟିଏମ ୟୁନିଭରସିଟିକୁ ହରାଇ ଚାମ୍ପିୟନ ହୋଇଛି । ୨୦ ବର୍ଷୀୟା ସୁଜାତା ମିଡଫିଲ୍ଡର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସୁନ୍ଦରଗଡର ପ୍ରତ୍ୟେକ ପିଲା ପରି ସୁଜାତା ମଧ୍ୟ ହକ ପ୍ରତି ଆକୃଷ୍ଟ ହୋଇଥିଲା । ୧୦ ବର୍ଷରୁ ସେ ହକି ଖେଳି ଆସୁଛନ୍ତି । ଏବେ ଜାତୀୟ ସିନିୟର ଦଳରେ ସ୍ଥାନ ପାଇବା ତାଙ୍କର ଏକମାତ୍ର ସ୍ୱପ୍ନ ରହିଛି ବୋଲି ସେ କହିଛନ୍ତି ।ସୁଜାତାଙ୍କ ବାପା ଜଣେ କୃଷକ ଏବଂ ମାଆ ଗୃହଣୀ । ଆର୍ଥୀକ ଅନାଟନ ସତ୍ୱେ ସେ ହକିର ସ୍ୱପ୍ନ କେବେ ହେଲେ ଛାଡି ନାହାନ୍ତି । ସୁନ୍ଦରଗଡର ସାଇ ସେଂଟରରେ ତାଙ୍କୁ ପ୍ରଶିକ୍ଷଣ ପାଇଁ ସୁଯୋଗ ମିଳିଲା । ସେଠାରୁ ମନପ୍ରାଣ ଦେଇ ହକି ଖେଳିବା ପରେ ନ୍ୟାଶନାଲ ସେଂଟର ଫର ଏକ୍ସଲେନ୍ସକୁ ଯାଇଥିଲେ । ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମରେ ସାମିଲ ହେବା ପରଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ଏପରିକି ସେ ତାଙ୍କ ଘରକୁ ଅର୍ଥ ପଠାଇବା ସକ୍ଷମ ହୋଇ ପାରିଥିଲେ । ଏନସିଓଇରେ ଅନ୍ୟ ପ୍ରତିଭାଶାଳୀ ସାଥୀ ଖେଳାଳି ଏବଂ ଦକ୍ଷ କୋଚ ତାଙ୍କୁ ପରିପକ୍ୱ କରାଇଥିଲେ । ଭାରତୀୟ ଜୁନିୟର ଟିମରେ ସେ ସୁଯୋଗ ପାଇଥିଲେ । ଗତ ବର୍ଷ ଜାପାନରେ ଅନୁଷ୍ଠିତ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଡୁସେଲଡୋର୍ଫରେ ଅନୁଷ୍ଠିତ ଚର୍ତୁଦ୍ଦେଶୀୟ ଜୁନିୟର ହକି ଓ ଏଫଆଇଏଚ ଜୁନିୟର ବିଶ୍ୱକପରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି । ପ୍ରତ୍ୟେକ ବାଧା ବିଘ୍ନ ମୋ ପାଇଁ ପରୋକ୍ଷରେ ଶକ୍ତି ଭାବେ ଉଭା ହେଉଛି । ଆଗକୁ ଭଲ ପ୍ରଦର୍ଶନ କରିବା ମୋର ମୂଳ ଲକ୍ଷ୍ୟ । ଏତେ ବାଟ ଆସିଛି ମାନେ ମୁଁ ମୋ ସ୍ୱପ୍ନ ସାକାର କରିବି ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.