ବିକଶିତ ଭାରତ ପାଇଁ ସ୍ଵଦେଶୀ ଜ୍ଞାନ କୌଶଳ

ସନ୍ତୋଷ କୁମାର କର

ପୃଥିବୀର ଶ୍ରେଷ୍ଠ ପ୍ରାଣୀ ମଣିଷ ନିଜର ବୁଦ୍ଧି ଓ ବିଜ୍ଞାନକୁ ବ୍ୟବହାର କରି ପ୍ରକୃତି ଓ ପଦାର୍ଥର ନିଗୁଢ ରହସ୍ୟ ଉନ୍ମୋଚନ କରିବା ସହ ତାକୁ ବ୍ୟବହାର କରିବାରେ ସଫଳ ହୋଇପାରିଛି । ବିଜ୍ଞାନ କୁ ବ୍ୟବହାର କରି ସେ ସ୍ବଚ୍ଛନ୍ଦରେ ଜୀବନ ଜାପାନ କରୁଛି । ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ଆମ ଦେଶର ଅବଦାନ ମଧ୍ୟ କମ ନୁହଁ । ଆମଦେଶ ବିଜ୍ଞାନ କ୍ଷେତ୍ରରେ  ଅନେକ ସଫଳତା ସାଉଁଟିଛି  । ପରୀକ୍ଷାଗାର ରୁ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି ଭାରତୀୟ ବୈଜ୍ଞାନିକଙ୍କ  ସଫଳତା । ଚନ୍ଦ୍ରର ଦକ୍ଷିଣ ମେରୁରେ ଆମେ ବିଶ୍ଵର ପ୍ରଥମ ଦେଶ ଭାବରେ  ସଫଳତାର ସହ  ଅବତରଣ କରିପାରିଛୁ  । ଆମ ଦେଶର ବୈଜ୍ଞାନିକ ମାନେ  ନିଜର ଗବେଷଣା ଓ ଅବଦାନ ଯୋଗୁଁ ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି । ଶୂନ ର ଆବିଷ୍କାର ହେଉ କି ପ୍ଲାଷ୍ଟିକ ସର୍ଜରୀ ହେଉ ଅନେକ କ୍ଷେତ୍ର ରେ ଭାରତୀୟ ବୈଜ୍ଞାନିକଙ୍କ ଅବଦାନ ରହିଛି।  ବିଶ୍ଵ ବିଜ୍ଞାନ କ୍ଷେତରେ ଅବଦାନ ଦେଇଥିବା ସେଭଳି ଜଣେ ବୈଜ୍ଞାନିକ ହେଲେ ଭାରତ ର ସୁଯୋଗ୍ୟ ସନ୍ତାନ ବୈଜ୍ଞାନିକ “ଚନ୍ଦ୍ରଶେଖର ଭେଙ୍କଟ ରମଣ” । ଥରେ ଇଂଲଣ୍ଡ ରୁ ଏକ ଆଲୋଚନା ଚକ୍ର ରେ ଯୋଗଦେଇ ଫେରିବା ବେଳେ ନୀଳ ଆକାଶ, ନୀଳ ବରଫ ଓ ନୀଳ ସମୁଦ୍ର କୁ ଦେଖି ବିମୋହିତ ହେଲେ ଏଭଳି ନୀଳ ରଙ୍ଗର ହେବାର କାରଣ ବିଷୟ ରେ ଗବେଷଣା କଲେ । ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା “ଏଭଳି ନୀଳ ରଙ୍ଗର କାରଣ କଣ? ” ଆକାଶର ରଙ୍ଗ, ପାଣିର ର ରଙ୍ଗ ପ୍ରକୃତରେ କଣ ନୀଳ? ତାହା ଉପରେ ସେ ଅନବରତ ଗବେଷଣା କଲେ  ଓ ପରିଶେଷରେ ସେ ସେଥିରେ ସଫଳ ମଧ୍ୟ ହେଲେ।  ତାଙ୍କର ଗବେଷଣା ଲବ୍‌ଧ ତଥ୍ୟ (ରମଣ ପ୍ରଭାବ) ବିଜ୍ଞାନ ଜଗତକୁ ଏକ ନୂତନ ବାଟ ଦେଖାଇଲା । ତାଙ୍କ ଦ୍ୱାରା ଆବିଷ୍କୃତ “ରମଣ ପ୍ରଭାବ” ବା “ଆଲୋକର ବିଛୁରଣ” ଯୋଗୁଁ ସେ ୧୯୩୦ ମସିହାରେ ପ୍ରଥମ ଏସୀୟ ବୈଜ୍ଞାନିକ ଭାବରେ ପଦାର୍ଥ ବିଜ୍ଞାନରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପୁରସ୍କାର ପାଇଥିଲେ । ଆଲୋକ ସଂପର୍କିତ ତାଙ୍କ ତଥ୍ୟ ୧୯୨୮ ମସିହା ଫେବୃୟାରୀ ୨୮ ତାରିଖରେ ଉପସ୍ଥାପିତ ହୋଇଥିଲା । ତାଙ୍କର କୃତିତ୍ଵକୁ ସମ୍ମାନ ଦେବା ପାଇଁ ୧୯୮୬ ମସିହାରେ ଭାରତ ସରକାର ୨୮ ଫେବୃଆରୀକୁ ଜାତୀୟ ବିଜ୍ଞାନ ଦିବସ ଭାବେ ଘୋଷଣା କରିଥିଲେ । ନିତିଦିନିଆ ଜୀବନ ରେ ବିଜ୍ଞାନର ଉପାଦେୟତାକୁ  ଉପଲବ୍‌ଧି କରିବା ସହ ତାକୁ  ଜନସାଧାରଣଙ୍କର ହିତ ସାଧନ ପାଇଁ ବହୁଳ ଭାବେ ପ୍ରୟୋଗ କରିବା, ନୂଆ ନୂଆ ବୈଜ୍ଞାନିକ କୌଶଳର ଉଦ୍ଭାବନ ଓ ଆବିଷ୍କାର କରିବା,  ବିଜ୍ଞାନ ପ୍ରେମୀ ତଥା ବିଜ୍ଞାନ ଧର୍ମୀ ମାନଙ୍କୁ ଆଗକୁ ସୁଯୋଗ ପ୍ରଦାନ କରିବା, ସର୍ବୋପରି ଦେଶର ଜନସାଧାରଣଙ୍କ  ମନରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ କରିବା ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।  ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ ପାଇଁ ଭାରତ ସରକାରଙ୍କ ତରଫରୁ ଭିନ୍ନ ଭିନ୍ନ ବିଷୟବସ୍ତୁ ରଖା ଯାଇଥାଏ । ଜାତୀୟ ବିଜ୍ଞାନ ଦିବସ- ୨୦୨୪ ର ବିଷୟବସ୍ତୁ ହେଲା “ ବିକଶିତ ଭାରତ ଗଠନ ପାଇଁ ସ୍ଵଦେଶୀ ଜ୍ଞାନକୌଶଳ” । ଚଳିତ ବର୍ଷ ବିଜ୍ଞାନ ଦିବସର ବିଷୟବସ୍ତୁ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ତୃଣ ମୂଳ ସ୍ତରର ଆବିଷ୍କାର ଓ  ଉଦ୍ଭାବନ ପାଇଁ ଜନସାଧାରଣଙ୍କ ପ୍ରୟାସ  ତଥା ଭାରତୀୟ ବୈଜ୍ଞାନିକମାନଙ୍କ ସଫଳତାକୁ ପ୍ରୋତ୍ସାହନ  କରିବା ପାଇଁ ଉଦ୍ଧିଷ୍ଟ ଅଟେ ।  ଏହି ବିଷୟବସ୍ତୁ କେବଳ ବିଜ୍ଞାନ କ୍ଷେତ୍ରରେ ଭାରତକୁ ପ୍ରତିଷ୍ଠା କରିବ ତାହା ନୁହଁ ଏହା  ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜନସାଧାରଣ ଏବଂ ବୈଜ୍ଞାନିକ ଭ୍ରାତୃତ୍ୱ ପାଇଁ ସହଯୋଗ କରିବା, ଏକାଠି କାମ କରିବା ଏବଂ ସମଗ୍ର ଭାରତ ଏବଂ ସମଗ୍ର ମାନବଜାତିର କଲ୍ୟାଣରେ ଯୋଗଦାନ କରିବାର ସୁଯୋଗ ପ୍ରଦାନ କରିବ । ବିଜ୍ଞାନ ମାଧ୍ୟମରେ ଭାରତ କିପରି ଆତ୍ମନିର୍ଭର ହେଇପାରିବା ତାହା ମଧ୍ୟ ଏ ବର୍ଷ ବିଜ୍ଞାନ ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ  ଅଟେ। । ସାମ୍ପ୍ରତିକ ବୈଜ୍ଞାନିକ ଉପଲବ୍ଧି ପରିପ୍ରେକ୍ଷୀରେ, ଏହା ଉଲ୍ଲେଖ କରାଯାଇପାରେ ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତର ଉଦୀୟମାନ ଗତିପଥ ବିଶ୍ୱସ୍ତରରେ ଦେଖିବାକୁ ମିଳୁଛି । ବୈଜ୍ଞାନିକ ଗବେଷଣା ପ୍ରକାଶନରେ ଆମେ ବିଶ୍ୱସ୍ତରରେ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଅଛୁ। ଚନ୍ଦ୍ରଯାନ ର ଅବତରଣ, ମିଶନ ଆଦିତ୍ୟ, କୋଭିଡ୍ ମହାମାରୀ ର ମୁକାବିଲା ପାଇଁ ଟୀକା ର ବିକାଶ ଆଦି ସବୁ କ୍ଷେତ୍ରରେ ଭାରତ ସଫଳ ହେଇଛି। ଭାରତ ଏବେ କ୍ୱାଣ୍ଟମ ଟେକ୍ନୋଲୋଜିରେ ବିଶ୍ୱସ୍ତରରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛି । ଆମର ବୈଜ୍ଞାନିକ ପ୍ରୟାସ କେବଳ ଆମ ଦେଶର ଭବିଷ୍ୟତକୁ ଗଢ଼ିତୋଳିବାର ଶକ୍ତି ରଖିନାହିଁ ବରଂ ବିଶ୍ୱ ର ପ୍ରଗତି ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର ଶକ୍ତି ରଖିଛି ।

ବର୍ତମାନ ଯୁଗରେ ବିଜ୍ଞାନର ବହୁଳ ବ୍ୟବହାର ହେଉଛି । ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରୟୋଗ ତଥା ବୈଜ୍ଞାନିକ ଉପକରଣ ଜନସାଧାରଣଙ୍କ ନିକଟରେ ସହଜରେ ଉପଲବ୍ଧ ତଥା ବ୍ୟବହୃତ ହେଉଥିବାରୁ ବିଜ୍ଞାନ ଦିନକୁ ଦିନ ଜନାଦୃତ ହେବାରେ ଲାଗିଛି ।  ଆମେ ନିଜର ସମସ୍ତ ଆବଶ୍ୟକତା ପୁରଣ କରିବାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ ଦେଇ ଆସିଅଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ରୋଗ ନିରାକରଣ,ମୋବାଇଲ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯୁଗାନ୍ତକାରୀ ଉଦ୍ଭାବନ ଓ ଆବିଷ୍କାର ସମସ୍ତଙ୍କର ଗ୍ରହଣ ଯୋଗ୍ୟ ହୋଇ ପାରିଛି । ତେଣୁ ଆମେ କିପରି ଆମର ସ୍ଵଦେଶୀ ଜ୍ଞାନ କୌଶଳ ବ୍ୟବହାର କରି ଅଧିକରୁ ଅଧିକ ଯୋଗଫାଦାନ କରିବା ସେ ବିଷୟରେ ପ୍ରୟାସ କରିବ ଉଚିତ। ଏହା ବ୍ୟତୀତ  ବର୍ତମାନ ଆମେ ଗୋଟିଏ ପଟେ ବିଜ୍ଞାନକୁ ବ୍ୟବହାର କରି ସମସ୍ତ ସୁବିଧା ସୁଯୋଗ ହାସଲ କରୁଥିବାବେଳେ ଅନ୍ୟପଟେ ଅବୈଜ୍ଞାନିକ ବିଷୟ ବସ୍ତୁରେ ପ୍ରଚାର କରୁଛୁ । ତେଣୁ ଯେଉଁ ବିଜ୍ଞାନ ମଣିଷ ଆଖିରୁ ଅନ୍ଧକାର ଦୂର କରି ନୂତନ ଆଶା, ବିଶ୍ୱାସ ଓ ପ୍ରେରଣା ସୃଷ୍ଟି କରି ପାରିଛି, ତାକୁ ଠିକ ଦିଗରେ ଲଗେଇବା ଆମ ସମସ୍ତଙ୍କ ଦାୟିତ୍ଵ ଓ କର୍ତବ୍ୟ ହେବା  ଉଚିତ । ତେଣୁ ସମାଜରେ ବୈଜ୍ଞାନିକ ଦୃଷ୍ଟି କୋଣର ପ୍ରଚାର ପ୍ରସାର ସହ ଏକ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାପାଇଁ ଆମେ ସମସ୍ତେ ବିଜ୍ଞାନ ଦିବସରେ ଶପଥ ନେବା ଏବଂ ବିଜ୍ଞାନ ର ଜୟ ଯାତ୍ରା ରେ ସାମିଲ ହେବା ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର  ପ୍ରାପ୍ତ ବିଜ୍ଞାନ ଶିକ୍ଷକ,
ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ
ମୋ: ୯୪୩୮୦୫୨୧୧୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.