ପ୍ରଧାନ ଶିକ୍ଷକ ଦୟାନିଧି ଡ଼ାଳୁଆଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାନିଧି ଡାଲୁଆ ୨୯/୨ ରେ ଶିକ୍ଷକତା ଜୀବନରୁ ଅବସର ନେଉଛନ୍ତି। ଏଣୁ ତୁଳା ଗାଁ କ୍ଳଷ୍ଟର ତରଫରୁ ତାଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି। ବୁଧବାର ଏନେଇ ସର୍ଗିଗୁଡ଼ା ବିଦ୍ୟାଳୟ ପରିସରରେ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନାର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ ଯୋଗଦାନ କରି ଶିକ୍ଷା, ଶିକ୍ଷକତା ଓ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବରେ ଏବିଇଓ ସୂର୍ଯ୍ୟଦେବ ବାଗ, ଗୋବର୍ଦ୍ଧନ ମାଝୀ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୀନକେତନ ସାହୁ, ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ ବିଷ୍ଣୁ ଗହୀର, ଗଙ୍ଗାଧର ଷଢ଼ଙ୍ଗୀ, ଅବସରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ଚାନ୍ଦ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଡାଳୁଆଙ୍କ ପାଇଁ ସର୍ଗିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜିଲ୍ଲାରେ ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭବରେ ପରିଚୟ ସୃଷ୍ଟି କରିବା ସହିତ ବିଦ୍ୟାଳୟଟି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମଧ୍ଯ ପାଇଲା ବୋଲି ଉପସ୍ଥିତ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ। ଅତିଥି ଵୃନ୍ଦଙ୍କ ଦେବ ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଭାଗବତିଆ କବି ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଡାଳୁଆଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ତୁଳା ଗାଁ କ୍ଳଷ୍ଟର ତରଫରୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ଯ ସେମାନଙ୍କ ପ୍ରିୟ ଶିକ୍ଷକଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ହେବା ମୁହୂର୍ତ୍ତରେ ଭାବ ବିହ୍ବଳ ହୋଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଡାଳୁଆ ସର୍ଗିଗୁଡା ୟୁପି ସ୍କୁଲ ରେ ୧/୧୦/୨୦୧୨ ରେ ଯୋଗଦାନ କରିବା ପରଠୁଁ ଏହି ୧୨ ବର୍ଷ ମୋତେ ଖୁବ ଆତ୍ମତୃପ୍ତି ମିଳିଛି। ମୋର ସହକର୍ମୀ ଓ ପରିଚାଳନା ସମିତି ସଦସ୍ୟ ସଦସ୍ୟା ମାନଙ୍କର ମଧ୍ଯ ଅନେକ ସ୍ନେହ, ଶ୍ରଦ୍ଧା ପାଇଛି। ଏହା କେବେ ମୁଁ ଭୁଲି ପାରିବି ନାହିଁ ବୋଲି କହିଥିଲେ। ଏହି ସମ୍ୱର୍ଦ୍ଧନା ସଭାରେ ଅଭିଭାବକ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କ ସମେତ ନର୍ଲା ଶିକ୍ଷକ ସଂଘର ସଂପାଦକ ଅମିତ ଶର୍ମା, ବିଦ୍ୟାଳୟ ପରିଚାଳନା ସମିତିର ସଭାନେତ୍ରୀ ସାବିତ୍ରୀ ମାଝୀ, ସମାଜସେବୀ କୁମୁଦ ଚନ୍ଦ୍ର ନାଏକ, ଆଶୋକ ପରିଡ଼ା, ଅବସରପ୍ରାପ୍ତ ଶିକ୍ଷକ କୀର୍ତ୍ତନ ନାଗ, ଲକ୍ଷ୍ମଣ ପରିଡା,ଗିରିଧାରୀ ଗୌଡ, ବିଭୂତି ପଟ୍ଟାୟକଙ୍କ, ରାମଚନ୍ଦ୍ର ସାହୁ, ବିଭୂତି ସାହୁ, ସୁଦର୍ଶନ ମହାନ୍ତି, ବ୍ରଜକିଶୋର ପଧାନ, ହୃଷୀକେଶ ଭୋଇ, ଡୋଳେଶ୍ୱର୍ ସାହୁ, ଶରତ ଭୋଇ, ଡିସିଲାଲ ପଧାନ, ଟୁନା ମିଶ୍ର, ସସ୍ମିତା ଦାସ, ଡମ୍ବରୁ ବେହେରା ଓ ନର୍ଲା ଶିକ୍ଷକ ସଂଘର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ରଶ୍ମିତା ସେଠୀ, କୁଲଦୀପ ମାଝୀ, ସୁଭାଷିନୀ ମାଝୀ, ଆର. ଗାୟତ୍ରୀ, ଗାୟତ୍ରୀ ଷଢ଼ଙ୍ଗୀ, ରୀନା ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରୀମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ସମ୍ୱର୍ଦ୍ଧନା ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଶ୍ରୀ ଡାଳୁଆଙ୍କୁ ବ୍ୟାଣ୍ଡ ଓ ଘୁମୁରା ବାଜା ସହ ଏକ ଭବ୍ୟ ପଟୁଆରରେ ରେଳବାଇ ଫାଟକ ନିକଟସ୍ଥ ତାଙ୍କ ଘରକୁ ଆଣି ଛାଡିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.