ପଦାର୍ପଣ ଆଇପିଏଲ: କମାଲ କରିବାକୁ ଯାଉଛନ୍ତି ଏହି ଖେଳାଳି

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସଂସ୍କରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଏଥର କେତେକ ଯୁବ ଖେଳାଳିଙ୍କ ପଛରେ ଫ୍ରାଂଚାଇଜରମାନେ କୋଟି କୋଟି ଟଙ୍କା ଲଢ଼େଇବାକୁ ପଛେଇ ନାହାନ୍ତି । ପଦାର୍ପଣ ଆଇପିଏଲରେ ସେମାନେ କିପରି କମାଲ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହୁଛି । ଏହା ମଧ୍ୟରେ ରହିଛନ୍ତି ଗୁଜରାଟ ଟାଇଟାନ୍ସର ସ୍ପେନ୍ସର ଜନଶନ(୧୦ କୋଟି ଟଙ୍କା), ଚେନ୍ନାଇର ସମୀର ରିଜଭୀ(୮.୪ କୋଟି), ଦିଲ୍ଲୀର କୁମାର କୁଶାଗ୍ର( ୭.୨ କୋଟି), ମୁମ୍ବାଇର ଗେରାଲ୍ଡ କୋଏଟଜି(୫କୋଟି) ଓ ନୁୱାନ ଥୁସାରା (୪.୮ କୋଟି), ଚେନ୍ନାଇର ରଚୀନ ରବୀନ୍ଦ୍ର (୧.୮ କୋଟି) ଓ ଗୁଜରାଟର ଅଜମୁତାଲ୍ଲା ଓମ୍ରଜେଇ(୫୦ ଲକ୍ଷ) ।

୬ ଫୁଟ ୪ ଇଂଚ ଉଚ୍ଚତା ବିଶିଷ୍ଟ ଜନଶନ ଟି୨୦ରେ ଚାହିଦା ଖେଳାଳି ପାଲଟିଛନ୍ତି । ବିବିଏଲ, ଦି ହଣ୍ଡ୍ରେଡ, ଏମଏଲସି ଓ ଗ୍ଲୋବାଲ ଟି୨୦ ପକ୍ଷରୁ ଖେଳି ସାରିଛନ୍ତି । ଆଇପିଏଲରେ ବି ସେ କମାଲ କରିବେ ବୋଲି ଫ୍ରାଂଚାଇଜ ଆଶା ବାନ୍ଧି ବସିଛନ୍ତି । ଓମ୍ରଜେଇ ତାଙ୍କ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଆଇପିଏଲ ତାଙ୍କୁ ଏକ ଶାଣୀତ ଅଲରାଉଣ୍ଡର ଭାବେ ଗଢ଼ି ତୋଳିବ ବୋଲି କ୍ରିକେଟ ସମୀକ୍ଷକମାନେ ମତ ବ୍ୟକ୍ତ କରିଛନ୍ତି ।

ଭାରତର ଯୁବ ଖେଳାଳି ସମୀର କେବେ ହେଲେ ବି ଭାବି ନ ଥିଲେ ଚେନ୍ନାଇ ତାଙ୍କ ଉପରେ ବାଜି ଲଗାଇବ । ରଣଜୀରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଭାବିତ କରିଥିଲେ । ସେହିପରି ଝାଡଖଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ କୁଶାଗ୍ରା ଆଇପିଏଲରେ ଛାପ ଛାଡିବେ ବୋଲି ଆଶା କରାଯାଉଛି । ଦିଲ୍ଲୀର ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ତାଙ୍କୁ ଲମ୍ବା ରେସର ଘୋଡା କହିଛନ୍ତି ।

ନ୍ୟୁଜିଲାଣ୍ଡର ରଚୀନ ରବୀନ୍ଦ୍ର ଭାରତ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି ଫ୍ରାଂଚାଇଜଙ୍କୁ ଆକୃଷ୍ଟ କରିପାରିଥିଲେ । ଏଥର ଆଇପିଏଲରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଲାସିଥ ମାଲିଙ୍ଗାଙ୍କ ଶୈଳୀରେ ବୋଲିଂ କରୁଥିବା ଥୁସାରା ଏବେ ମୁମ୍ବାଇର ଟ୍ରମ୍ପ କାର୍ଡ ହେବାକୁ ଯାଉଛନ୍ତି । କୋଚ ମାଲିଙ୍ଗାଙ୍କ ଉପସ୍ଥିତି ତାଙ୍କୁ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.