ଟୋଲବ୍ରାହ୍ମଣୀ ସିଦ୍ଧ ରତ୍ନକୁଟୀର ଆଶ୍ରମରେ ଆୟୋଜିତ ହେବ ୬୬ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା, ଜାଣନ୍ତୁ ବିସ୍ତୃତ କାର୍ଯ୍ୟସୂଚୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଚରାଚର ବିଶ୍ବର ମଙ୍ଗଳବିଧାନ ପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହେଉଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟୀର ଆଶ୍ରମରେ ୬୬ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ମହୋତ୍ସବ-୨୦୨୪ ଆୟୋଜିତ ହେବାକୁ ଯାଉଛି। ଆବାହକ ଓ ଯଜ୍ଞ କର୍ତ୍ତା ବୈଦ୍ୟରାଜ ପବିତ୍ର ଶବରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ତଥା ଗ୍ରାମବାସୀ ଓ ସାଧୁ ଭକ୍ତ ମାନଙ୍କ ସହଯୋଗରେ ସିଦ୍ଧ ରତ୍ନକୁଟିର ଆଶ୍ରମ ଟୋଲବ୍ରାହ୍ମଣୀ ଠାରେ ମାର୍ଚ୍ଚ ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ବ୍ରହ୍ମଯଜ୍ଞ ଓ ମହିମା ମେଳା ମହୋତ୍ସବ-୨୦୨୪ ଅନୁଷ୍ଠିତ ହେବ। ଏଥିରେ ଯାଜ୍ଞିକ ଭାବେ ମହିମା ସମାଜ ଲତା ଆଶ୍ରମ ପରିଚାଳନା ସମିତିର ସଭାପତି ବ୍ରହ୍ମ ଅବଧୂତ ଭଗବାନ ବାବା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଅନେକ ମହିମା ସାଧୁ ଓ ତ୍ୟାଗିବୃନ୍ଦ ଯଜ୍ଞ ପରିଚାଳନାରେ ସହଯୋଗ କରିବେ। ମାର୍ଚ୍ଚ ୨୩ ଶନିବାର ସକାଳ ୭ଟାରେ କଳସ ଯାତ୍ରା, ପୂର୍ବାହ୍ନ ୧୦ଟାରେ ଧୂନୀ ସ୍ଥାପନ, ଅଖଣ୍ଡ ବତୀ ପ୍ରଜ୍ବଳନ ଓ ଆଠ ଭଜନ, ଅପରାହ୍ନ ୨ଟାରେ ପ୍ରବଚନ, ସନ୍ଧ୍ୟା ୭ଟାରେ ଆଠ ଭଜନ, ରାତ୍ର ୯ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ବଲାଙ୍ଗୀର ଜିଲ୍ଲା ରଏନମାଲର ମିକ୍ଚର ରାମାୟଣ – ରାମ ବନବାସ ପରିବେଷିତ ହେବ। ମାର୍ଚ୍ଚ ୨୪ ତାରିଖ ରବିବାର ସକାଳ ୭ ଘଣ୍ଟାରେ ପ୍ରବଚନ, ଅପରାହ୍ନ ୨ଘଣ୍ଟା ପ୍ରବଚନ, ସନ୍ଧ୍ୟା ୭ଟାରେ ଆଠ ଭଜନ ଓ ରାତ୍ର ୯ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ସେହିପରି ଭାବେ ମାର୍ଚ୍ଚ ୨୫ ସୋମବାର ବ୍ରହ୍ମ ମୁହୂର୍ତ୍ତରେ ପଣାପାଣି ଅର୍ପଣ, ସକାଳ ୬ଟାରେ ବାଲ୍ୟ ଭୋଜନ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ସିଦ୍ଧ ରତ୍ନକୁଟୀର ଆଶ୍ରମ ପକ୍ଷରୁ ସୂଚନା ଦିଆଯିବା ସହ ଏଥିରେ ଯୋଗଦାନ କରି ଅଲେଖ ମହିମା ପ୍ରଭୁଙ୍କର କୃପା ଭାଜନ ହେବା ସଙ୍ଗେ ସଙ୍ଗେ ପୁଣ୍ୟାର୍ଜନ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.