ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ଆନ୍ତର୍ଜାତୀୟ ଅର୍ଥନୈତିକ ସମ୍ପର୍କ ଉପରେ ଅନୁସନ୍ଧାନ ପାଇଁ ଭାରତୀୟ ପରିଷଦର ବୁଝାମଣାପତ୍ର ସ୍ଵାକ୍ଷରିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀମାନଙ୍କୁ ନୂତନ ବିଷୟବସ୍ତୁକୁ ନେଇ ଗବେଷଣା ଦିଗରେ ଉତ୍ସାହିତ କରିବାର ପ୍ରୟାସ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ‘ଆନ୍ତର୍ଜାତୀୟ ଅର୍ଥନୈତିକ ସମ୍ପର୍କ ଉପରେ ଅନୁସନ୍ଧାନ ପାଇଁ ଭାରତୀୟ ପରିଷଦ’, (ନୂଆଦିଲ୍ଲୀ) ର ଏକ ବୁଝାମଣାପତ୍ର ସ୍ଵାକ୍ଷର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସଙ୍କ ଉପସ୍ଥିତିରେ ଆଇ.ସି.ଆର.ଆଇ.ଈ.ଆର ତରଫରୁ ଦୀପକ ମିଶ୍ରା, ମାନସୀ କେଡ଼ିଆ, ଆରତୀ ରେଡି, କ୍ରୀତିକା ରାମନାଥ ପ୍ରମୁଖ ଏହି ସ୍ଵାକ୍ଷର ବୈଠକରେ ଯୋଗଦେଇଥିଲେ। ଏହି ବୁଝାମଣାପତ୍ର ସ୍ଵାକ୍ଷରର ମୁଖ୍ଯ ଉଦ୍ଦେଶ୍ୟ ହେଉଛି ଗବେଷଣାତ୍ମକ ସନ୍ଦର୍ଭ, ସେମିନାର ମାଧ୍ୟମରେ ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ପାରସ୍ପରିକ ସୂଚନା ତଥ୍ୟର ଆଦାନପ୍ରଦାନ ଏବଂ ଓଡିଶାରେ ଆଇ.ସି.ଆର.ଆଇ.ଈ.ଆର ଦ୍ୱାରା ପରିଚାଳିତ ପ୍ରାସଙ୍ଗିକ ବିଶ୍ଳେଷଣରେ ଅଂଶଗ୍ରହଣ ମାଧ୍ୟମରେ ନୀତି ଅନୁସନ୍ଧାନରେ ସମସାମୟିକ ତଥା ଉଦୀୟମାନ ବିକାଶ ଉପରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ କ୍ଷେତ୍ର ପ୍ରଦାନ କରିବା । ଆଇ.ସି.ଆର.ଆଇ.ଈ.ଆର ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଅନୁସନ୍ଧାନ ସହ ସଂଯୋଜିତ କରି ପ୍ରକୃତ ବିଶ୍ୱ ଅଭିଜ୍ଞତାକୁ ଲୋକଲୋଚନକୁ ଆଣିବା ସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ଅନୁସନ୍ଧାନ ସଂଲଗ୍ନ କରିବା ଏବଂ ଏହାର ଆଖପାଖ ସମ୍ପ୍ରଦାୟ ସହିତ ଯୋଗାଯୋଗ ମାଧ୍ୟମରେ ସୁଯୋଗ ପ୍ରଦାନ କରିବା ଲକ୍ଷ୍ଯ ନେଇ ଏହି ବୁଝାମଣାପତ୍ରର ସ୍ଵାକ୍ଷର ବୈଠକରେ ଆଲୋଚନା କରାଯାଇଥିଲା। ଏଥି ସହିତ ଆଇ.ସି.ଆର.ଆଇ.ଈ.ଆର ଆବଶ୍ୟକତା, ଉପଯୁକ୍ତତା ଏବଂ ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତାକୁ ଆଧାର କରି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଣ୍ଟର୍ନସିପ୍ ସୁଯୋଗ ବିଷୟରେ ବିଚାର କରିବା ନେଇ ଉଲ୍ଲେଖ କରାଯାଇଅଛି। ଏଥିସହ “ୟୁ.ପି.ଆଇ ଆକ୍ସେସିବିଲିଟି ସୁବିଧାଜନକ ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ” ବିଷୟ ଉପରେ ଏକ ଅଧ୍ୟୟନ ପାଇଁ ଦୁଇ ଅନୁଷ୍ଠାନର ସହଯୋଗାତ୍ମକ ପାଇଲଟ୍ ସର୍ଭେକୁ ବିଶ୍ବବିଦ୍ୟାଳୟର ନିକଟସ୍ଥ ଦୁଇଟି ଗ୍ରାମ / ସହରରେ କାର୍ଯ୍ୟକାରୀ କରାଯିବା ନେଇ ସ୍ଥିର ହୋଇଅଛି । ଷ୍ଟେଟ୍ ଅଫ୍ ଇଣ୍ଡିଆର ଡିଜିଟାଲ୍ ଇକୋନୋମି (SIDE) ରିପୋର୍ଟ ଉପରେ ଆଇ.ସି.ଆର.ଆଇ.ଈ.ଆରବିଶେଷଙ୍କ ମାନଙ୍କ ଦ୍ୱାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଦକ୍ଷତା ବିକାଶ ପାଇଁ ତଥା କ୍ୟାରିୟର ଗଠନ ଏବଂ ଚାକିରି ଅନୁସନ୍ଧାନ ସଂପର୍କରେ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ସ୍ଥାପନର ସୁଯୋଗ ଲାଭ ମିଳିବା ନେଇ ଆଶାପୋଷଣ କରାଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉପସ୍ଥିତ ବିଭିନ୍ନ ବିଭାଗ ମୁଖ୍ଯଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଏହି ବୁଝାମଣାପତ୍ରର ମୁଖ୍ଯ ଉଦ୍ଦେଶ୍ଯ ସଫଳ ରୂପାୟନ ନେଇ ଆଶାବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.