ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଖେଇ ଆସୁଛି ନିର୍ବାଚନ। ନର୍ଲା ନିର୍ବାଚନ ମଣ୍ଡଳୀରେ ସମସ୍ତ ପ୍ରାର୍ଥୀ ପ୍ରଚାର କାର୍ଯ୍ୟ ଯୋରେସାର ଭାବରେ ଚଳାଇଛନ୍ତି। ଏହି କ୍ରମରେ ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ ନାଏକ ମଧ୍ୟ ଅଟୋ ରିକ୍ସା ଚିହ୍ନରେ ବିପୁଳ ସଂଖ୍ୟକ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରାଇ ନର୍ଲାର ବିକାଶ ପଥରେ ସାରଥି ହେବାକୁ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି। ନର୍ଲା ବ୍ଲକ ଅଧିନସ୍ଥ ଜୁର୍କାଭଟା ଗ୍ରାମରୁ ସେ ଆଜି ତାଙ୍କର ପ୍ରଚାର ଆରମ୍ଭ କରିଥିଲେ। ସମ୍ବଲପୁରୀ ଗୀତର ଛନ୍ଦରେ ତାଙ୍କ ଭୋଟ ପ୍ରଚାର ଗୀତ ସମସ୍ତଙ୍କ ମନ ମୋହୁଥିବା ସମର୍ଥକ ମାନେ ପ୍ରକାଶ କରିଛନ୍ତି। ଜୁର୍କାଭଟା, ଗୋରକେଲ, ବାଲସିଙ୍ଗା, କୁର୍ମେଲ, ଡେଙ୍ଗସର୍ଗି ତୁଳାପଡା, ଭାନପୁର, ବାଲିପଡା ଏଭଳି ୧୪ ଖଣ୍ଡ ଗାଁରେ ତାଙ୍କର ପ୍ରଚାର ହୋଇଥିଲା। ସେ ଗାଁ ଗାଁ ବୁଲି ପ୍ରଚାର କରୁଥିବା ବେଳେ ପ୍ରତି ଦୁଆର ମୁହଁରେ କଳସ ସ୍ଥାପନା କରି ତାଙ୍କୁ ବନ୍ଦାପନା କରି ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ‘ମୋ ଉପରେ ଲୋକଙ୍କ ବିଶ୍ୱାସ ଓ ଭରଷା ରହିଛି। ମୁଁ ଦୀର୍ଘ ୩୦ ବର୍ଷ ଧରି ସଙ୍ଗଠନ ଗଢିଛି। ନର୍ଲା ମାଟିର ସନ୍ତାନ ଭାବରେ ମୋତେ ନିର୍ବାଚିତ କଲେ ମୁଁ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାମ କରିବି ଏ ବିଶ୍ୱାସ ମୋ ଉପରେ ଲୋକଙ୍କ ରହିଛି। ଏଣୁ ବିପୁଳ ଭୋଟରେ ମୋର ବିଜୟ ହେବ’ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସ୍ୱାଧିନ ପ୍ରାର୍ଥୀ ଶ୍ରୀ ନାଏକ।