ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚାନ୍ଦିପୁର ସମୁଦ୍ରତଟରୁ ସଂଗ୍ରହ ହେଲା ୧.୨୦ ଟନ୍ ବର୍ଜ୍ୟବସ୍ତୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭାରତର ୨୩ଟି ସମୁଦ୍ର କୂଳରେ ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୂଳ ପରିଷ୍କାର ଅଭିଯାନ କାର୍ଯ୍ୟକ୍ରମ କରାଯାଇଥାଏ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ ବିଭାଗ, ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବା ଏନ.ଏସ.ଏସ ୟୁନିଟ୍ ଓ ସେଣ୍ଟର ଫର ମେରାଇନ୍ ବାୟୋରସୋର୍ସ ଏବଂ ବାୟୋମ୍ୟାନେଜମେଣ୍ଟ ଦ୍ୱାରା ଚାନ୍ଦିପୁର ସ୍ଥିତ ସମୂଦ୍ରକୂଳରେ ଏହି ଅଭିଯାନଟି ଅନୁଷ୍ଠିତ ହୋଇଯାଇଛି।

ଓସନ୍ ସୋସାଇଟି ଅଫ୍ ଇଣ୍ଡିଆ, ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ପ୍ୟାନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମଟି ସଂଯୋଜିତ ହୋଇଛି। ଏହି ଅଭିଯାନର ଜାତୀୟ ସଂଯୋଜକ ଭାବେ ପ୍ରଫେସର କେ ଭି ଜୟଚନ୍ଦ୍ରନ୍ ଓ ଚାନ୍ଦିପୁର ଅଞ୍ଚଳର ସ୍ଥାନୀୟ ସଂଯୋଜକ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଡ଼କ୍ଟର ସ୍ମୃତିରେଖା ସାହୁ ଦାୟିତ୍ବ ନିର୍ବାହ କରୁଛନ୍ତି।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଆଜି ପ୍ରାତଃ ସମୟରେ ବିଶ୍ବବିଦ୍ୟାଳୟର ନୂଆପାଢୀ କ୍ୟାମ୍ପସରୁ ଏହି ଅଭିଯାନ ଆରମ୍ଭ ହୋଇ, ବିଶ୍ବ ମହାସାଗର ଦିବସ ଅବସରରେ ଚାନ୍ଦିପୁର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବାର ପ୍ରୟାସ ନେଇ ଓ ସଫେଇ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବାର ଲକ୍ଷ୍ଯ ନେଇ ମୋଟ ୬୦ ଜଣ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ, ୨୦ରୁ ଊର୍ଦ୍ଧ୍ବ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନେକ ଅଣଶିକ୍ଷକ କର୍ମଚାରୀ ଏକତ୍ରିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ
ପ୍ରଫେସର ଭାସ୍କର ବେହେରା, ବିତ୍ତ ନିୟନ୍ତ୍ରକ କରନ ସୋରେନ୍, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡ଼କ୍ଟର ଅମୁଲ୍ଯ କୁମାର ଆଚାର୍ଯ୍ୟ, ଭୂବିଜ୍ଞାନ ବିଭାଗ ମୂଖ୍ଯ ଡ଼କ୍ଟର ରୋଜାଲିନ୍ ଦାସ, ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ, ଶ୍ରୀ ଅରୁଣ କୁମାର ନାୟକ, ସବିତା ସୋରେନ୍, ଡ଼କ୍ଟର ପ୍ରତିମା ପ୍ରଧାନ, ଡ଼କ୍ଟର ଦେବଦତ୍ତ ଦାସ, ଡ଼କ୍ଟର ମିନତି ମିଶ୍ର ଆଦି ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ବେଳାଭୂମିକୁ ଓ ସାମୁଦ୍ରିକ ଜୀବଙ୍କୁ ପ୍ଲାଷ୍ଟିକ ପ୍ରଦୂଷଣ ଠାରୁ ରକ୍ଷାକରିବା ପାଇଁ ସଚେତନତାର ବାର୍ତ୍ତା ଦେବା ସହ ଏହି ଅଭିଯାନରେ ସମସ୍ତଙ୍କୁ ସାମିଲ କରିବାକୁ ଉତ୍ସାହିତ କରିଥିଲେ।

ଏଥିସହିତ ଏହିପରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦଙ୍କ ଉପସ୍ଥିତି ଓ ଯୋଗଦାନକୁ କୁଳପତିଙ୍କ ସହ ଅନ୍ଯାନ୍ଯ ସଦସ୍ୟମାନେ ପ୍ରଶଂସା କରିଛନ୍ତି। ସମସ୍ତଙ୍କ ପ୍ରୟାସରେ ସମୁଦ୍ର କୂଳରୁ ସମୁଦାୟ ୧.୨୦ ଟନ୍ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ଡମ୍ପିଂ କରାଯାଇଛି। ସମୂଦ୍ରକୁ ସଫା ରଖିବା ଏକ ସାମୂହିକ କାର୍ଯ୍ୟ ତଥା ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ସ୍ଲୋଗାନ ଦିଆଯିବା ସହ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଏଥିନେଇ ଦାୟିତ୍ବବୋଧ ସୃଷ୍ଟିର ପ୍ରଯତ୍ନ କରାଯାଇଛି। ଏହି ପ୍ରକାରର କାର୍ଯ୍ୟକ୍ରମ ଦ୍ବାରା ଜନସଚେତନତା ବୃଦ୍ଧି ପାଇବ ଓ ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ର ତଥା ସାମୂହିକ ଜୀବଜଗତ ସୁରକ୍ଷିତ ହୋଇପାରିବେ ନେଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.