କେବେ ହେବ ଦାଦନ ସମସ୍ୟାର ଅନ୍ତ: ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦାଦନ ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ ଏହାର ସଠିକ୍ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ତେବେ ଅନେକ ଥର ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ପୁଣିଥରେ ସମାନ ଘଟଣା ସାମ୍ନାକୁ ଆସିଛି। କୋକସରା ଥାନା ଜଲତାମୁଣ୍ଡା ଗ୍ରାମର ଜଣେ ଶ୍ରମିକ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡିଛି। ମୃତ ଶ୍ରମିକ ଗ୍ରାମର କ୍ଷିରସିନ୍ଧୁ ନିଆଲ(୨୮) ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଗତ ସପ୍ତାହ ତଲେ କ୍ଷିରସିନ୍ଧୁ ଗ୍ରାମର କିଛି ଲୋକଙ୍କ ସହିତ ଦାଦାନ ଖଟିବାକୁ ଯାଇ ସୁଦୁର ହାଇଦ୍ରାବାଦ ସହରର ଜୁବଲିହିଲ ଠାରେ ଶ୍ରମିକ ଭାବରେ ଏକ ବିଲ୍ଡିଂ କାର୍ଯ୍ୟରେ ନିୟୋଜିତ ରହିଥିଲେ। ତେବେ ସୋମବାର ମଧ୍ୟାହ୍ନରେ କାମ କରୁଥିବା ସମୟରେ ହଠାତ୍ ସେଟ୍ରିଂ ଭୁଷୁଡି ପଡିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସାଥି ଶ୍ରମିକ ମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରୋଜଗାରିଆ ପୁଅର ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିବାବେଳେ ଏହି ଖବର ପ୍ରଚାରିତ ହେବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଜୁବଲିହିଲ ସ୍ଥିତ ଏକ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତ କ୍ଷିରସିନ୍ଧୁଙ୍କ ଶବ ନିଜ ଭିଟାମାଟିକୁ ମଙ୍ଗଳବାର ଦିନ ଫେରିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। କ୍ଷିରସିନ୍ଧୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁକାନ୍ତି ସହ ଦୁଇ ନାବାଳକ ଲକ୍ଷ୍ମୀକାନ୍ତ (୬) ଓ ମନିଷ ନିଆଲ(୩) ପରିବାରରେ ରହିଛନ୍ତି। ଏକମାତ୍ର ରୋଜଗାରିଆ ବ୍ୟକ୍ତିର ଅଚାନକ ମୃତ୍ୟୁ ଖବରକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.