ପରିବହନ ବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଚିତ୍ର
ସୋନପୁର,୬/୭ : ଯାତ୍ରୀଙ୍କ ସୁରକ୍ଷା ଓ ଗମନାଗମନରେ ସୁବିଧା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାଜପଥରେ ସରକାର ବସ୍ ଚଳାଉଛନ୍ତି । ମାତ୍ର ପରିଚାଳନା ବିଭାଗର ଅବହେଳା ଯୋଗୁଁ ଏହି ସବୁ ରକ୍ଷଣାବେକ୍ଷଣ ଠିକ ଭାବରେ ହୋଇପାରୁନାହିଁ । ଫଳରେ ଦିନ ଦିନ ଧରି ବନ୍ଦ ହୋଇଯାଉଛି ସରକାରୀ ବସ୍ ସେବା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ ପରିବହନ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀର ମୁର୍ଷୁଣ୍ଢି ଗ୍ରାମରୁ ବାହାରି ବିଏମ୍ ପୁର-ରକ୍ସା-ଉଲୁଣ୍ଡା-ଧମା ରାସ୍ତା ଦେଇ ପ୍ରତ୍ୟେକ ଦିନ ସମ୍ବଲପୁରକୁ ସରକାରୀ ବସ (ଓଆର-୧୭- ଏଜ-୯୫୨୧) ଯିବାଆସିବା କରୁଥିଲା । ମାତ୍ର ୫ ଦିନ ହେବ ଖରାପ ହୋଇ ବୀରମହାରାଜପୁର ବସ୍ ରହଣି ସ୍ଥାନରେ ଅଟକି ରହିଛି । ଫଳରେ ଏହି ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବେସରକାରୀ ବସ୍ ରେ ଯିବା ଅପେକ୍ଷା ଏହି ବସ୍ ରେ ଗଲେ ଯାତ୍ରୀଙ୍କୁ କମ ଟଙ୍କା ଦେବାକୁ ପଡୁଥିଲା । ଅନ୍ୟପଟେ ବସଟି କୌଣସି ସ୍ଥାନରେ ନରହି ବୀରମହାରାଜପୁରରୁ ସିଧାସଳଖ ସମ୍ବଲପୁର ଯାଉଥିବାରୁ ଯାତାୟତ ପାଇଁ ଯାତ୍ରୀଙ୍କୁ ଅଧିକ ସମୟ ନଷ୍ଟ କରିବାକୁ ପଡୁନଥିଲା । ସେହିରି ବସ୍ଟି ଉଲୁଣ୍ଡାରେ ସକାଳ ୯.୩୦ରେ ପହଞ୍ଚୁଥିବାରୁ କଲେଜ ଛାତ୍ରଛାତ୍ରୀ ଏହାରି ଉପରେ ନିର୍ଭର କରୁଥିଲେ । ମାତ୍ର ବସ୍ ସେବା ବନ୍ଦ ହୋଇଯିବାରୁ ଛାତ୍ରଛାତ୍ରୀ ଯାତାୟତରେ ଅଧିକ ଖର୍ଚ୍ଚାନ୍ତରେ ପଡୁଥିବା ଦେଖାଦେଇଛି । ବୀରମହାରାଜପୁରରୁ ସମ୍ବଲପୁରକୁ ଚାଲିଥିବା ଗୋଟିଏ ମାତ୍ର ସରକାରୀ ବସ୍ ସେବା ବନ୍ଦ ହୋଇଯିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରି ସ୍ଥିତିରେ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସଂଖ୍ୟକ ବସ ଚଳାଇବା ନେଇ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ବାସ୍ତବିକତାର ରୂ ନେଇ ପାରିବ ନା କେବଳ ପ୍ରତିଶ୍ରୁତିରେ ଅଟକି ଯିବ ସେନେଇ ଲୋକଙ୍କ ଭିତରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି ।