ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ତଥା ଦକ୍ଷିଣ ଓଡ଼ିଶାର ଆଦି ଶକ୍ତି ମାଁ ତାରାତାରିଣୀଙ୍କ ପୀଠରୁ ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ମାଁ ଙ୍କର ଦୁଇଟି ରୁପା ମୁଖ, ମୁକୁଟ ସାଙ୍ଗକୁ ୨ ଗୋଟି ଛତା ଏବଂ ମନ୍ଦିର ଗର୍ଭ ଗୃହରେ ଥିବା ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୁରୁଷୋତ୍ତମପୁର ଏସଡ଼ିପିଓ ରଜନୀ କାନ୍ତ ସାମଲ, ଥାନା ଅଧିକାରୀ ବିପିନ ବିହାରୀ ହୋତା, ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରତି ଦିନ ଭଳି ଗତକାଲି ରାତିରେ ମଧ୍ଯ ମାଁଙ୍କର ପହଡ ପକା ନିତି ସମ୍ପର୍ଣ୍ଣ ପରେ ମନ୍ଦିର ବନ୍ଦ କରା ଯାଇଥିଲା।
ଆଜି ପୂଜକ ସକାଳ ୫ ଘଣ୍ଟା ସମୟରେ ମାଁଙ୍କ ପହଢ ଖୋଲିବାକୁ ଯାଇ ଏଭଳି ଦୃଶ୍ଯ ଦେଖି ସେ ରାତ୍ର ଜଗୁଆଳି କାଳିଆ ନାୟକକୁ ଡ଼ାକି ଏବିଷୟରେ ପଚାରିଥିଲେ। ତେବେ କାଳିଆ ମନ୍ଦିର ବେଢା ବାହାରେ ଶୋଉଥିବାରୁ କୌଣସି ଶବ୍ଦମଧ୍ୟ ଶୁଣି ପାରିନଥିଲେ ବୋଲି କହିଛନ୍ତି। ଏହାପରେ ପୂଜକ ଓ ସୁଦାମ ରଣା ପୋଲିସକୁ ଖବର ଦେଇ ଥିଲେ। ଘଟଣା ସ୍ଥଳରେ ପୋଲିସ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ତେବେ ତଦନ୍ତ ପରେ ସବୁକିଛି ଜଣା ପଡିବ ବୋଲି ଏସଡିପିଓ ରଜନୀକାନ୍ତ ସାମଲ ଓ ଛତ୍ରପୁର ଉପଜିଲ୍ଲାପାଳ ପାର୍ଥ ସାରଥୀ ହଂସଦା, ଓମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି ସୂଚନା ଦେଇଛନ୍ତି। ପରେ ଛତ୍ରପୁର ଏସପି ଶୁଭେନ୍ଦୁ କୁମାର ପାତ୍ର, ମନ୍ଦିରରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି। ତଦନ୍ତ ସମୟରେ ମନ୍ଦିର ସେବାୟତ ସଭାପତି ତପନ କୁମାର ରଣା, ମୁଖ୍ୟ ପୂଜକ ବାପୁଜୀ ରଣାଙ୍କ ସମେତ ଜଗନ୍ନାଥ ରଣା, ଦୁର୍ଗା ରଣା, ସନାତନ ରଣା ଏବଂ ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ।