“କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ” : ରାଜ୍ୟସ୍ତରୀୟ ମତଦାତା ସଚେତନତା ପ୍ରତିଯୋଗିତା

• ସ୍ଲୋଗାନ, ସ୍କିଟ୍ ଓ ରିଲ୍ ମେକିଂରେ ଦିଆଯିବ ଆକର୍ଷଣୀୟ ନଗଦ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ମତଦାତା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ “କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବେ ନାହିଁ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ମତଦାତା ସଚେତନତା ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତା ୩୦ ମଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ସ୍ଲୋଗାନ ପ୍ରତିଯୋଗିତା, ସ୍କିଟ୍ (ଲଘୁ ନାଟିକା) ପ୍ରତିଯୋଗିତା ଏବଂ ରିଲ୍ ମେକିଂ ପ୍ରତିଯୋଗିତା ଭଳି ତିନୋଟି ବିଭାଗ ରହିଛି। ସ୍ଲୋଗାନ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହ ସ୍ଲୋଗାନକୁ ଇ-ମେଲ୍‌ ମାଧ୍ୟମରେ ପଠାଇପାରିବେ। ସ୍କିଟ୍ ପ୍ରତିଯୋଗିତାରେ ମତଦାତାଙ୍କ ଅଧିକାର ଓ ଦାୟିତ୍ୱ, ସ୍ୱତନ୍ତ୍ର ସଘନ ସଂଶୋଧନର ଗୁରୁତ୍ୱ, ଗଣନା ଫର୍ମ ପୂରଣ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତି ସମ୍ପର୍କିତ ବିଷୟ ଉପରେ ୧ରୁ ୫ ମିନିଟ୍‌ ମଧ୍ୟରେ ଭିଡିଓ ପ୍ରସ୍ତୁତ କରି ଦାଖଲ କରିବାକୁ ହେବ।

ରିଲ୍ ମେକିଂ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିଲ୍ ଅପଲୋଡ୍ କରି ନାମ ଓ ଜିଲ୍ଲା ଉଲ୍ଲେଖ କରିବା ସହ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଟ୍ୟାଗ୍ କରିବାକୁ ପଡ଼ିବ।ପ୍ରତିଯୋଗିତାର ସମସ୍ତ ଏଣ୍ଟ୍ରି ସହ ନାମ, ଠିକଣା ଓ ମୋବାଇଲ ନମ୍ବର ଉଲ୍ଲେଖ କରି deo.bls2014@gmail.com ଇ-ମେଲ୍‌ ଠିକଣାକୁ ପ୍ରେରଣ କରିବାକୁ କୁହାଯାଇଛି। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ଆକର୍ଷଣୀୟ ନଗଦ ପୁରସ୍କାର ଘୋଷଣା କରାଯାଇଛି। ସ୍ଲୋଗାନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ କ୍ରମଶଃ ୩,୦୦୦, ୨,୫୦୦ ଓ ୨,୦୦୦ ଟଙ୍କା ପ୍ରଦାନ କରାଯିବ। ସ୍କିଟ୍ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୩୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦,୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୦,୦୦୦ ଟଙ୍କା ରହିଛି। ସେହିପରି ରିଲ୍ ମେକିଂ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ କ୍ରମଶଃ ୨୦,୦୦୦, ୧୦,୦୦୦ ଓ ୫,୦୦୦ ଟଙ୍କା ନଗଦ ପୁରସ୍କାର ମିଳିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଯୁବବର୍ଗ, ଛାତ୍ରଛାତ୍ରୀ, ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏବଂ ସଚେତନ ନାଗରିକମାନଙ୍କୁ ଏହି ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ମତଦାତା ସଚେତନତା ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.