ମୂଷାନାଳ-ଭବାନୀପାଟଣା ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣରେ ଅନିୟମିତତା

ତିନି ମାସରେ ପିଚୁ ରାସ୍ତାରେ ଫାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ-ଭବାନୀପାଟଣା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ସଡ଼କ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗତ ୩ ମାସ ହେଲା ରାସ୍ତାର ପିଚୁ କାମ କରାଯାଇଥିଲା।ତେବେ ତିନି ମାସ ମଧ୍ୟରେ ଉକ୍ତ ରାସ୍ତାରୁ ଅଧିକାଂଶ ସ୍ଥାନରୁ ରାସ୍ତା ଦୁଇପାର୍ଶ୍ଵରୁ ମାଟି ଖସୁଥିବା ବେଳେ ପିଚୁ ରାସ୍ତାଟି ଫାଟି ଯାଇଥିବା ଦେଖିବାକୁ ମିଳିଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ଆଜିକୁ ୨୫ ବର୍ଷ ହେଲା ଲାଞ୍ଜିଗଡ ବ୍ଲକ ମୂଷାନାଳ-ଭବାନୀପାଟଣା ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ୨୭ କି:ମି ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ସତ୍ତ୍ବେ ୨୦୨୪ ମସିହାରେ ଏହି ରାସ୍ତା ନିର୍ମାଣ କାମଟି ଆରମ୍ଭ ହୋଇଥିଲା।ଭବାନୀପାଟଣା ଠାରୁ ମୂଷାନାଳ ରାସ୍ତାର ଦାଇତ୍ଵରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତା କାମଟି ଅତି ମନ୍ଥର ଗତିରେ ଓ ନିମ୍ନ ମାନର କାମ ହେଉଥିବା ବେଳେ କାମଟି ନିୟମିତ ଭାବରେ ନକରି ବହୁ ସ୍ଥାନରେ ଅଳ୍ପଅଳ୍ପ କାମ କରି ଛାଡି ଦେଇ ଥିଲେ।ଯାହା ଫଳରେ ବର୍ଷା ଦିନରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଗତ ୨୦୨୫ ରେ ବର୍ଷା ଦିନ ପୂର୍ବରୁ କିଛି ମାସ କାମ ବନ୍ଦ କରିବା ପରେ ପୁଣି ଥରେ କାମ ଆରମ୍ଭ ହୋଇଥିଲା। ରାସ୍ତାର କିଛି ସ୍ଥାନରେ ମେଟାଲିଙ୍ଗ କରି ଛାଡ଼ି ଦେଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଖୋଳି ଛାଡ଼ି ଦେଇଥିବା ଦ୍ୱାରା ଯାତାୟାତ କରୁଥିବା ଲୋକଙ୍କୁ ଧୂଳି ନକେ ଦମ୍ କରୁଥିଲା।ଏନେଇ ଲାଞ୍ଜି ପଞ୍ଚାୟତବାସୀ ୨୦୨୬ ମାର୍ଚ୍ଚ ମାସରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଣି କାମ ଆରମ୍ଭ ହୋଇଥିଲା। ଗତ ତିନି ମାସ ହେଲା ଏହି ରାସ୍ତାଟି ପ୍ରଥମ ପର୍ଯ୍ୟାୟରେ ମୂଷାନାଳ ଠାରୁ କାଣ୍ଡାମା ରିଜର୍ଭ ଫରେଷ୍ଟ ଜଙ୍ଗଲ ପର୍ଯ୍ୟନ୍ତ ୩ କି:ମି ପର୍ଯ୍ୟନ୍ତ ପିଚୁ ହୋଇଥିବା ବେଳେ ସେଠାରୁ ମାଚୁଲ ଜଙ୍ଗଲ ପର୍ଯ୍ୟନ୍ତ ୨ କି:ମି ରାସ୍ତା ବନ ବିଭାଗର କଟକଣା ବୋଲି ଛାଡି ଦିଆଯାଇଛି।ଦ୍ବିତୀୟ ପର୍ଯ୍ୟାୟରେ ମାଚୁଲ ଜଙ୍ଗଲ ଠାରୁ ଜାମଚୁଆଁ ପର୍ଯ୍ୟନ୍ତ ୨ କି:ମି ପିଚୁ ହୋଇଛି।ଜାମଚୁଆଁ ଠାରୁ ତେରେନାମ ଘାଟି ପର୍ଯ୍ୟନ୍ତ ରାସ୍ତାର ମଝି ଭାଗ ୧୪ କି:ମି ଛାଡ଼ିଦେଇ ତେରେନାମ ଘାଟିରୁ ଭବାନୀପାଟଣା ପର୍ଯ୍ୟନ୍ତ ୮ କି:ମି ପର୍ଯ୍ୟନ୍ତ ପିଚୁ କାମ କରାଯାଇଛି।

କିନ୍ତୁ ଅତି ନିମ୍ନମାନର କାମ ଯୋଗୁଁ ତିନି ମାସ ମଧ୍ୟରେ ରାସ୍ତାର ମୂଷାନାଳ ଆରମ୍ଭ ଆରଆଇ ଅଫିସ ନିକଟରେ ଓ ବୁଣ୍ଡେଲ ଗାଁ ପାଖରେ ପିଚୁ ରାସ୍ତାରେ ଫାଟ ଦେଇଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି। ଏହି ରାସ୍ତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଲାଞ୍ଜିଗଡ଼ ବ୍ଳକ୍ ପୂର୍ବ ବିଭାଗ ଦାୟିତ୍ଵରେ ଥିବା ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ରାସ୍ତାର ୨୭ କି:ମି ମଧ୍ୟରୁ ୨୫ କି:ମି ମୁଁ ଦେଖୁଛି। ୨ କି:ମି ରାସ୍ତା ଅନ୍ୟ ଜଣେ ଦେଖୁଛନ୍ତି ବୋଲି ପ୍ରକାଶ କରିଥିଲେ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଲାଞ୍ଜି ପଞ୍ଚାୟତ ବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.