ଇଗ୍ନୌ ପକ୍ଷରୁ ଆୟୋଜିତ ଲୋକକଳା କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ ପ୍ରଶିକ୍ଷଣ ଦେଲେ ବାଲେଶ୍ଵରର ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ତଥା ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଆୟୋଜିତ ଲୋକକଳା କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ ଆମନ୍ତ୍ରଣ କରାଯାଇଥିଲା।  ଏହି ତିନିଦିନିଆ ‘ଭାରତୀୟ ପାରମ୍ପରିକ ଓ ଲୋକକଳା କର୍ମଶାଳା’ରେ ସେ ମାର୍ଗଦର୍ଶକ ଭାବେ ଯୋଗଦେଇ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

କର୍ମଶାଳା ଅବସରରେ ଶ୍ରୀ ସାହୁ ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ର ଶୈଳୀକୁ ଆଧାର କରି ‘ରାଧା-ମାଧବ’ ଶୀର୍ଷକ ଏକ ଆକର୍ଷଣୀୟ ଚିତ୍ରକଳା ସୃଷ୍ଟି କରିଥିଲେ। ତାଙ୍କର ଏହି ସୃଜନଶୀଳ କୃତିକୁ କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ, କଳାବିଦ୍ ଓ ଛାତ୍ରଛାତ୍ରୀମାନେ ଭୂୟସୀ ପ୍ରଶଂସା କରିଥିଲେ।ଏହି କର୍ମଶାଳାରେ ଶ୍ରୀ ସାହୁଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଅନ୍ୟ ଛଅଜଣ ବିଶିଷ୍ଟ ପାରମ୍ପରିକ କଳା ବିଶେଷଜ୍ଞ ଯୋଗ ଦେଇଥିଲେ। ବିଭିନ୍ନ ଭାରତୀୟ ଲୋକକଳା ସମ୍ପର୍କରେ ଅନୁଭୂତି ବିନିମୟ ଓ ଜ୍ଞାନ ଆହରଣ କରିବାର ସୁଯୋଗ ତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ହୋଇଥିବା ସେ ପ୍ରକାଶ କରିଛନ୍ତି।

ପ୍ରଥମ ଥର ପାଇଁ ଏକ ପ୍ରମୁଖ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସର୍ବଭାରତୀୟ ସ୍ତରରେ ଆମନ୍ତ୍ରଣ ପାଇବା ସହ ଇଗ୍ନୌର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଏବଂ ଭିଜୁଆଲ ଆର୍ଟ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଲକ୍ଷ୍ମଣ ପ୍ରସାଦଙ୍କ ହାତରୁ ସମ୍ମାନିତ ହେବା ତାଙ୍କୁ ଅପାର ଆନନ୍ଦ ଦେଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଇଗ୍ନୌ କର୍ତ୍ତୃପକ୍ଷଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରତି ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ନିତ୍ୟାନନ୍ଦ ସାହୁ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ୍ ଅନ୍ତର୍ଗତ ତୁଟାପଡ଼ା ଗ୍ରାମର ବାସିନ୍ଦା। ବର୍ତ୍ତମାନ ସେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ କାର୍ଯ୍ୟରତ ରହିବା ସହ ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ନିଜର ସୃଜନଶୀଳ ଅବଦାନ ଜାରି ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.