ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର୍ ଷ୍ଟାଡିୟମ୍ ହଲ ଠାରେ ଆଜି ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶା ଯୋଗ ମହୋତ୍ସବ ସମିତି ସହଯୋଗରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଯୋଗଗୁରୁ ଆଶାଲତା ପାଣିଗ୍ରାହୀ , ଯୋଗଗୁରୁ ସୁରେନ୍ଦ୍ର ନାଥ ରଥ ଏବଂ ଯୋଗଗୁରୁ ଲୋକନାଥ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ ଆବଶ୍ୟକତା ଓ ସୁସ୍ଥ ଜୀବନଶୈଳୀ ପାଇଁ ତାର ରହିଥିବା ଉପକାରିତାର ବିଭିନ୍ନ ଦିଗ ସମ୍ପର୍କରେ କହି ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ପ୍ରାଣାୟାମ ଓ ଯୋଗାଭ୍ୟାସ ଶିକ୍ଷା କରାଇଥିଲେ । ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ”। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ , ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଏବଂ ଯୋଗଗୁରୁ ଆଶାଲତା ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଯୋଗାଭ୍ୟାସ ରେ ସାମିଲ ହୋଇ କହିଥିଲେ ଯେ , ଯୋଗ କେବଳ ଏକ ବ୍ୟାୟାମ ନୁହେଁ , ଏହା ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ପଥ। ନିୟମିତ ଯୋଗାଭ୍ୟାସ କରିବା ଦ୍ୱାରା ଶରୀରକୁ ସୁଦୃଢ଼ , ମନକୁ ଶାନ୍ତ ଓ ଜୀବନକୁ ସକାରାତ୍ମକ କରିଥାଏ । ବିଶେଷ କରି ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ଅତ୍ୟନ୍ତ ଉପକାରୀ , କାରଣ ଏହା ଶାରୀରିକ ନମନୀୟତା , ସନ୍ତୁଳନ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରନ୍ତୁ ଏବଂ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରୁହନ୍ତୁ ବୋଲି ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ।
ଏହି ଅବସରରେ ସୁସ୍ଥ ଜୀବନ ଯାପନ କରିବା ସୁସ୍ଥ ସମାଜ ଗଠନ ପାଇଁ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏସପି: ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା , ଡି ଏଫ୍ ଓ ଶ୍ରୀ କେ: ନାଗରାକୁ, ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୃଥିବୀ ରାଜ୍ ମଣ୍ଡଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ଃ ମାୟାଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାମୁହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ୫ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇ ସାମୁହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ।





