ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଶିଶୁ ଶ୍ରମ ବିରୋଧି ଅଭିଯାନ ଓଡ଼ିଶା ତରଫରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଏକ ରାଜ୍ୟ ସ୍ତରୀୟ ବାଳିକା ସମାବେଶ ଆୟୋଜିତ ହୋଇଯାଇଛି। ୩୦ ଟି ଜିଲ୍ଲାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ବାଳିକା ଏହି କାର୍ଯ୍ୟ କ୍ରମରେ ଯୋଗଦାନ କରି ଶିକ୍ଷା, ସଶକ୍ତିକରଣ ଓ ଶିଶୁ ଶ୍ରମିକ ପ୍ରଥାର ସଂପୂର୍ଣ୍ଣ ବିଲୋପ କରିବା ନେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ସମାବେଶକୁ ଅବସର ପ୍ରାପ୍ତ ହାଇକୋର୍ଟର ବିଚାରପତି ଡି.ପି. ଚୌଧରୀ ଉଦଘାଟନ କରି ଶିଶୁ ଶ୍ରମ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଉଦଘାଟନୀ ସଭାରେ ଶ୍ରମ ବିଭାଗର ବରିଷ୍ଠ କନ୍ସଲଷ୍ଟାଣ୍ଟ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ସିଏସିଏଲ ଜାତୀୟ ପୂର୍ବତନ ଆବାହକ ରଞ୍ଜନ ମହାନ୍ତି, ପୂର୍ବତନ ରାଜ୍ୟ ଆବାହକ ଉମେଶ ଚନ୍ଦ୍ର ପୁରୋହିତ ପ୍ରମୁଖ ଯୋଗଦାନ କରି ଶିଶୁ ଶ୍ରମିକ ବିଲୋପ ନେଇ ନିଜର ମତାମତ ପ୍ରକାଶ କରିଥିଲେ। ଶିଶୁ ଶ୍ରମ ମୁକ୍ତ ଓ ବିକଶିତ ଓଡ଼ିଶା ପାଇଁ ସିଏସିଏଲ ତରଫରୁ ଏକ ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ ଗତ ଏପ୍ରିଲ୍ ୩୦ ତାରିଖରୁ ଜୁନ୍ ୧୨ ତାରିଖ ଯାଏ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଆରମ୍ଭ କରାଯାଇଥିଲା ।ରାଜ୍ୟରେ ଶିଶୁ ମାନଙ୍କୁ ଘରୋଇ କାମରେ ନିଯୁକ୍ତି, ଶ୍ରମ ପାଇଁ ଶିଶୁ ମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ଓ ସର୍ବୋପରି ବାଳିକା ଶିଶୁ ମାନେ ଏହି କ୍ଷେତ୍ରର ପ୍ରଭାବିତ ହୋଇ ଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା ବାଳିକା ମାନେ ନିଜର ସଂଘର୍ଷ ସଫଳତାର କାହାଣୀ ଉପସ୍ଥାପନ କରିବା ପରେ ମଞ୍ଚସ୍ଥ ଅତିଥି ମାନେ ନିଜର ବିଚାର ଓ ମତାମତ ଶୁଣାଇ ଥିଲେ। ଏହି ଅଧିବେଶନରେ ଶ୍ରୀଯୁକ୍ତ ଘାସିରାମ ପଣ୍ଡା, କନ୍ସଲଷ୍ଟାଣ୍ଟ ଶିଶୁ ସୁରକ୍ଷା ବିଭାଗ ୟୁନିସେଫ, ଦୁର୍ଗାମାଧବ ମିଶ୍ର, ପୂର୍ବତନ ବାର ଆସୋସିଏସନର ସଭାପତି, ଅଶୋକ ବେହେରା ବରିଷ୍ଠ ଆଇନଜୀବୀ ଅଂଶ ଗ୍ରହଣ କରି ନିଜର ମତାମତ ପ୍ରକାଶ କରିଥିଲେ। ଅପରାହ୍ନରେ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ଶିଶୁ ମଙ୍ଗଳ କମିଟିର ଅଧକ୍ଷ ମାନସ ବିଶ୍ବାଳ ଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ଜାବଦେଶ ମିଶ୍ର, ପୂର୍ବତନ ଆବାହକ ରଞ୍ଜିତ ପଟ୍ଟନାୟକ, ଉବାଚକ ମହାନ୍ତି, ହୃଷୀକେଶ ପଣ୍ଡା, ଅଜୟ କୁମାର ସାହୁ, ମିନତି ବିନ୍ଧାଣୀ, ସ୍ୱରୂପା ରାଣୀ, ପ୍ରମୁଖ ଯୋଗଦାନ କରି ଘରୋଇ ଶିଶୁ ଶ୍ରମିକ ବିଲୋପ ନେଇ ସିଏଲ ର ଏକ ସ୍ୱତନ୍ତ୍ର ଅଭିଯାନକୁ ଉଦଘାଟନ କରିଥିଲେ। ଶିଶୁ ଶ୍ରମ ବିରୋଧି ଅଭିଯାନର ରାଜ୍ୟ ଆବାହକ ସୁକାନ୍ତ ନାୟକ, ସହ ଆବାହକ ପ୍ରସନ୍ନ ମିଶ୍ର, ଜିଲ୍ଲା ଆବାହକ ଓ ଜୋନ ସ୍ତରୀୟ ଆବାହିକା ଆବାହକ ମାନେ ଯୋଗଦାନ କରି ସଭାକାର୍ଯ୍ୟକୁ ସୁପରିଚାଳନା କରିଥିଲେ। ଆଗାମୀ ଦିନରେ ଘରୋଇ ଶିଶୁ ଶ୍ରମିକ ନିଯୁକ୍ତି ଓ ଶ୍ରମ ପାଇଁ ଶିଶୁ ଚାଲାଣର ସଂପୂର୍ଣ୍ଣ ବିଲୋପ ନେଇ ଏକ ସ୍ୱତନ୍ତ୍ର ଅଭିଯାନର ଆବଶ୍ୟକତା ରହିଛି ବୋଲି ଆବାହକ ସୁକାନ୍ତ ନାୟକ ପ୍ରକାଶ କରିଥିଲେ।





