ଛତୁଆ ଶ୍ମଶାନରେ ବସିଲା ଆଧୁନିକ ଆଲୁମିନିୟମ୍ ଚୁଲା: ୫୦ ପ୍ରତିଶତ କମ୍ କାଠରେ ହେବ ଶବଦାହ

• ଉପକୃତ ହେବେ ୮ ଗ୍ରାମ ସମେତ ସହରାଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହର ଉପକଣ୍ଠ ଟୋଲଙ୍କସାହି ସ୍ଥିତ ଛତୁଆ ଶ୍ମଶାନରେ ଦୁଇଟି ଆଧୁନିକ ଆଲୁମିନିୟମ୍ ଶବଦାହ ଚୁଲା ସ୍ଥାପନ କରାଯାଇଛି। ଏହା ଫଳରେ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ କାଠର ପରିମାଣ ପ୍ରାୟ ୫୦ ପ୍ରତିଶତ କମିବା ସହ ଶବଦାହ ଖର୍ଚ୍ଚ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହି ବ୍ୟବସ୍ଥା ଆଖପାଖର ୮ଟି ଗ୍ରାମ ଓ ସହରାଞ୍ଚଳର ଲୋକଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ସମାଜସେବୀ ମନୋଜ କୁମାର ରାଉତ ଓ ରବିନ୍ଦ୍ର ସାହାଣୀଙ୍କ ଆର୍ଥିକ ସହଯୋଗରେ ଏହି ଦୁଇଟି ଚୁଲା ସ୍ଥାପନ କରାଯାଇଛି। ଅଞ୍ଚଳରେ ଶବଦାହ ସେବାକୁ ଅଧିକ ସୁବିଧାଜନକ, ସମୟୋପଯୋଗୀ ଓ କମ୍ ଖର୍ଚ୍ଚସାଧ୍ୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ଦୀର୍ଘଦିନ ଧରି ଛତୁଆ ଶ୍ମଶାନ ମଠସାହି, ଟୋଲଙ୍କସାହି, ମଲ୍ଲିକାଶପୁର, ବୈରାମନଗର, ମାକଲପୁର, କାଶୀମାବାଦ, ନଲମଗଞ୍ଜ ଓ ଭୋଇସାହି ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଅନ୍ତିମ ସଂସ୍କାରର ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିଆସୁଛି। ପ୍ରତିବର୍ଷ ଏଠାରେ ବହୁ ସଂଖ୍ୟକ ଶବଦାହ କାର୍ଯ୍ୟ ସମ୍ପନ୍ନ ହେଉଥିବା ବେଳେ ପାରମ୍ପରିକ ପଦ୍ଧତିରେ ଅଧିକ କାଠ ବ୍ୟବହାର ହେତୁ ଅନେକ ପରିବାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ୁଥିଲା। ନୂତନ ଆଲୁମିନିୟମ୍ ଚୁଲା ବ୍ୟବହାର ଦ୍ୱାରା କାଠର ଆବଶ୍ୟକତା ଅଧାକୁ କମିଯିବ। ଏହା ଫଳରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ଉପରେ ଥିବା ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ। ବିଶେଷକରି ବର୍ଷା ଋତୁରେ କାଠ ଭିଜିଯିବା, ନିଆଁ ଜଳିବାରେ ବିଳମ୍ବ ହେବା ଓ ଶବଦାହ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ଫଳରେ ଯେକୌଣସି ଋତୁରେ ଅନ୍ତିମ ସଂସ୍କାର କାର୍ଯ୍ୟ ଅଧିକ ସୁବିଧାଜନକ ହୋଇପାରିବ। ପରିବେଶ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ଚୁଲାର ଗୁରୁତ୍ୱ ରହିଛି।

କମ୍ କାଠ ବ୍ୟବହାର ହେବା ଫଳରେ ଗଛ କାଟିବାର ଆବଶ୍ୟକତା ହ୍ରାସ ପାଇବ ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ସହାୟକ ହେବ ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଛତୁଆ ଶ୍ମଶାନରେ ଏଭଳି ଆଧୁନିକ ସୁବିଧା ଯୋଡ଼ାଯିବା ଦୀର୍ଘଦିନର ଦାବି ଥିଲା। ସମାଜସେବୀମାନଙ୍କ ଏହି ଉଦ୍ୟମ କେବଳ ଶ୍ମଶାନର ପରିବେଶକୁ ଉନ୍ନତି କରିନାହିଁ, ବରଂ ଜନସେବା କ୍ଷେତ୍ରରେ ଏହା ଏକ ଉଦାହରଣ ସୃଷ୍ଟି କରିଛି। ଚୁଲା ସ୍ଥାପନ କାର୍ଯ୍ୟକ୍ରମରେ ମାନସ ରଞ୍ଜନ ଭୋଇ, ମହେଶ୍ୱର ତାଲଦୀ, ରବି ନାରାୟଣ ରାଓ, ବୀରେନ୍ଦ୍ର ସେଠୀ, ପ୍ରାଣବନ୍ଧୁ ମହାପାତ୍ର, ଅକ୍ଷୟ ଦାସ, ପର୍ଶୁରାମ ଚାନ୍ଦ, ବିଶ୍ୱନାଥ ସେଠୀ, ସଞ୍ଜୟ ପାହାଡ଼ି, ନବଜୀବନ ଭୋଇଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ। ସେମାନେ ଏହି ପଦକ୍ଷେପକୁ ଜନହିତକର ଓ ସମୟୋପଯୋଗୀ ବୋଲି ଅଭିହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.