ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ବଲାଙ୍ଗୀର ଜିଲ୍ଲା ବନ୍ଧପଡା କୁ ନୂତନ ବ୍ଲକ ମାନ୍ୟତା ନେଇ ଦାବି ଉଠିଛି। ଏ ନେଇ ଏକ ବୈଠକ ଅନୁଷ୍ଠିତ କରାଯାଇଛି। ରାଜ୍ୟ ର ବିଭିନ୍ନ ବ୍ଲକକୁ ବିଭାଜନ କରି ସରକାର ନୂତନ ବ୍ଲକ ଗଠନ ସମ୍ପର୍କୀୟ ଖବର ପ୍ରଚାର ହେବା ପରେ ଏବେ ଅନେକ ପଂଚାୟତ ବ୍ଲକ ମାନ୍ୟତା ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଦେଓଗାଁ ବ୍ଲକ 26ଟି ପଂଚାୟତ ଓ 2ଟି ଜିଲାପରିଷଦ ଜୋନକୁ ନେଇ ଗଠିତ। ଉଭୟ ଜୋନ ରେ 13ଟି ଲେଖାଏଁ ପଂଚାୟତ ଥିବା ବେଳେ 12ନୁମ୍ବର ଜୋନରେ ଡ଼ୁମେରପିଟା, ଦେଶଣ୍ଢ, ସିଙ୍ଗାମୁଣ୍ଡା, ଲଣ୍ଡାପଥର, ଧଣ୍ଡାମାଲ, ଆଦି ପଂଚାୟତ ର ଜନସାଧାରଣ ଦେଓଗାଁ କୁ ଆସିବା ପାଇଁ ଅନେକ ଅନେକ ଅସୁବିଧା ର ସମୁଖୀନ ହେଉଛନ୍ତି। ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। 12ନୁମ୍ବର ଜୋନ ର ମୁଖ୍ୟ ପେଣ୍ଠସ୍ଥଳୀ ହେଉଛି ବନ୍ଧପଡା ଓ ସେଠାରେ ପୋଲିସ ଫାଣ୍ଡି, ବ୍ୟାଙ୍କ, ଚିକିତ୍ସାଳୟ, ଆଦି ରହିଛି। ସେହିଭଳି ଡ଼ୁମେରପିଟା ରାମଚନ୍ଦ୍ରପୁର ପଂଚାୟତ ମଡ଼ା ଯୋଜନା ଭୁକ୍ତ ହୋଇଥିବାରୁ, ଏଠାରେ ନୂତନ ବ୍ଲକ କଲେ ଦେଓଗାଁ ଓ ସଦର ବ୍ଲକ ର ପ୍ରାୟ 14ଟି ପଂଚାୟତ ର ଜନସାଧାରଣ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି କମିଟି ର ଆବାହକ ତଥା ସରପଞ୍ଚ ସଙ୍ଘ ର ସଭାପତି ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧକ୍ଷ ଦୟାନିଧି ଖମାରି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶୀଲ କୁମାର ମିଶ୍ର, ସମିତି ସଭ୍ୟ କନ୍ତେସ୍ୱର ପଧାନ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀଙ୍କ ସହିତ ବିଭିନ୍ନ ପଂଚାୟତର ଜନସାଧାରଣ ଯୋଗ ଦେଇ ମତ ପ୍ରକାଶ କରିଥିଲେ।