ରମାକାନ୍ତ ରଥ ଥିଲେ ଓଡ଼ିଆ କାବ୍ୟାକାଶର ଉଜ୍ବଳ ତାରକା

ଅନୁଷ୍ଠିତ ହେଲା ‘ବହିଘର’ ଓ “ବିଦ୍ୟାଭାରତୀ” ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପ୍ରଥିତଯଶା କବି ରମାକାନ୍ତ ରଥ ଥିଲେ ଆଧୁନିକ ଓଡ଼ିଆ କାବ୍ୟାକାଶର ଉଜ୍ଜ୍ବଳତମ ନକ୍ଷତ୍ର । ମୃତ୍ୟୁଚେତନାର ପ୍ରମୁଖ ରୂପକାର ରମାକାନ୍ତଙ୍କ ଲେଖନୀ ଶେଷ ପର୍ଯ୍ୟନ୍ତ ଥିଲା ସୃଜନକ୍ଷମ ଓ ତାଙ୍କର ସୃଷ୍ଟିଗୁଡିକ ଓଡ଼ିଆ କାବ୍ୟଭଣ୍ଡାରକୁ ବହୁଭାବରେ ସମୃଦ୍ଧ କରିଛି । ଅନେକ କୋଠରୀ, ସଚିତ୍ର ଅନ୍ଧାର, କେତେ ଦିନର, ସନ୍ଦିଗ୍ଧ ମୃଗୟା, ସପ୍ତମ ୠତୁ , ସୀମାନ୍ତବାସ, ନ ଯା’ କହୁ କହୁ, ପବନରେ ଚିତ୍ରାଙ୍କନ, ସବୁଦିନେ ସେପାଖେ, ଫେରି ଚାହିଁଲା ବେଳକୁ, ଶ୍ରୀପଳାତକ ଓ ଶ୍ରୀରାଧା ଭଳି ଅନନ୍ୟ କବିତା ଓ କାବ୍ୟପୁସ୍ତକର ସ୍ରଷ୍ଟା କବି ରମାକାନ୍ତ ତାଙ୍କର ‘ଶ୍ରୀରାଧା’ ପାଇଁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ ବୋଲି ୨୧ ତାରିଖ ସନ୍ଧ୍ୟାରେ ‘ବହିଘର ସଭାଗୃହ’ରେ ପ୍ରକାଶନ ପ୍ରତିଷ୍ଠାନ ‘ବହିଘର’ ଓ ‘ବିଦ୍ୟାଭାରତୀ’ ପକ୍ଷରୁ ଆୟୋଜିତ କବି ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କବିଙ୍କୁ ଶ୍ରଦ୍ଧା ନିବେଦନ କରି ଏହା କହିଥିଲେ । ‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କବି ଶ୍ରୀଦେବ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ, ଗାଳ୍ପିକ ଉଦୟ ନାରାୟଣ ଦାସ, କବି ପ୍ରଶାନ୍ତ ଦାସ, କବି ଗଗନ ସେଠୀ, ସମାଜସେବୀ ଯାଦବେଶ ମିଶ୍ର, କବି ପୂର୍ଣ୍ଣଚନ୍ଦ୍ର ପଣ୍ଡା, କବି ଜୟନ୍ତ ହଂସରାଜ, ସିଦ୍ଧେଶ୍ବର ବିନ୍ଧାଣୀ, ପ୍ରଣିତା ମିଶ୍ର, ‘ବହିଘର’ ନିର୍ଦ୍ଦେଶିକା ମଞ୍ଜୁଲତା ବଳ, ଦେବାଶିଷ ପଣ୍ଡା, ପଦ୍ମଲୋଚନ ଦତ୍ତ, ରିତେଶ ଦାସ , ତ୍ରିନାଥ ନନ୍ଦୀ ଏବଂ ଅର୍ଦ୍ଧେନ୍ଦୁ ଶେଖର ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.