ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): “ଆଧୁନିକ ଗବେଷଣା ଏବଂ ସୀମାନ୍ତ ପଦାର୍ଥ ବିଜ୍ଞାନର ନୂତନ ଉନ୍ନତି ୨୦୨୫” ବିଷୟରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ପୋଷ୍ଟ ଗ୍ରାଜୁଏଟ ପରିଷଦର (ଭାରପ୍ରାପ୍ତ) ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପାଢ଼ୀ ଉପସ୍ଥିତ ଥିଲେ।
ଏହି ଅବସରରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ଅନୁଷ୍ଠାନର ନିର୍ଦ୍ଦେଶକ, ପ୍ରଫେସର କରୁଣା କର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ମୂଲ୍ୟବାନ ଉଦବୋଧନ ପ୍ରଦାନ କରିଥିଲେ। ଭୁବନେଶ୍ୱର ସ୍ଥିତ ନାଇଜର୍ ଅନୁଷ୍ଠାନର ପ୍ରଫେସର ଶୁଭଙ୍କର ବେଦାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଦାର୍ଥ ବିଜ୍ଞାନର ଆଧୁନିକ ଗବେଷଣାର ସୁଯୋଗଗୁଡ଼ିକ ବୁଝାଇଥିଲେ।ଏହି ସମ୍ମିଳନୀ ସଂକଳିତ ପଦାର୍ଥ ବିଜ୍ଞାନ, ନ୍ୟୁକ୍ଲିଅର ଫିଜିକ୍ସ, ଆସ୍ଟ୍-ପାର୍ଟିକଲ ଫିଜିକ୍ସ, ବ୍ରହ୍ମାଣ୍ଡ ବିଜ୍ଞାନ, କ୍ୱାଣ୍ଟମ୍ ଫିଜିକ୍ସ, ବାୟୋଫିଜିକ୍ସ, ବିକିରଣ ବିଜ୍ଞାନ ଏବଂ ବାଲିଷ୍ଟିକ୍ସ ଭଳି ଅନେକ ମୁଖ୍ୟ କ୍ଷେତ୍ର ଉପରେ ଆଧାରିତ ରହିଛି।
ସମ୍ମିଳନୀରେ ୭ଟି ପ୍ରାଯୁକ୍ତିକ ଅଧିବେଶନ ରହଥିଲା, ଯେଉଁଥିରେ ବିଶେଷ ବ୍ୟାଖ୍ୟାନ, ମୁଖ୍ୟ ବ୍ୟାଖ୍ୟାନ, ଏବଂ ଭାରତର ବିଭିନ୍ନ ପ୍ରସିଦ୍ଧ ବିଦ୍ୟାନୁଷ୍ଠାନର ଶୀର୍ଷ ଅଧ୍ୟାପକ ଏବଂ ବୈଜ୍ଞାନିକମାନଙ୍କ ଦ୍ଵାରା ଆମନ୍ତ୍ରିତ ବକ୍ତୃତା ଦିଆ ଯାଇଥିଲା। ଏଥିସହ ବିଶେଷଜ୍ଞମାନେ ଫୋଟୋକଣ୍ଡକ୍ଟର, ଜୀବ ଅଂଶୁ ଘୂର୍ଣ୍ଣନ ଗୁଣଧର୍ମ (ସ୍ପିନ୍ଟ୍ରୋନିକ୍ସ), ନ୍ୟୁକ୍ଲିଅର ଫିଜିକ୍ସ ଦ୍ଵାରା କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ତଥ୍ୟ ବିଜ୍ଞାନ, ଦ୍ୱିମାତ୍ରିକ ଫ୍ଲୋକେ ସିଷ୍ଟମ୍, ଉଚ୍ଚ ଉର୍ଜା ଭୌତିକ ଏବଂ ବ୍ରହ୍ମାଣ୍ଡ ବିଜ୍ଞାନର ନୂତନ ଅଗ୍ରଗତି, ନୂତନ ପିଢ଼ି କୃତ୍ରିମ ବୁଦ୍ଧିମତାର ବିକାଶ ପାଇଁ ଭୌତିକ ବିଜ୍ଞାନ ଏବଂ ବସ୍ତୁ ଚିହ୍ନଟ ମଧ୍ୟରେ ସମନ୍ୱୟ, ବହୁ କାର୍ଯ୍ୟକାରୀ ଅଭିଗମନ ଦ୍ଵାରା ମଲ୍ଟିଫେରୋଇକ୍ ପଦାର୍ଥର ସମ୍ଭାବନା, କାର୍ବନ୍ ଆଧାରିତ ତନ୍ତୁ ଉପାଦାନ ଦ୍ଵାରା ବିଦ୍ୟୁତ୍ଚୁମ୍ବକୀୟ ପ୍ରତିରକ୍ଷା ଇତ୍ୟାଦିର ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଏହି ସମ୍ମିଳନୀରେ ୧୮୦ରୁ ଅଧିକ ଗବେଷକ, ଅଧ୍ୟାପକ, ପୋଷ୍ଟଡକ୍ଟୋରାଲ୍ ବିଦ୍ୟାର୍ଥୀ, ଗବେଷଣାଛାତ୍ରଛାତ୍ରଛାତ୍ରୀ ତଥା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ଶିକ୍ଷାର୍ଥୀମାନଙ୍କ ପାଇଁ ଅନେକ ଲାଭଦାୟକ ହୋଇପାରିଛି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି । ଏଠି ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ଗବେଷଣା ପ୍ରକ୍ରିୟାର ସମ୍ପର୍କରେ ଜ୍ଞାନ ଲାଭ, ଶୀର୍ଷ ଗବେଷକମାନଙ୍କ ସହ ନେଟୱାର୍କିଂ କରିବାର ସୁଯୋଗ, ଏବଂ ନିଜ ଗବେଷଣା ଉପସ୍ଥାପନ କରିବାର ଅନୁଭବ ଅର୍ଜନ କରିପାରିଥିଲେ ଏବଂ ପଦାର୍ଥ ବିଜ୍ଞାନରେ ବୃତ୍ତିଗତ ଜୀବନ ଗଢ଼ିବା ପାଇଁ ପ୍ରେରଣାପ୍ରଦ ହୋଇଥିଲା। ଏଥିସହ ଭବିଷ୍ୟତରେ ବିଶ୍ୱର ନୂତନ ଆବିଷ୍କାର କ୍ଷେତ୍ରରେ ଅବଦାନ ଦେଇପାରିବେ ବୋଲି ଆୟୋଜକ ବିଭାଗ ଦ୍ବାରା ମତପ୍ରକାଶ କରାଯାଇଥିଲା।
ସମ୍ମିଳନୀର ଆବାହକ ସନ୍ତୋଷ କୁମାର ଅଗ୍ରୱାଲ୍, ପରିଚାଳନା ସେକ୍ରେଟେରୀ ଡ଼କ୍ଟର ରଜୀବ ବିଶ୍ୱାଳ ସମ୍ମିଳନୀର ବିଷୟବସ୍ତୁ ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ମତ ପ୍ରଦାନ ଦେଇଥିଲେ, ଏବଂ ଡ଼କ୍ଟର. ବିବେକାନନ୍ଦ ନାୟକ ଅଧିବେଶନଗୁଡ଼ିକ ପରିଚାଳନା କରିଥିଲେ।