(ମେ ‘୮ ବିଶ୍ବ ରେଡକ୍ରସ୍ ଦିବସ ଅବସରରେ)
“ମେମୋରି ଅଫ୍ ସଲ୍ଫରିନୋ’” ଏହି ପୁସ୍ତକ ଯୁଦ୍ଧ ସମୟର ଏକ ଅନୁଭୁତି। ଏହି ଯୁଦ୍ଧ ନେପୋଲିଅନ ତୃତୀୟଙ୍କ ନେତୃତ୍ୱରେ ମିଳିତ ଫରାସୀ ବାହିନୀ ଓ ଅଷ୍ଟ୍ରିଆ ଶାସକ ଫ୍ରାଙ୍କ ଜୋସେଫଙ୍କ ମଧ୍ୟରେ ହୋଇଥିଲା, ଯାହାକୁ ବିଶ୍ୱ ଇତିହାସର ଏକ ଭୟଙ୍କର ଯୁଦ୍ଧ ବୋଲି କୁହାଯାଏ l ଏହି ଯୁଦ୍ଧରେ ତିନି ଲକ୍ଷରୁ ଅଧିକ ସୈନ୍ୟ ଯୁଦ୍ଧରେ ସାମିଲ ହୋଇଥିଲେ l ପ୍ରାୟ ଦଶଘଣ୍ଟା ଅବଧିର ଏହି ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରାୟ ଦଶ ହଜାର ସୈନ୍ୟ ଜୀବନ ଦେଇଥିଲେ । ତିରିଶ ହଜାର ସୈନ୍ୟ କ୍ଷତାକ୍ତ ହୋଇଥିଲେ l ଏହି ଯୁଦ୍ଧରେ ମିଳିତ ଫରାସୀ ବାହିନୀ ବିଜୟ ହୋଇଥିଲା l ସଂଯୋଗକୁ ସ୍ବିଜରଲାଣ୍ଡର ଜଣେ ଯୁବ ବ୍ୟବସାୟୀ ହେନେରୀ ଡୁନାଣ୍ଟ ଏହି ଯୁଦ୍ଧ ଦେଖୁଥିଲେ l ଯୁଦ୍ଧ ସରିବା ପରେ ଯେଉଁ କରୁଣ ଚିତ୍କାର ଓ ହା ହା କାର ଦୃଶ୍ୟ ଦେଖି ବ୍ୟଥିତ ହୋଇଥିଲେ । ସ୍ଥାନୀୟ ଅଧିବାସୀଙ୍କ ସହ ମିଶି କିଛି ସେବା କଲେ l ବ୍ୟବସାୟ କାମ ସାରି ନିଜ ଦେଶ ସ୍ୱିଜରଲାଣ୍ଡ ଫେରିଥିଲେ। ଡୁନାଣ୍ଟଙ୍କ ଜନ୍ମ ୮ମେ’ ୧୮୨୮ରେ ସ୍ୱିଜରଲାଣ୍ଡର ଜେନେଭା ସହରରେ । ସେ ହେଉଛନ୍ତି ଜିନ୍ ଜାକ୍ୟୁସ୍ ତୁନାଣ୍ଟ ଓ ଆଣ୍ଟୋ ଇନେଟି ଜୁନାଣ୍ଟଙ୍କ ପ୍ରଥମ ସନ୍ତାନ । ଜୁନାଣ୍ଟ ଜଣେ ସାମାଜିକ କର୍ମୀ, ମାନବବାଦୀ ତଥା ଜଣେ ବ୍ୟବସାୟୀ ଥିଲେ। ବ୍ୟବସାୟ ଉଦ୍ଦେଶ୍ୟରେ ଯାଇଥିବା ବେଳେ ୨୪ ଜୁନ ୧୮୫୯ରେ ସେ ସଲ୍ଫରିନୋ ସହରରେ ପହଞ୍ଚୁଥିଲେ। ଆଉଏହି ଯୁଦ୍ଧର ଭୟାବହତାକୁ ୧୮୬୨ରେ ‘“ମେମୋରି ଅଫ୍ ସଲ୍ଫରିନୋ’” ପୁସ୍ତକ ଆକାରରେ ପ୍ରକାଶ କଲେ। ନିଜ ଉଦ୍ୟମରେ ଏହି ପୁସ୍ତକର ୧୬୦୦ କପି କରିଥିଲେ । ଉକ୍ତ ପୁସ୍ତକ ଦ୍ବାରା ପ୍ରଭାବିତ ହୋଇ ଅନେକ ରାଷ୍ଟ୍ରନାୟକ ଏକ ପକ୍ଷପାତିତା ବିହୀନ ସଂସ୍ଥା ଗଠନ ପାଇଁ ସହର୍ଷ ଆଗ୍ରହ ରଖିଥିଲେ। ମେୟନିର, ଆର୍ମି ଜେନେରାଲ ତୁଫୋଇ, ଡାକ୍ତର ଲୁଇସ୍ ଏପି, ଓଡର ମଉରିଅର ପରି କିଛି ସମଭାବାପନ୍ନ ବ୍ୟକ୍ତିମାନଙ୍କୁ ନେଇ ରେଡକ୍ରସ୍ ଗଠନ ପାଇଁ ସ୍ଥିର ହେଲା।
୯ ଫେବୃୟାରୀ ୧୮୬୩ରେ ସୃଷ୍ଟିରେ ଜନ୍ମଲାଭ କଲା ରେଡ୍କ୍ରସ। ଏହାର ଜନ୍ମଦାତା ଭାବରେ ସାର୍ ଜନ୍ ହେନେରୀ ଡୁନାଣ୍ଟ ପ୍ରସିଦ୍ଧି ଲାଭ କରନ୍ତି । ୧୮୬୪ରେ ଜେନେଭା କନ୍ଭେନ୍ଶନରେ ବିଭିନ୍ନ ନିୟମ ପ୍ରଣୟନ କରାଗଲା। ଯୁଦ୍ଧରେ ଆହତ ସୈନିକମାନଙ୍କୁ ଜାତି, ବର୍ଣ୍ଣ, ଧର୍ମ ଓ ଦେଶ ନିର୍ବିଶେଷରେ ସେବା ପ୍ରଦାନ କରିବା। ଏହିପରି ବିଶ୍ୱରେ ଭ୍ରାତୃଭାବ ଓ ସେବା ସହଯୋଗ ପାଇଁ ସଭ୍ୟ ରାଷ୍ଟ୍ର ଏହିସବୁ ନିୟମରେ ହସ୍ତାକ୍ଷର କରିବ। ରେଡକ୍ରସ୍ ସଂସ୍ଥାର ଏକ ଚିହ୍ନ ଓ ପତାକା ରହିଲା। ବିଭିନ୍ନ ଚିହ୍ନ ରେଡ୍କ୍ରସ ପତାକାରେ ବ୍ୟବହାର ହେଇ ଶେଷରେ ରେଡ୍କ୍ରସ, ରେଡ୍ କ୍ରିସାଣ୍ଟ ଓ ରେଡ୍ କ୍ରିଜାଣ୍ଟ ହିଁ ସ୍ଥାନ ପାଇଲା। ଚିହ୍ନର ରଙ୍ଗ ସବୁ ଲାଲ ରହିଲା। ରେଡକ୍ରସ୍ ଚିହ୍ନ କୈାଣସି ଧର୍ମ, ରାଜନୈତିକ ଦଳ ତଥା ଅନ୍ୟ କୈାଣସି ପକ୍ଷର ପ୍ରତୀକ ନୁହେଁ। ଏହା ମାନବବାଦର ପ୍ରତୀକ। କୈାଣସି ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିରୁ ରେଡକ୍ରସ୍ ଚିହ୍ନକୁ ବ୍ୟବହାର କରାଯାଇ ପାରିବ ନାହଁ, ଏକ ବୃହତ୍ତର ସ୍ବାର୍ଥ, ବୃହତ୍ତର ସେବା, ଶାନ୍ତି ସଂସ୍ଥାପନ ଉଦ୍ଦେଶ୍ୟରେ ବ୍ୟବହୃତ ହେବ। ତୁନାଣ୍ଟ ଓ ତାଙ୍କ ସାଥୀମାନଙ୍କ ମାର୍ଗଦର୍ଶନରେ ଅନେକ ଦେଶରେ ପ୍ରତିଷ୍ଠା ହୁଏ ରେଡ୍କ୍ରସ ସଂସ୍ଥା। ଅନ୍ତର୍ଜାତୀୟ ରେଡ୍କ୍ରସ ସଂସ୍ଥା, ଯାହାର ସଦସ୍ୟ ୧୯୦ ଦେଶ ଅଛନ୍ତି I ଏହି ଅନ୍ତର୍ଜାତୀୟ ସଂସ୍ଥାରେ ପାଖାପାଖି ୯୭ ମିଲିୟନ ସ୍ୱେଚ୍ଛାସେବୀ କାମ କରନ୍ତି I ସମ୍ପୃକ୍ତ ସ୍ୱେଚ୍ଛାସେବୀମାନେ ୧୬୦ ମିଲିୟନ ଲୋକଙ୍କୁ ସେବା କରିଥାନ୍ତି।
ରେଡ୍କ୍ରସ ପ୍ରତିଷ୍ଠା କରି ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିଗତ ଭାବରେ ସାର୍ ଜିନ୍ ହେନେରୀ ଡୁନାଣ୍ଟଙ୍କୁ ୧୯୦୧ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ରେଡକ୍ରସ୍ ସଂସ୍ଥା ୧୯୧୭, ୧୯୪୪, ୧୯୬୩ରେ ନୋବେଲ ଶାନ୍ତି ପୁରସ୍କାର ଷପାଇସାରିଛି। ଏବଂ ରେଡ୍କ୍ରସ ଘୋଷଣା କରିଛି ପରବର୍ତ୍ତୀ ସମୟରେ ନୋବେଲ ପୁରସ୍କାର ଆଉ ଗ୍ରହଣ କରିବ ନାହିଁ। ୧୯୪୮ରେ ପ୍ରଥମ କରି ବିଶ୍ବ ରେଡ୍କ୍ରସ ଦିବସ ପାଳନ କରାଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ରେଡ୍କ୍ରସ ସଂସ୍ଥା ଓ ରେଡ୍ କ୍ରିସାଣ୍ଟ ୧୯୮୪ ରେ ଘୋଷଣା ହୋଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ସେବା କାର୍ଯ୍ୟକ୍ରମ ସଫଳତା ସହ ଜାରି ରଖିଛି। ସାର୍ ହେନେରୀ ତୁନାଣ୍ଟଙ୍କ ଜନ୍ମ ତାରିଖରେ ପ୍ରତିବର୍ଷ ବିଶ୍ଵ ରେଡ୍କ୍ରସ ଦିବସ ପାଳନ ହୋଇ ଆସୁଅଛି। ରେଡ୍କ୍ରସର ୭ଟି ନିୟମ ବା ସଂକଳ୍ପ ରହିଛି ଯଥା- ମାନବିକତା, ସମଦର୍ଶିତା, ନିରପେକ୍ଷତା, ସ୍ୱାଧୀନତା, ସ୍ଵେଚ୍ଛାକୃତ ସେବା, ଏକତା ଏବଂ ବିଶ୍ବଜନୀନତା ଏହି ସାତଟି ମୌଳିକ ନୀତି ରେଡକ୍ରସ୍ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ରେଡକ୍ରସର ଜଣେ ସଦସ୍ୟ ହେଲାପରେ ଏହି ୭ଟି ସେବା ଅଳଙ୍କାରରେ ଭୂଷିତ ହୋଇଥାଏ ଏବଂ ତା’ର କାର୍ଯ୍ୟ ମଧ୍ୟ ତଦନୁରୂପ ହୋଇଥାଏ। ତେବେ ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଉଥିଲେ ମଧ୍ୟ ଉଭୟ ପକ୍ଷର ଗୁଳି ରେଡ୍କ୍ରସ ସ୍ୱେଚ୍ଛାସେବୀକୁ ବାଜେ ନାହିଁ। କେବଳ ରେଡ୍କ୍ରସ ଚିହ୍ନିତ ହୋଇ ସେବା କରୁଥିବା ଆବଶ୍ୟକ।
ଆନ୍ତର୍ଜାତିକ ରେଡ୍କ୍ରସ ସଂଗଠନ ମାନବବାଦର ଜୟଗାନ କରିଥାଏ। ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ଵିଜରଲାଣ୍ଡର ଜେନେଭା ସହରରେ ଅବସ୍ଥିତ। ଏହି ସଙ୍ଗଠନର ଏକ ସ୍ୱତନ୍ତ୍ର ସମ୍ବିଧାନ ରହିଛି। ୧୯୨୦ରେ କ୍ଲାଉଡ ହିଲ୍ଙ୍କ ଉଦ୍ୟମରେ ଭାରତରେ ରେଡ୍କ୍ରସ ସଂସ୍ଥା ସ୍ଥାପିତ ହୋଇଥିଲା । ଜେନେଭା ଘୋଷଣାନାମା ଅନୁସାରେ ପ୍ରତ୍ୟେକ ଦେଶର ମୁଖ୍ୟ ସେହି ଦେଶ ରେଡକ୍ରସ ସୋସାଇଟିର ମୁଖ୍ୟ ରହିବେ l ସେହି ଅନୁସାରେ ରାଷ୍ଟ୍ରପତି, ଭାରତୀୟ ରେଡ କ୍ରସର ମୁଖ୍ୟ ଅଟନ୍ତି l ଏହାର ମୁଖ୍ୟାଳୟ ରାଜଧାନୀ ଦିଲ୍ଲୀରେ ରହିଅଛି l ପ୍ରଥମେ ସ୍ୱସ୍ତିକ ଚି଼ହ୍ନକୁ ରେଡକ୍ରସର ବିକଳ୍ପ ପ୍ରତୀକ ଭାବରେ ରଖିବା ପାଇଁ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପରେ ଭାରତ ରେଡକ୍ରସ କୁ ଗ୍ରହଣ କରିଛି l ରାଷ୍ଟ୍ର ରେଡକ୍ରସ୍ ସୋସାଇଟିର ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପରିଚାଳନା ପରିଷଦକୁ ମନୋନୀତ ହୋଇଥାନ୍ତି l ସାଧାରଣ ସମ୍ପାଦକ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି l ରେଡକ୍ରସ ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ଏହାର ସମ୍ପ୍ରସାରଣ କରାଯାଇଛି l
ବର୍ତ୍ତମାନ ଭାରତରେ ରେଡକ୍ରସ୍ ର ୩୫ଟି ଶାଖା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି। ଭାରତରେ ବିଭିନ୍ନ ଜିଲ୍ଲା ଓ ସବ୍ଡିଭିଜନରେ ୭୦୦ଟି ଶାଖା ରହିଛି। ଦେଶରେ ରାଷ୍ଟ୍ରପତି ରେଡ୍ କ୍ରସର ସଭାପତି ଥିଲା ବେଳେ ରାଜ୍ୟଗୁଡ଼ିକରେ ରାଜ୍ୟପାଳ ରେଡ୍କ୍ରସର ମୁଖ୍ୟ ଭାବରେ କାର୍ଯ୍ୟ କରିଥାନ୍ତି। ମହାବିଦ୍ୟାଳୟ ସ୍ତରରେ ଯୁବ ରେଡ୍କ୍ରସ ଓ ହାଇସ୍କୁଲ ସ୍ତରରେ ଜୁନିୟର ରେଡ୍କ୍ରସ ପରି ଶାଖାମାନଙ୍କରେ ହଜାର ହଜାର ସ୍ୱେଚ୍ଛାସେବୀ ସୃଷ୍ଟି ହୋଇ ସେବା ସହଯୋଗ ଚାଲୁ ରଖୁଛନ୍ତି। ରେଡ୍କ୍ରସ କେବଳ ଚିକିତ୍ସା ସେବା କି ରକ୍ତଦାନରେ ସୀମିତ ନାହିଁ। ଦେଶରେ ଭୂମିକମ୍ପ, ବନ୍ୟା, ବାତ୍ୟା, ନିଆଁପୋଡି, ବିଭିନ୍ନ ମହାମାରୀ ସମୟରେ ଆଗକୁ ଆସି ସଚେତନ ଓ ସହଯୋଗ କରୁଛି। ଓଡ଼ିଶାରେ ରାଜ୍ୟ ରେଡ୍କ୍ରସ ଶାଖା ତରଫରୁ ନିୟମିତ ବିଭିନ୍ନ ସଚେତନତା ଓ ସେବା ଜାରି ରହିଛି। ମଣିଷର ପ୍ରକୃତ ମାନବ ଧର୍ମ କ’ଣ ରେଡକ୍ରସ୍ ହିଁ ଶିଖାଇଥାଏ। ସାରା ବିଶ୍ୱକୁ ନିଜର ପରିବାର ମନେକରିବା। ପରୋପକାର ଓ ସେବା ପାଇଁ ସର୍ବଦାଚେଷ୍ଟିତ ହେବା। ଚଳିତ ବର୍ଷ ରେଡ୍କ୍ରସର ବାର୍ଭା ହେଉଛି- “ମାନବିକତାର ପାର୍ଶ୍ଵରେ”। ମାନବିକତାର ମହତ୍ତ୍ଵ ସଂପର୍କରେ ଅବଗତ କରିବା ଏବଂ ମାନବୀୟ ଧର୍ମ ହଁ ବାସ୍ତବରେ ରାଷ୍ଟ୍ର ଧର୍ମ ଅଟେ। ଏହି ବାର୍ତ୍ତାକୁ ଚେତନାଶୀଳ ମାନବ ଭାବରେ ବିନିଯୋଗ କରି ଅନେକ ସଫଳତା ଅର୍ଜନ କରିଥାଏ। ଅନେକ ଦଦରା ମନରେ ହସର ଫରୁଆ ଫୁଟାଇ ଥାଏ। ସେବା ମାଧ୍ୟମରେ ପାଇଥାଏ ବିପୁଳ ଆନନ୍ଦ।