ଜିଲ୍ଳାର ୭ଟି ସିଏଚସିରେ ନାହିଁ ଆମ୍ବୁଲାନ୍ସ , ୧୦୮ ହିଁ ସାହା ଭରସା
ବ୍ୟବହାର ଉପଯୋଗୀ ଆମ୍ବୁଲାନ୍ସକୁ ଯୋଜନାରେ ସାମିଲ କରିଛି ବିଭାଗ
ରାୟଗଡ,୪/୮ : ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ସେବା ରହିଛି । ଗ୍ରାମାଂଚଳ ତଥା ଉପାନ୍ତ ଅଂଚଳର ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ରଖିଥିବା ବେଳେ ରାୟଗଡ ଜିଲ୍ଳାରେ ଆମ୍ବୁଲାନ୍ସ ସେବା ମିଳିବା ଆହୁରି ଜଟିଳ ହେବାରେ ଲାଗିଛି । ଦୀର୍ଘ ଦିନ ଧରି ଏଥିରେ ସୁଧାର କରିପାରୁ ନାହାନ୍ତି ସରକାର । ଅନେକ ସମୟରେ ୧୦୮ ଓ ୧୦୨ ହେଉ ଅଥବା ଚିକିତ୍ସାଳୟରେ ଥିବା ଆମ୍ବୁଲାନ୍ସଗୁଡିକ ଜରୁରୀକାଳନୀ ପରିସ୍ଥିତିରେ ପଂହଚି ପାରୁ ନ ଥିବାରୁ ସାଧାରଣ ଲୋକେ ତଥା ଉପାନ୍ତ ଅଂଚଳର ରୋଗୀମାନେ ଏହି ସେବା ପାଇବାରୁ ବଂଚିତ ହେଉଛନ୍ତି । ତେବେ ରାୟଗଡ ଜିଲ୍ଳାର ବହୁ ଦୁର୍ଗମ ଅଂଚଳକୁ ଗମନାଗମନର ସୁବିଧା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଥାଇ ମଧ୍ୟ ସଠିକ୍ ସମୟରେ ସେବା ଯୋଗାଇ ଦିଆଯାଇ ପାରୁ ନ ଥିବାରୁ ଅଂଚଳର ଗର୍ଭବତୀ ମହିଳା ହୁଅନ୍ତୁ କି ଅନ୍ୟ ରୋଗୀମାନେ ଅନେକ ସମୟରେ ଖଟିଆ, ଭାର, କମ୍ବଳ ଓ ବାଉଁଶ ଆଦିରେ ବୁହା ହୋଇ ଦୀର୍ଘ କିଲୋମଟିର ବାଟ ଅତିକ୍ରମ କରି ଆସୁଥିବା ହେତୁ ଅଧାବାଟରେ ହିଁ ପ୍ରସୂତି ମାଁ ମାନେ ପ୍ରସବ କରିବା ଏବଂ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିବା ଆଦି ଅଭାବନୀୟ ଦୃଶ୍ୟ ଆଜି ମଧ୍ୟ ଦେଖିବାକୁ ମିଳୁଛି । ଯାହାକି ସରକାରଙ୍କ ଗୋଟିଏ ଜିଲ୍ଳା ପ୍ରତି ଥିବା ବିକାଶ ଧାରାର ଯୋଜନାର ଅସଲ ଚେହେରା ପଦାରେ ପକାଉଛି ।
ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାର କାଶିପୁର, କୋଲନରା, ରାୟଗଡ, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର, ଗୁଡାରୀ, ପଦ୍ମପୁର, ଗୁଣପୁର ,ରାମନାଗୁଡା ୧୧ଗୋଟି ବ୍ଳକର ଜନସଂଖ୍ୟା ଏବେ ପାଖାପାଖି ୮ଲକ୍ଷରୁ ଉର୍ଦ୍ଧ । ରାୟଗଡ ଜିଲ୍ଳା ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟ ଓ ଗୁଣପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସହ ୧୧ଟି ବ୍ଳକରେ ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚସି) ଓ ୩୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚସି) ରହିଛି । ସେହିପରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଆମ୍ବୁଲାନ୍ସ ପୂର୍ବରୁ ବ୍ୟବହାର ହୋଇ ଆସୁଥିବା ବେଳେ ୨୦୧୮ମସିହା ଡିସେମ୍ବର ୧୨ତାରିଖରେ ପାୱାର ଗ୍ରୀଡ କର୍ପୋରେସନ୍ ଅଫ ଇଣ୍ଡିଆ ତରଫରୁ ୩ଟି ଅତ୍ୟାଧୁନିକ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯିବାରୁ ଏଠାରେ ସମୁଦାୟ ୪ଟି ଆମ୍ବୁଲାନ୍ସ ରହିିଥିଲା । ସେହିପରି ଗୁଣପୁର ଉପଖଣ୍ଡରେ ୨ଟି, ମୁନିଗୁଡା ସିଏଚସିରେ ଗୋଟିଏ,ବଜେମାଦେଈପେଣ୍ଠରେ ଗୋଟିଏ, ରାମନାଗୁଡାରେ ଗୋଟିଏ ଏବଂ ବିଷମକଟକ ସିଏଚସିରେ ଗୋଟିଏ ସରକାରୀ ଆମ୍ବୁଲାନ୍ସ ରହିଥିବା ବେଳେ ଚନ୍ଦ୍ରପୁର, ଗୁଡାରୀ, କଲ୍ୟାଣସିଂହପୁର, କାଶିପୁର, ପଦ୍ମପୁର ଓ କୋଲନରା ସିଏଚସିରେ ଗୋଟିଏ ହେଲେ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇନାହିଁ । ଫଳରେ ସରକାରଙ୍କ ଦ୍ୱାରା ମାଗଣାରେ ୧୦୮ ଓ ୧୦୨ ଭଳି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଉପରେ ନିର୍ଭର କରୁଛନ୍ତି ଏହି ବ୍ଳକବାସୀମାନେ । ତେବେ ଦୁର୍ଗମ ଅଂଚଳ ଯୋଗୁଁ ଅନେକ ସମୟରେ ଏଠାରେ ମୋବାଇଲ ନେଟୱାର୍କ ରହୁ ନ ଥିବାରୁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହିପରି ମୁନିଗୁଡା ସିଏଚସି ଉପରେ ନିୟମଗିରି ପାହାଡର ଦୁର୍ଗମ ଅଂଚଳରେ ରହୁଥିବା ଗ୍ରାମବାସୀ ତଥା ଅନ୍ୟାନ୍ୟ ପଂଚାୟତର ବାସିନ୍ଦାମାନେ ନିର୍ଭର କରି ଚଳୁଥିବା ବେଳେ ଏଠାରେ ଗତ ଜାନୁୟାରୀ ମାସ ଅର୍ଥାତ୍ ଦୀର୍ଘ ୭ମାସ ହେବ ଆମ୍ବୁଲାନ୍ସ ନ ଥିବାରୁ ସେବା ପାଇବାରୁ ବଂଚିତ ହେଉଛନ୍ତି ବ୍ଳକବାସୀ ।
ଏ ନେଇ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଶକ୍ତିବ୍ରତ ମହାନ୍ତିଙ୍କୁ ପଚାରିବାରୁ ଟେଣ୍ଡର ହେବା ପରେ ନୂଆ ଗାଡି ସୁନେତ୍ର କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ ଏବଂ ବର୍ତମାନ ସୁନେତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଆମ୍ବୁଲାନ୍ସକୁ ମୁନିଗୁଡା ପଠାଯିବ ବୋଲି ସେ କହିଛନ୍ତି । ଅପରପକ୍ଷେ ଗ୍ରୀଡ କର୍ପୋରେସନ ତରଫରୁ ମିଳିଥିବା ୩ଟି ଆମ୍ବୁଲାନ୍ସରୁ ଦୁଇଟି ବର୍ତମାନ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ଆଉ ଗୋଟିଏ ଆମ୍ବୁଲାନ୍ସ ଦୀର୍ଘ ୮ମାସ ହେବ ଇଂଚଟିଏ ମଧ୍ୟ ନ ଘୁଂଚି ସିଡିଏମଓଙ୍କ କାର୍ଯ୍ୟାଳୟ ନିକଟରେ ପଡିରହିଛି । ଯାହାକୁ ବର୍ତମାନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁ କାର୍ଯ୍ୟକ୍ରମ ନୂତନ ଯୋଜନା “ସୁନେତ୍ର”ପାଇଁ ବ୍ୟବହାର କରାଯିବାର ବ୍ୟବସ୍ଥା କରାଯାଉଛି । ତେବେ ସୁନେତ୍ର ଯୋଜନା ନିମନ୍ତେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଉପକରଣ ସହ ଟିମ୍ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଗାଡି ପାଇଁ ସରକାର ଟେଣ୍ଡର ପ୍ରକ୍ରିୟା କରିଛନ୍ତି । ସରକାରଙ୍କ ଏହି ଟେଣ୍ଡରରେ ଗାଡି ଭଡା ବହୁତ କମ ରହୁଥିବାରୁ କେହି ହେଲେ ଗାଡି ମାଲିକ ଅଗ୍ରାହ୍ୟ ପ୍ରକାଶ କରୁନାହାନ୍ତି । ଫଳରେ ୨ଥର ଟେଣ୍ଡର ଚୁଡାନ୍ତ ହୋଇ ନ ଥିବାରୁ ସରକାରଙ୍କ ଏକ ନୂତନ ଯୋଜନା ଜିଲ୍ଳାରେ ମାରିବା ଭୟରେ ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବହାର ଉପଯୋଗୀ ନ ଥିବା ନୂଆ ଆମ୍ବୁଲାନ୍ସକୁ ଏଥି ନିମନ୍ତେ ପ୍ରସ୍ତୁତ କରାଯାଇଛି । ବର୍ତମାନ ଜିଲ୍ଳା ପାଇଁ ୧୧ଜଣ ନିୟମିତ ଓ ୧୩ଜଣ ଠିକା ନିଯୁକ୍ତି ଅସ୍ଥାୟୀ ଆମ୍ବୁଲାନ୍ସ ଡ୍ରାଇଭର ରହିଛନ୍ତି । କେବଳ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ହିଁ ୮ଜଣ ଡ୍ରାଇଭର ନିୟୋଜିତ ରହିଥିବା ବେଳେ ବିଷମକଟକ, ଗୁଣପୁର ଓ ରାମନାଗୁଡା ପାଇଁ ୩ଜଣ ଡ୍ରାଇଭର କାର୍ଯ୍ୟରତ ଅଛନ୍ତି ।