ବଲାଙ୍ଗିରରେ କୋସଲି ଭାଷା ପ୍ରେମୀଙ୍କ ସଚେତନତା ଶୋଭାଯାତ୍ରା
ବଲାଙ୍ଗିର,୪/୮ : ହଜାର ହଜାର ବର୍ଷଧରି ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଆସୁଥିବା କୋସଲାଞ୍ଚଳର ଗାରିମାମୟ ସୁମଧୁର ଭାଷା ‘କୋସଲି’ କୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବାପାଇଁ ଦାବି କରିଛି କୋସଲି କ୍ରିୟାନୁଷ୍ଠାନ କମିଟି । ଭାଷା ଜଣେ ବ୍ୟକ୍ତିର ପରିଚୟ ପ୍ରଦାନ କରିଥାଏ । କୋସଲାଞ୍ଚଳର ଅଧିବାସୀ ମାନଙ୍କ ମାତୃଭାଷା କୋସଲି ହୋଇଥିବାରୁ ଏହାକୁ ପ୍ରାଧାନ୍ୟ ଦେବା ଜରୁରୀ । ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନଦେଲେ ଏହି ଅନନ୍ୟ ଭାଷାର ବିକାଶ ହେବା ସହ ଏହି ବିରାଟ ଭୂଖଣ୍ଡର ହଜାର ହଜାର ଜନତା ନିଜ ମାତୃଭାଷାରେ ଲେଖନ ପଠନ କରିବା ଦ୍ବାରା ଅବହେଳିତ ହୋଇ ପଡିଥିବା ଏହି ଭାଷାର ସୁରକ୍ଷା ସମ୍ଭବ ହୋଇପାରିବ ।
ଆଜି (ରବିବାର) ଏହି ଅଞ୍ଚଳର କବି, ଲେଖକ, ଭାଷା ପ୍ରେମୀ ଏବଂ କୋସଲି ଭାଷା ସଂସ୍କୃତି ପ୍ରେମୀ ସଚେତନ ନାଗରିକ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବଲାଙ୍ଗିର ସହର ସ୍ଥିତ ପାଟନେଶ୍ୱରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଦେବୀ ପାଟନେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରିବାପରେ ଶୋଭାଯାତ୍ରାରେ ଶତାଧିକ ଜନତା ସମଳେଇ ମନ୍ଦିର, ପାଟଣା ଛକ, ବଲାଙ୍ଗୀର ମୂଖ୍ୟ ରାସ୍ତା ଦେଇ ଅମଲା ଭବନ ଠାରେ ସମ୍ବିଳିତ ହୋଇଥିଲେ । ସେଠାରେ କୋସଲି ଭାଷାକୁ ବଞ୍ଚେଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ଉପରେ ଗୁରୁତ୍ତ୍ବାରୋପ କରାଯାଇଥିଲା ।କୋସଲି କ୍ରିୟାନୁଷ୍ଠାନ କମିଟିର ଏହି ପଦକ୍ଷେପକୁ ପଶ୍ଚିମ ଓଡିଶାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।