ବିଶ୍ବ ଆଦିବାସୀ ଦିବସରେ ଉତ୍ସବ ମୂଖର ବଲାଙ୍ଗିର – କଳାହାଣ୍ଡି

ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ବିଶ୍ବ ଆଦିବାସୀ ଦିବସ

ବଲାଙ୍ଗିର/ କଳାହାଣ୍ଡି ୯/୮ : ଆଦିବାସୀ ସଂସ୍କୃତି ବିଶ୍ବର ଏକ ସମୃଦ୍ଧ ସଂସ୍କୃତି । କେଉଁ ଏକ ଆବାହମାନ କାଳରୁ ବର୍ତ୍ତମାନ ସୁଦ୍ଧା ଏହି ସଂସ୍କୃତିର ଧାରା ଜନଜୀବନର ଶ୍ରୋତ ଦେଇ ପ୍ରବାହିତ ହୋଇ ନିଜର ସ୍ବତନ୍ତ୍ରତା ବଜାୟରଖି ଆସିଛି । ଆଧୁନିକତାର ଛାପରେ ମଧ୍ୟ ଆଦିବାସୀ ସଂସ୍କୃତିର ଅବକ୍ଷେୟ ହୋଇନାହିଁ, ଯାହା ଏହାର ମହନୀୟ ଦିଗକୁ ସୂଚିତ କରିଥାଏ । ପିଢି ପରେ ପିଢି ଏହା ଅନୁସୃତ ହୋଇଆସୁଛି ।

ଆଜି ଅଗଷ୍ଟ ୯ ସାରା ବିଶ୍ବରେ ପାଳିତ ହୋଇଛି ବିଶ୍ବ ଆଦିବାସୀ ଦିବସ । ଏହି ଅନୁକ୍ରମରେ ପଶ୍ଚିମ ଓଡିଶାର ଆଦିବାସୀ ବହୁଳ ଅଞ୍ଚଳ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଆଦିବାସୀମାନେେ ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ପାଳନ କରିଛନ୍ତି ବିଶ୍ବ ଆଦିବାସୀ ଦିବସ । ଆସନ୍ତୁ ଜାଣିବା କେମିତି ଥିଲା ଏହି ଦିବସ ପାଳନର ମାହୋଲ ।

ଜୋରାଡବରା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜୋରାଡୋବରା ଠାରେ ଏକ ଉତ୍ସବର ମାହୋଲ ମଧ୍ୟରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି । କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ସଭାପତି ଭୀମା ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଇଁତଲାର ବିଶିଷ୍ଟ ଶିକ୍ଷାବିତ ଗୌତମ କ୍ଷେତି, ମୂଖ୍ୟବକ୍ତା ଭାବେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ କୌତୁକ ପନ୍ଦର, ସମ୍ମାନିତ ଅତିଥି ଭାବେ ଭୀମା ପତ୍ରିକାର ସଂପାଦକ ତଥା ଗବେଷକ ମେଦିନୀଧର ଯାନୀ, ସଇଁତଲାର ସମାଜସେବୀ ତଥା ଆଦିବାସୀ ସଂଗଠକ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଆଦିବାସୀ ନେତୃବୃନ୍ଦଙ୍କ ମଧ୍ୟରେ ସର୍ବଶ୍ରୀ କଂସ ଯାନୀ, ରାଜକିଶୋର ମାଝୀ, ଲୋକନାଥ ଭୋଇ, ନଇରୁତ ଯାନୀ, ଡମ୍ବରୁଧର ମାଝୀ, ମାଧବ ଭୋଇ, ତରୁଣ ଯାନୀ ପ୍ରମୂଖ ଯୋଗଦେଇ ବିଶ୍ବ ଆଦିବାସୀ ଦିବସର ମହତ୍ବ ସହ ବର୍ତ୍ତମାନର ସମୟରେ ଆଦିବାସୀଙ୍କ ସ୍ଥିତି ଓ ଏହାର ପ୍ରତିକାର ସମନ୍ଧରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ  କର୍ଳାମୁଣ୍ଡା ବ୍ଲକର ଶତାଧିକ ଆଦିବାସୀ ଯୋଗଦେଇ ସହଯୋଗ କରିଥିଲେ ।  

ସଇଁତଲା

ବଲାଙ୍ଗିର ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ ହେଉଛି ସଇଁତଲା । ଏହି ଅଞ୍ଚଳର ଆଦିବାସୀମାନେ ଶଶକ୍ତ ଭାବେ ନିଜର ଗୌରବମୟ ସଂସ୍କୃତିର ବିଜୟଧ୍ବଜାକୁ ଫରଫର କରି ଉଡାଇଚାଲିଛନ୍ତି । ବିଶ୍ବ ଆଦିବାସୀ ଦିବସର ଅବସରରେ ଚଳଚଞ୍ଚଳ ହୋଇ ଉଠିଥିଲା ସଇଁତଲା ସହର । ସଇଁନ୍ତଳା ବ୍ଳକ ସଭାପତି ସନ୍ତୋଷ ପୁଟା ଙ୍କ ନେତୃତ୍ୱରେ ଆୟୋଜିତ ବିଶ୍ୱ ଆଦିବାସୀ ଦିବସରେ ବ୍ଳକ ସଭାପତିଙ୍କ ସମେତ ଉପସଭାପତି ରୋହିତ ଯାନୀ, କାର୍ଯ୍ୟକାରୀ ସଭାପତି ଚକା ଚରଣ ମାଝୀ, ସମ୍ପାଦକ ଟଙ୍କଧର ଧରୁଆ, ଆଦିକନ୍ଧ ସଂଘର ସଭାପତି ଚିନ୍ତା ମଣୀ ଭୋଇ, ପ୍ରେମ ଭୋଇ, ପ୍ରମୂଖ ଉପସ୍ଥିତ ରହି ଏହି ଦିବସ ସମେତ ଆଦିବାସୀଙ୍କ ବିଭିନ୍ନ ଦିଗ ସମନ୍ଧରେ ଆଲୋକପାତ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଅନେକ ଆଦିବାସୀ ଯୋଗଦେଇଥିବା ବେଳେ ଟଙ୍କଧର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

ଫପସି ସମଛୁଆଁ

ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଫପସି ସମଛୁଆଁ ଠାରେ ଆନନ୍ଦ ଉଲ୍ଲାସର ସହ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଗଣ୍ଡପତ୍ରାପାଲି ଓ ଧରପଗଡ ଗ୍ରାମପଞ୍ଚାୟତ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟକ୍ତି ପ୍ରମୋଦ ଭୋଇ ଯୋଗ ଦେଇଥିବାବେଳେ ମୂଖ୍ୟବକ୍ତା ଭାବେ ମୋହନ ଭୋଇ ଓ ସମ୍ମାନୀତ ଅତିଥିଭାବେ ଅଞ୍ଚଳର ଗନ୍ୟମାନ୍ୟ ଆଦିବାସୀ ନେତୃବୃନ୍ଦ ସର୍ବଶ୍ରୀ ନରେନ୍ଦ୍ର ଭୋଇ, ଭାଗରଥି ବେଶକା, କିଶୋର ମାଝୀ, ପଞ୍ଚୁବନ ମାଝୀ, ନନ୍ଦ ଭୋଇ, ଜଗତରମ ମିର୍ଧା, ଜପେଶ୍ଵର ଯାନୀ, ସୁଶାନ୍ତ ମାଝୀ ପ୍ରମୂଖ ଯୋଗ ଦେଇ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଉପରେ ଅଭିଭାଷଣ ପ୍ରଦାନକରିଥିଲେ । ଏଥିରେ ଅଞ୍ଚଳର ଅନେକ ଆଦିବାସୀ ଯୋଗଦେଇ

ବଙ୍ଗୋମୁଣ୍ଡା

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ବିଶ୍ବ ଆଦିବାସୀ ଦିବସ ପ୍ରବଳ ଉତ୍ସାହ ଉଦ୍ଦିପନା ଓ ଭାବମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାରୀନେତ୍ରୀ ବାସନ୍ତୀ ଜାନୀ, ମୁଖ୍ୟବକ୍ତା ଭାବେ ବଲାଙ୍ଗିର ଜିଲ୍ଲା ସଂଗଠକ ସୁରେଶ ଭୋଇ, କାର୍ଯ୍ୟକାରୀ ସଭାପତି ଡିଙ୍ଗର ଭୋଇ ବଙ୍ଗୋମୁଣ୍ଡା ବ୍ଲକ, ବ୍ଲକସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ବୁଡ଼ୁକା ପ୍ରଗଣା ସଭାପତି ଉଜଳ ସିଂ ଭୋଇ, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, କୋଷାଧ୍ୟକ୍ଷ ଚକ୍ର ଜନୀ, ଅଶୋକ ନାରାୟଣ ଭୋଇ, ସୌମିତ୍ରୀ ଭୋଇ, ଲଳିତ ଜାଣି ପ୍ରମୂଖ ମଞ୍ଚାସୀନ ରହି ଆଦିବାସୀର ହକ ଅଧିକାର, ଜମି,ଜଳ,ଜଙ୍ଗଲର ସୁରକ୍ଷା ସଂଗେ ସଂଗେ ଆଦିବାସୀ ଜାତିର ପ୍ରଥା ପରମ୍ପରା ବଜାଇ ରଖିବା ପାଇଁ ଆହ୍ବାନ ଦେଇଥିଲେ । ଏଥିସହ ଆର୍ଟିକଲ ୩୪୨ ର ଅନୁସୂଚୀ ୫ ଓ ୬ ରେ ବାବା ସାହବଙ୍କ ଅବଦାନ ବିଷୟ ରେ ମୁଖ୍ୟ ବକ୍ତା ଆଲୋକପାତ କରିଥିଲେ। ଏଥିରେ ବ୍ଲକର ବିଭିନ୍ନ ସ୍ଥାନରୁ ଶତାଧିକ ଆଦିବାସୀ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

ଏହାଛଡା ଜୁନାଗଡ, ଲୋଇସିଂହା ସମେତ କଳାହାଣ୍ଡି – ବଲାଙ୍ଗିରର ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଆଦିବାସୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବାସହ ଅନ୍ୟାୟକୁ ପ୍ରତିହତ କରିବାର ଦିଶା ନିର୍ଦେଶ କରୁଥିବାରୁ ଏହି ଦୁଇ ଅଞ୍ଚଳରେ ଉକ୍ତ ଦିବସ ପାଳନ କରିବାର ଯଥେଷ୍ଟ ଗୁରୁତ୍ବ ରହିଛି ।

ଏବେ ଆସନ୍ତୁ ଜାଣିବା ଏହି ଦିବସ ପାଳନର ଇତିହାସ 

ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରିଆସୁଥିବା ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୧୯୯୨ ମସିହା ଅଗଷ୍ଟ ୯ ତାରିଖରୁ ଏହି ଦିନକୁ ପାଳନ କରାଯାଉଛି। ଏଠାରେ ସୂଚନାଯୋଗ୍ୟଯେ, ୧୯୮୨ରେ ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ର କାର୍ଯ୍ୟକର୍ତ୍ତା (UNWGEP) ଗଠନ ହେଲା ଯାହାର ପ୍ରଥମ ବୈଠକ ୯ ଅଗଷ୍ଟ ୧୯୮୨ ଅନୁଷ୍ଠିତ ହୋଇଥିଲା । ବିଶ୍ଵର ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ମାନେ ବେକାରି, ଗରିବୀ, ଶିକ୍ଷା ସ୍ଵାସ୍ଥ୍ୟ ଆଦିରେ ଅବହେଳିତ ହୋଇ ରହିଥିବାରୁ ୧୯୯୪ ମସିହା ଅଗଷ୍ଟ ୯ ତାରିଖରେ ଜେନିଭା ଠାରେ UNWGEP କାର୍ଯ୍ୟକର୍ତ୍ତା ପ୍ରଥମକରି ବିଶ୍ବ ଆଦିବାସୀ ଦିବସ ପାଳନ କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ ।

ବଲାଙ୍ଗିର – କଳାହାଣ୍ଡି ସ୍ବତନ୍ତ୍ର ପ୍ରତିନିଧି ଡିଜି ପ୍ରଧାନୀଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.