ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ଓ ଲକ୍ଷ୍ମୀପୁର ରେ କୋଡ଼ିଙ୍ଗାମାଳି ପାହାଡ଼ରୁ ବକ୍ସାଇଟ୍ ଖଣି ଖନନ ବନ୍ଦ କରିବା ଦାବିରେ କୋଡ଼ିଙ୍ଗାମାଳି ପ୍ରଭାବିତ ଅଞ୍ଚଳବାସୀ (କାଡ଼ା) ସଂଘ ତରଫରୁ ଶହ ଶହ ଲୋକଙ୍କ ବିରାଟ ଆନ୍ଦୋଳନ ଓ ଜନସମାବେଶ ଲକ୍ଷ୍ମୀପୁର ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଛି । ଶିଳ୍ପପ୍ରତିଷ୍ଠା ନାହିଁ ତ ଖଣି ନାହିଁ ଏହି ଦାବିରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାର ଆୟୋଜନ କରାଯାଇଛି । କୋଡ଼ିଙ୍ଗାମାଳି ଖଣି ପାହାଡରୁ ବେଦାନ୍ତ କମ୍ପାନୀକୁ ଶାଗ ମାଛ ଦରରେ ବକ୍ସାଇଟ ଯୋଗାଇ ଦିଆଯାଉଛି । ଆଜିକୁ ଦୀର୍ଘ ୮ବର୍ଷ ହେବ ବେଦାନ୍ତ କମ୍ପାନୀ ସ୍ଥାନୀୟ ଅଞ୍ଚଳର ଉନ୍ନତି କରିନଥିବା ବେଳେ ସ୍ଥାନୀୟ ଆଶାୟୀ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେଉ ନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି । ପୁଣି କୋଡିଙ୍ଗାମାଳି ପ୍ରଭାବିତ ଅଞ୍ଚଳ ବାସି (କାଡା) ଅଭିଯୋଗ କରିଛି ଯେ କୋଡ଼ିଙ୍ଗାମାଳି ପାହାଡ଼ରୁ ବାର୍ଷିକ ୩ ମିଲିୟନ ଟନରୁ ୬ ମିଲିୟନ ଟନ ଖଣି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ନିମନ୍ତେ ବେଦାନ୍ତ କମ୍ପାନୀ ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛନ୍ତି । ବେଦାନ୍ତ କମ୍ପାନୀ ଖଣି ଉତ୍ପାଦନ ଯେଉଁଠି କରୁଛି ସେଠାରେ ହିଁ କାରଖାନା ପ୍ରତିଷ୍ଠା କରୁ ବୋଲି ବିସ୍ଥାପିତ ଅଞ୍ଚଳବାସି ଦାବି କରିଛନ୍ତି । ସେହିପରି କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଭାବିତ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ନେଇ ଲକ୍ଷ୍ମୀପୁର ଥାନା ଅଧିକାରୀ ଓ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ।





