ଯୁବ ବିକାଶ ପକ୍ଷରୁ ଅନୁଷ୍ଠିତ ହେଲା ଏମ୍ବ୍ରୋଡାରି ପ୍ରଶିକ୍ଷାର୍ଥୀଙ୍କ ସମ୍ୱର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତ ମନୁନଗର ଗ୍ରାମରେ ‘ଯୁବ ବିକାଶ’, ‘ଏସଏମଏଫଜି ଗ୍ରାମଶକ୍ତି’ ଓ ‘ଉଦୟ’ ଅଗ୍ରଣୀ ସେବା ସଂଗଠନ ଆନୁକୂଲ୍ୟରେ ପ୍ରତିଷ୍ଠିତ ବସ୍ତ୍ର ଉତ୍ପାଦନ କେନ୍ଦ୍ରର ପ୍ରଶିକ୍ଷିତ ଉତ୍ପାଦନକାରୀ ମହିଳାମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ବରିଷ୍ଠ ସମାଜସେବୀ ଗୋବିନ୍ଦ ଦଳାଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ‘ଏସଏମଏଫଜି’ର ‘ସିଏସଆର’ ମୁଖ୍ୟ ଅମଲ ଭାଲେରାଓ,
ମୁଖ୍ୟବକ୍ତା ଭାବେ ଉପସଭାପତି ଅଭ୍ରଦୀପ ଦାସ, ରାଜ୍ୟ ସଂଯୋଜକ ଅସିତ ଦଳାଇ, ସମ୍ମାନିତ ଅତିଥି ଭାବେ ଆରୁହାବୃତ୍ତି-୧ ପଞ୍ଚାୟତର ସରପଞ୍ଚ ଗୀତାରାଣୀ ଜେନା, ପଞ୍ଚାୟତ ସମିତି ସଦସ୍ୟା ଅଞ୍ଜଳି ଜେନା, ଆଇନଜୀବୀ ରାଜକିଶୋର ଜେନା, ଭାଗ୍ୟଲଷ୍ମୀ ରାଉତ, ପବିତ୍ର ବେହେରା, ମହିଳା ଜୀବିକା ସଂଯୋଜକ ସଂଯୁକ୍ତା ବେହେରା, ସମାଜସେବୀ ବ୍ରଜ କିଶୋର ପାଳ, ଗ୍ରାମ ସଭାପତି ରାମଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ପଞ୍ଚାୟତ ତରଫରୁ ସମାଜସେବୀ ସୁବ୍ରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ବସନ୍ତ ବାରିକ, ମନୋଜ ବାରିକ, ଯଜ୍ଞେଶ୍ୱର ପାଳ, ନାରାୟଣ ପ୍ରସାଦ ବାରିକ, ମନୋରଞ୍ଜନ ପରିଡା, ଅଶୋକ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର କ୍ରମାଗତ ଛଅଥର ବନ୍ୟାରେ ଫସଲ ନଷ୍ଟ ହୋଇଯିବା ପରେ ଘୋର ଆର୍ଥିକ ଦୁରବସ୍ଥା ଭିତରେ ଗତି କରୁଥିବା ମନୁନଗର ଗ୍ରାମର କେତେକ ପରିବାରର ମାଆମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ତିନି ମାସ ପୂର୍ବେ ତାଲିମ ପ୍ରଦାନ ପୂର୍ବକ ପରୀକ୍ଷା ମୂଳକ ଭାବେ ଉପରୋକ୍ତ ସଂଗଠନ ଜରିଆରେ ବସ୍ତ୍ର ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିଲା। ଏବଂ ଏଠାକାର ଉତ୍ପାଦଗୁଡିକ ସର୍ବ ଭାରତୀୟ ବଜାରରେ ବହୁ ଚାହିଦାକୁ ଲକ୍ଷ୍ୟରେ ରଖି ଆଜି ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସଂଗଠନ ତରଫରୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅନ୍ୟ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମ୍ପ୍ରସାରଣ କରାଯିବାକୁ ସରପଞ୍ଚ ଓ ସଦସ୍ୟା ସଂସ୍ଥାର ପ୍ରମୁଖଙ୍କୁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନୁନଗର ତଥା ପଞ୍ଚାୟତର ଶତାଧିକ ମହିଳା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.