‘ପୁଷ୍ ପୁନି’ ପରବରେ ଗବଡା ଦେବତା ଉପାସନା : ଏକ ତାତ୍ତ୍ବିକ ଆଲୋଚନା 

✍🏼ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା 

ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ‘ପୁଷ୍ ପୁନି’ ଅନ୍ୟତମ। ପୈାଷ ମାସର ପୂର୍ଣ୍ଣମୀ ତିଥିରେ ଏହା ପାଳିତ ହୋଇଥାଏ। ପୁଷପୁନି ଶ୍ରମଜୀବୀ ଜନତାର ମୁକ୍ତିର ଦିନ। ପୂର୍ବେ ଜମି ମାଳିକ ମାନଙ୍କ ପାଖରେ ହଳିଆଟିଏ ବାର୍ଷିକ ଚୁକ୍ତି ହିସାବରେ ରହୁଥିଲା। ଜମି ମାଳିକ/ସାହୁକାର (ବା) ବଡ଼ ଚାଷୀ ତାକୁ ଚୁକ୍ତି ଅନୁସାରେ ସପ୍ତାହକୁ ସପ୍ତାହ କିମ୍ବା ମାସକୁ ମାସ ଧାନ ଦେଉଥିଲେ, ଏହାକୁ “ମାସରି ହଳିଆ” ବୋଲି କୁହାଯାଏ। ଆଉ କେତେକ ହଲିଆ ସାହୁକାର ଘରେ ଦୁଇ ଓଳି ଖାଇ କାମ କରୁଥିଲେ, ଏମାନଙ୍କୁ “ଘରଖିଆ ହଳିଆ” ବୋଲି କୁହାଯାଏ। ଏମାନେ ଧାନ ଅମଳ ପରେ ଚୁକ୍ତି ଅନୁସାରେ ପାଉଣା ପାଉଥିଲେ। ପ୍ରତି ବର୍ଷ ପୈାଷ ପୂର୍ଣ୍ଣିମା ଦିନ ଏମାନଙ୍କ ଚୁକ୍ତି ଶେଷ ହେଉଥିଲା। ଏହିଦିନ ସାହୁକାର ହଳିଆମାନଙ୍କୁ କିଛି ଧନ ଦେଉଥିଲେ, ଏଥିରେ କୁକୁଡ଼ା ଓ ମଦ କିଣି ହଳିଆମାନେ ଭୋଜି ଭାତ କରି ଖାଉଥିଲେ। ପୁଷପୁନି ପରଦିନ ବାସୀ, ତା’ପରଦିନ ତିଆସି ପାଳନ କରିବାପରେ ପ୍ରାୟ ସପ୍ତାହେଧରି ପରିବାରର ସହ ଆନନ୍ଦରେ ସମୟ ଅତିବାହିତ କରିବାପରେ ପୁଣି ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଆସିଥାଏ ଶ୍ରମଜୀବୀ।

ପୁଷପୁନି ଅନନ୍ଦର ପର୍ବ, ସମସ୍ତଙ୍କୁ ଏକକାର କରିଦେବାର ପାର୍ବଣ। ଅନେକ ଭାବନ୍ତି ଏହି ପର୍ବ କେବଳ ମଉଜ ମଜଲିସ କରିବାପାଇଁ ଉଦ୍ଦିଷ୍ଟ ଏବଂ ଏହି ଦିନ କୈାଣସି ଦେବାଦେବୀଙ୍କୁ ପୂଜା କରାଯାଏନାହିଁ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ। ପୁଷପୁନି ଦିନ ପ୍ରାଚୀନ ଅଭିଚାର ତନ୍ତ୍ର ଧାରାର ଜଣେ ବଳିଷ୍ଠ ଦେବତା ପୂଜା ପାଆନ୍ତି। ଆସନ୍ତୁ ଜାଣିବା ସେହି ଦେବତାଙ୍କ ସମ୍ବନ୍ଧରେ।

ବର୍ଷକୁ ଥରେ ପୈାଷ ପୂର୍ଣ୍ଣିମା ବା ପୁଷପୁନି ଦିନ ପୂଜା ପାଉଥିବା ଏହି ଦେବତା ହେଉଛନ୍ତି ‘ଗବଡା’। ଖତଗଦା ଦେଉଛି ଦେବତାଙ୍କ ନିବାସ। ପବିତ୍ର ଗୋମୟ ଭିତରେ ଦେବତାଙ୍କ ପରିକଳ୍ପନା କରାଯାଇଛି। ଏହି ଦେବତା ନିରାକାର ଶୁନ୍ୟ ସ୍ବରୂପ। ଆଦିମ କୃଷିଜିବୀ ସମାଜ ସମୟରୁ ଅଦ୍ୟାବଧି ଏହି ଦେବତାଙ୍କ ଉପାସନା ହୋଇ ଆସୁଛି।

ପୁଷପୁନି ଦିନ ସକାଳୁ ନୂତନ କେନ୍ଦୁବାଡି ଧରି ଗାଁର ନିର୍ଦ୍ଧିଷ୍ଟ ଖତଗଦାକୁ ଯିବାକୁ ହୁଏ। ସେଠାରେ ଗବଡା ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିବାପରେ କେନ୍ଦୁବାଡିରେ ଖତଗଦାକୁ ପିଟି ‘ଛେର୍ ଛେରା’ ଗୀତ ଗାନ କରାଯାଏ। ଏହାପରେ ଘର ଘର ଯାଇ ଛେର୍ ଛେରା ମାଗିବା ପରେ ସଂଗୃହିତ ସାମଗ୍ରୀକୁ ରନ୍ଧନ କରାଯାଇଥାଏ। ରନ୍ଧା ବଢା ସରିବାପରେ ଗବଡା ଦେବତାଙ୍କ ପାଖରେ ପିଟା ଯାଇଥିବା କେନ୍ଦୁ ବାଡିକୁ ପୂଜା କରାଯାଏ ଏବଂ ଗବଡା ଦେବତାଙ୍କ ଉଦ୍ଦେଶ୍ୟରେ ରନ୍ଧନ ସାମଗ୍ରୀକୁ ସମର୍ପଣ କରାଯାଇଥାଏ। ଦେବତାଙ୍କ ଶାନ୍ତି ବିଧାନ ପାଇଁ କେନ୍ଦୁ ପତ୍ରରେ ମଦ୍ୟ ଢାଳି ସମର୍ପଣ କରାଯାଏ। ପରେ ଏହି ମଦକୁ ପ୍ରସାଦ ଜ୍ଞାନରେ ପାନ କରାଯାଏ। ପରିଶେଷରେ ଗବଡା ଦେବତାଙ୍କ ପାଖରେ ପାଣି ଛଡେଇବାପରେ ସମସ୍ତେ ଆନନ୍ଦ ମନରେ ଭୋଜି ଭାତ ଖାଇଥାନ୍ତି। ଏହି ତତ୍ବ ଅନୁସାରେ ପୁଷ ପୁନି ଦିନ ମଦ୍ୟପାନକୁ ସହଜ ଭାବେ ଗ୍ରହଣ କରାଯାଇଥାଏ। ଏଥିରେ ହଳିଆ ସାହୁକାର, ଧନୀ ଗରିବର ବାଛ ବିଚାର ନଥାଏ। ପୁଷପୁନୀ ସମସ୍ତଙ୍କୁ ଏକକାର କରିଦେଇଥାଏ।

ପୁଷପୁନି ପର୍ବରେ ଗବଡା ଦେବତାଙ୍କ ଉପାସନା ଯେପରି ସ୍ବତନ୍ତ୍ର ସେହି ପରି ଏହି ପର଼ବରେ ଗାନ କରାଯାଉଥିବା ଛେର୍ ଛେରା ଗୀତ ମଧ୍ୟ ସ୍ବତନ୍ତ୍ର। ଛେର୍ ଛେରା ଗୀତ ବର୍ଷକୁ ଥରେ ମାତ୍ର ପୁଷ୍ ପୁନି ଦିନ ଗାନ କରାଯାଇଥାଏ।

” ଛେର୍ ଛେର୍ ଛେରା…..

ଆମ୍ ପତର୍ ଲମ୍ ଲମ୍
ଘିଚି ଖା ତର୍ ପେଟର୍ ଚମ୍
ଛେର୍ ଛେର୍ ଛେରା…।

ଛେର୍ ଛେର୍ ଛେରା….
ଗଉଡ୍ ଘରର୍ ଗାଏ ଗଠ୍
ଦେ ଗହରେନ୍ ଝଟ୍ ଝଟ୍
ଛେର୍ ଛେର୍ ଛେରା…..।

ଛେର୍ ଛେର୍ ଛେରା….
ଛେର୍ ଛେରା ବଲି ଗାଇଲି ଗୀତ
ଫଟା ଗଁଥା ନାଇଁ ଶୀତ
ଛେର୍ ଛେର୍ ଛେରା…..।‌।”

ଛେର୍ ଛେରା ଗୀତର ମାଧୁର୍ଯ୍ୟ ଅନନ୍ୟ ଯାହା ଶ୍ରୋତା ଏବଂ ଗାୟନ କରୁଥିବା ବ୍ୟକ୍ତିଙ୍କୁ ଆନନ୍ଦ ପ୍ରଦାନ କରିଥାଏ। ଏଥିରେ କୈାଣସି ବାଦ୍ୟ ଯନ୍ତ୍ରର ବ୍ୟବହାର ହୋଇନଥାଏ। ବାଡିର ଠକ୍ ଠକ୍ ଶବ୍ଦକୁ ତାଳ ଦେଇ ଛେର୍ ଛେରା ଗୀତ ଗତିଶୀଳ ହୋଇଥାଏ। ଏହି ଗୀତ ମାଧ୍ୟମରେ ସେହି ସମୟର ଚଳଣୀ ଓ ସାମାଜିକ ଚିତ୍ର ଜଳ ଜଳ ହୋଇ ଦିସିଯାଏ। ତେଣୁ ଏହାର ସଂରକ୍ଷଣ ଜରୁରୀ ବୋଲି ମନେହୁଏ। ବର୍ତ୍ତମାନ ପୂର୍ବର ସେହି ମାସରି ହଲିଆ କିମ୍ବା ଘରଖିଆ ହଳିଆ ପ୍ରଥା ନାହିଁ। କିନ୍ତୁ ପ୍ରାଚୀନ ପରମ୍ପରା ଧାରା କ୍ରମରେ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ଏହି ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇ ଆସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.