ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ନର୍ଲା କ୍ଲଷ୍ଟର ଅଧିନସ୍ଥ ଉଲିସିର୍କା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ସାହୁଙ୍କୁ କ୍ଲଷ୍ଟର ଓ ବିଦ୍ୟାଳୟ ତରଫରୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିର ସଭାପତି ପଦ୍ମଲୋଚନ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିନକେତନ ସାହୁ, ସମ୍ପାଦକ ଅମିତ କୁମାର ଶର୍ମା, ପୂର୍ବତନ ସଭାପତି ଦୀପାଞ୍ଜଳୀ ପାଢୀ, ନର୍ଲା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ କ୍ଷୀରସିନ୍ଧୁ ବାଗ, ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ବାରିକ, ବରିଷ୍ଠ ଶିକ୍ଷକ ଅଚ୍ୟୁତ ବାରିକ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ହୋଇ ଅବସରପ୍ରାପ୍ତ ବିଦାୟୀ ଶିକ୍ଷକ ନେପାଳ ସାହୁଙ୍କ କାର୍ଯ୍ୟ ଦକ୍ଷତା, ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳ ଓ ସ୍ନେହି ସ୍ୱଭାବ ତଥା ଜଣେ ଆଦର୍ଶ ଶିକ୍ଷକଙ୍କ ସ୍ୱଭାବ ର ଅଧିକାରୀ ବୋଲି ସେମାନଙ୍କ ବକ୍ତବ୍ୟରେ କହିଥିଲେ। ପ୍ରଥମେ ଗଣପତି ପୂଜନ ଓ ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମ୍ବର୍ଦ୍ଧନା ସଭା ଆରମ୍ଭ ହୋଇଥିଲା। ଛାତ୍ରୀ ମାନେ ବିଦାୟ ନେଉଥିବା ତାଙ୍କ ପ୍ରିୟ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବିଦାୟୀ ସଙ୍ଗୀତ ଗାନ କରିଥିଲେ। ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ସଭାସ୍ଥଳରେ।

ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ପ୍ରଥମେ ନର୍ଲା କ୍ଲଷ୍ଟର ତରଫରୁ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମ ବାସୀଙ୍କ ତରଫରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ କ୍ଲଷ୍ଟର, ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଉପହାର ମାନ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଅଜିତ ନାଏକ, ଯୁଧିଷ୍ଠିର ଭୋଇ, ଜରାଷଣ୍ଢ ଭୋଇ, ଯଶୋବନ୍ତ ନାଗ, ଜ୍ୟୋତ୍ସ୍ନାରାଣୀ ମଲିକ, ଦୈତାରି ଭୋଇ, ଶ୍ରୀମା ପରିଡା, ରାଜକିଶୋର ପାଢୀ, ସୁଦୀପ୍ତା ମିଶ୍ର, ସବିତା ଜାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଅର୍ଜୁନ ବାଗ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟ ମୋ ପାଇଁ ମନ୍ଦିର ଥିଲା। ଛାତ୍ରଛାତ୍ରୀଙ୍କୁ ମୁଁ ନିଷ୍ଠାର ସହ ଶିକ୍ଷାଦାନ ଦେଇ ଆସିଛି। ମୁଁ ଶିକ୍ଷାଦାନ ଦେଇଥିବା ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ବେଶ ପ୍ରତିଷ୍ଠିତ। ଏହା ମୋ ପାଇଁ ଗର୍ବର ବିଷୟ। ଅବସର ପରେ ମୁଁ ତ ଘରେ ଚୁପ ବସି ପାରିବିନି। ଉଲିସିର୍କା ବିଦ୍ୟାଳୟର ମୋର ପ୍ରିୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବା ପାଇଁ ମୁଁ ନିଶ୍ଚୟ ସମୟ କାଢି ଆସିବ। ଉଲିସିର୍କା ବିଦ୍ୟାଳୟ, ଏଠାକାର ମୋର ସହକର୍ମି, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଠାରୁ ମୁଁ ଯେଉଁ ସ୍ନେହ ଶ୍ରଦ୍ଧା ପାଇଛି ତାହା କେବେବି ଭୁଲି ପାରିବି ନାହିଁ ବୋଲି ତାଙ୍କ ବିଦାୟ କାଳିନ ବକ୍ତବ୍ୟରେ ଶ୍ରୀ ସାହୁ କହିଥିଲେ। ସାମୁହିକ ଭୋଜନ ପରେ ନର୍ଲା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଉଲିସିର୍କାର ଅନେକ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଏକ ଭବ୍ୟ ଶୋଭାଯାତ୍ରାରେ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ନର୍ଲାରୋଡ ସ୍ଥିତ ତାଙ୍କ ବାସଭବନ ପର୍ଯ୍ୟନ୍ତ ଛାଡିବା ପାଇଁ ଯାଇଥିଲେ।





