ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମେଗା ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନେ ରବି ଧାନ ବିକ୍ରି ପାଇଁ ପି-ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ଦାବିନେଇ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ଆହୁରି ତେଜିଛି। କୃଷକ ସଂଘର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଚାଷୀମାନେ କୋକସରା ଠାରେ ଜାତୀୟ ରାଜପଥ ପାର୍ଶ୍ୱରେ ଗଣଧାରଣା ଦେଇଛନ୍ତି।
ପ୍ରତିଦିନ ବିଭିନ୍ନ ପଞ୍ଚାୟତର ଚାଷୀମାନେ ଆନ୍ଦୋଳନରେ ସାମିଲ ହେଉଥିବାବେଳେ ଆଜି ଧର୍ମଗଡ଼ ବ୍ଳକ ଦଣ୍ଡପାଟ ଅଞ୍ଚଳର ବାଙ୍କିମୁଣା, କୋକସରା ବ୍ଲକର ଡାଲଗୁମା ଓ ମୁଷାପାଲିର ଚାଷୀମାନେ ସାମିଲ ହୋଇଥିଲେ। ଚାଷୀଙ୍କ ଏହି ନ୍ୟାୟର ଲଢ଼େଇକୁ ସମର୍ଥନ ଜଣାଇ ଆଜି ଧାରଣାସ୍ଥଳରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ସାମିଲ ହୋଇ ଚାଷୀ ମାନଙ୍କ ସହିତ ଧାରଣାରେ ବସିଥିଲେ।

ଚାଷୀ ଜୟଲାଲ ନାଏକ, ପ୍ରଶାନ୍ତ ତିୱାରୀ, ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ, ସରପଞ୍ଚ ଅକ୍ଷୟ ନାଏକ, ମାନସ ରଞ୍ଜନ ବାଗ, ନବୀନ ନାଏକ, ତ୍ରିଭୁବନ ନାଏକ, ଧବଲେଶ୍ୱର ନାଗ, ଅରୁଣ ମାଝୀ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ, ଦିଗାମ୍ବର ବେମାଲ, ଯଦୁମଣି ହଂସ, ପୁରୁନଧର ଘି, ମନିଜର ପୋଡ଼, ଚିତ୍ତରଞ୍ଜନ ପୁଝାରୀ, ଭକ୍ତିରାମ ପୋଡ଼, ପଞ୍ଚକ ପୋଡ଼, ଧନମଣି କଟା ସମେତ ଶତାଧିକ ଚାଷୀ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇ ଧାରଣାରେ ବସିଥିଲେ। ପ୍ରକାଶ ଯେ’ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ପ୍ରାୟ ୧୫ ହଜାର ଚାଷୀ ୧୮ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ଚାଷ କରିଛନ୍ତି। ତେବେ ଧାନ ବିକ୍ରୀ ନିମନ୍ତେ ପଞ୍ଜିକରଣ ନ ହେବାରୁ ଚାଷୀମାନେ ଏହି ଗଣ ଧାରଣାରେ ବସିଛନ୍ତି। ୧୯ ପର୍ଯ୍ୟନ୍ତ ଯଦି ସରକାର ପକ୍ଷରୁ କୌଣସି ନିଷ୍ପତି ନ ନିଅନ୍ତି ତେବେ ତିନିଗୋଟି ବ୍ଲକର ସମସ୍ତ ଚାଷୀ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି କୃଷକ ମୋର୍ଚା ର ଆବାହକ ରାଜୀବ ଅଗ୍ରୱାଲ ସୂଚନା ଦେଇଛନ୍ତି l





