ରାମଚନ୍ଦ୍ରପୁରରେ ରେଳଯାତ୍ରୀ ସୁରକ୍ଷା ଓ ସଚେତନତା ସଭା

ରାମଚନ୍ଦ୍ରପୁରକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୂର୍ବତଟ ରେଳପଥ ଲାଞ୍ଜିଗଡ଼ରୋଡ଼- ଜୁନାଗଡ଼ ରେଳ ଲାଇନର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଏକ୍ସପ୍ରେସ ଟ୍ରେନ ରହଣୀ ବାତିଲକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଟ୍ରେନ ରହଣୀ ନକଲେ ତୀବ୍ର ଜନ ଆନ୍ଦୋଳନର ସଂକେତ ମିଳୁଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଏକ ପ୍ରତିନିଧି ଦଳ ସମ୍ବଲପୁର ରେଳ ମଣ୍ଡଳ ଅଧିକ୍ଷକ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ଭେଟି ଦାବିପତ୍ର ଦେବା ସହିତ ଆଲୋଚନା କରିଛନ୍ତି। ତେବେ ଟ୍ରେନ ଚଳାଚଳ ଅଞ୍ଚଳବାସୀଙ୍କ ପାଇଁ ଏକ ଆବଶ୍ୟକତା ହୋଇଥିବାବେଳେ ଆଜି ପ୍ରାୟ ୩୦ ଖଣ୍ଡ ଗାଁର ଲୋକେ ଏକ ସଭାରେ ଏକତ୍ରିତ ହୋଇଥିଲେ। କଳାହାଣ୍ଡି ରେଳଯାତ୍ରୀ ସଂଘ, ରାମଚନ୍ଦ୍ରପୁର ୟୁନିଟର ଡାକରାରେ ଆଜି ରାମଚନ୍ଦ୍ରପୁର ବଜାର ପଡ଼ିଆରେ ପାଞ୍ଚଶହରୁ ଉର୍ଦ୍ଧ୍ଵ ଲୋକଙ୍କ ସମାବେଶ ହୋଇଥିଲା।

 

କଳାହାଣ୍ଡି ରେଳଯାତ୍ରୀ ସଂଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଭାକୁ ସମ୍ବୋଧନ କରିଥଲେ। ଏହି ଅବସରରେ ଓଡ଼ିଶାରେ ସର୍ବ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ରେଳଯାତ୍ରୀ ସୁରକ୍ଷା ଓ ସଚେତନତା ସଭାକୁ ସେ ପ୍ରଶଂସା କରିବା ସହିତ କେନ୍ଦ୍ର ରେଳମନ୍ତ୍ରୀ, ରାଜ୍ୟ ସରକାର, ରେଳ ବିଭାଗ ତଥା ରାଜ୍ୟସଭା ଓ ଲୋକସଭା ସାଂସଦ ଲୋକଙ୍କ ଦାବି ସମ୍ପର୍କରେ ଅବଗତ ଥିବାରୁ ଖୁବ ଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା ପୋଷଣ କରିଥିଲେ। କଳାହାଣ୍ଡି ରେଳଯାତ୍ରୀ ସଂଘ, ରାମଚନ୍ଦ୍ରପୁର ୟୁନିଟର ସଭାପତି ପ୍ରଭାତ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା କିଶୋର କୁମାର ପୁରୋହିତ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସଂଘର ଅନ୍ୟତମ ଉପଦେଷ୍ଟା ସମାଜସେବୀ ଦିଲୀପ ମିଶ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ପୂର୍ବତନ ଟିଡ଼ିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ବରିଷ୍ଠ ନାଗରିକ ଚକ୍ରଧର ପଣ୍ଡା, ଅଶୋକ ପାଢ଼ୀ, ଶୋଭାବନ ଛତର, ପ୍ରସନ୍ନ କୁମାର ପରିଡ଼ା, ମୋହନ ବିଶ୍ୱାଳ, ଅଶୋକ ପରିଡ଼ା, ଶମ୍ଭୁପ୍ରସାଦ ସାହୁ, ଜ୍ୟୋତିଷ ପଣ୍ଡା, ବୀରେନ କୁମାର ପଣ୍ଡା, ମାଧବ ଦାସ, ଅଶୋକ ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ। କଳାହାଣ୍ଡି ରେଳଯାତ୍ରୀ ସଂଘର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଉମାଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଲମ୍ବୋଦର ପତି, ହୃଷିକେଶ ବଗର୍ତ୍ତି, ବିକ୍ରମ ଛତ୍ରିଆ, ସୁବଳ ଭୋଇ, ରାଜକୁମାର ମାଝୀ, ବିକାଶ ଦୁର୍ଗା, କୈଳାସ ଗଉଡ଼, ଶିବା ଗଉଡ଼, ଡୋଳେଶ୍ୱର ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାମଚନ୍ଦ୍ରପୁର ପାସେଞ୍ଜର ହଲଟକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ କରିବା, ଭୁବନେଶ୍ୱର- ଜୁନାଗଡ଼-ଭୁବନେଶ୍ଵର ଏକ୍ସପ୍ରେସ ଓ ରାୟପୁର-ଜୁନାଗଡ଼-ରାୟପୁର ଡିଏମୟୁ ଟ୍ରେନର ରହଣୀ ପୁନଃ କାର୍ଯ୍ୟକ୍ଷମ କରିବା ଆଦି ଦାବି ନେଇ ଅଞ୍ଚଳର ପାଞ୍ଚଶହରୁ ଉର୍ଦ୍ଧ୍ଵ ଜନସାଧାରଣ ସାମିଲ ହୋଇଥିଲେ। ଶହ ଶହ ମହିଳା ଟ୍ରେନ ଚଳାଚଳ ଓ ରହଣୀକୁ ନେଇ ନିଜର ଭାବାବେଗ ପ୍ରକାଶ କରିବା ସହିତ ‘ଜମି ଗଲା, ଜାଗା ଗଲା, ରେଳ ଚଢ଼ିବା ଭାଗ୍ୟେ ନୋହିଲା’, ‘ରେଳ ବିଭାଗର ଲଗାତାର ଅବହେଳା : କହି ହେଉନି, ସହି ହେଉନି’ ଆଦି ନାରା ଥିବା ପ୍ଲାକାର୍ଡ ଧରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ରାମଚନ୍ଦ୍ରପୁରକୁ ପୂର୍ଣ୍ଣାଙ୍ଗ ରେଳଷ୍ଟେସନ ମାନ୍ୟତା, ଜୁନାଗଡ଼-ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ ଏବଂ ଜୁନାଗଡ଼-ରାୟପୁର- ଜୁନାଗଡ଼ ଡିଏମୟୁ ଟ୍ରେନ ରହଣୀ ଦାବିକୁ ନେଇ ଜନ ଅସନ୍ତୋଷ କୁହୁଳୁଥିବାବେଳେ ଏହା ଯେ କୌଣସି ମୁହୂର୍ତ୍ତରେ ଏକ ବିରାଟ ଜନଆନ୍ଦୋଳନର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ସମୟ ଥାଉଁଣୁ ରେଳ ବିଭାଗ ସମୁଚିତ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି। ଆଜିର ସଭାରେ ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର, କଦମ୍ବଗୁଡା ନର୍ଲା ବ୍ଲକର ଘଣ୍ଟମାଳ, ଶାନ୍ତପୁର, ବଡ଼ଧାରପୁର ପଞ୍ଚାୟତର ପାଞ୍ଚଶହରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳା ସ୍ୱତଃସ୍ପୁର୍ତ୍ତ ଭାବେ ଯୋଗ ଦେଇଥିବାବେଳେ ସିକେରକୁପା ଫାଣ୍ଡି ଅଧିକାରୀ ମଦନମୋହନ ପିଡ଼ିକାଙ୍କ ନେତୃତ୍ୱରେ ପୁଲିସ ବଳ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.