ଦଶମ ଦିନରେ କୋକସରା ଚାଷୀ ଆନ୍ଦୋଳନ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପି-ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ କରିବା ଦାବିରେ କୋକସରାଠାରେ ଚାଲିଥିବା ଇନ୍ଦ୍ରାବତୀ ଉଠା ଜଳସେଚନ ଚାଷୀ ମାନଙ୍କ ଗଣଧାରଣା ଦିନକୁ ଦିନ ତ୍ରିବ୍ର ହେବାରେ ଲାଗିଛି। ଏହି ଆନ୍ଦୋଳନ ରବିବାର ଦଶମ ଦିନରେ ପହଞ୍ଚିଥିବା ବେଳେ ପ୍ରତିଦିନ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଓ ସାମାଜିକ ସଂଗଠନର ସମର୍ଥନ ମିଳୁଛି। ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କୃଷକ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା, ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜାରି ରହିଥିବାବେଳେ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଶହ ଶହ ଚାଷୀ ଆନ୍ଦୋଳନରେ ସାମିଲ ହେଉଛନ୍ତି। ଯାହା ଫଳରେ ଧିରେଧିରେ ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି। ଆଜି ଆନ୍ଦୋଳନକୁ ସମର୍ଥନ ଜଣାଇ ପିସିସି ସଦସ୍ୟ ତୁସାର ରଞ୍ଜନ ପାଟ୍ଟଯୋଶୀ, ବରିଷ୍ଠ କଂଗ୍ରେସ ନେତା ରବିନ୍ଦ୍ର କୁମାର ପାଟ୍ଟଯୋଷୀ, ଧର୍ମଗଡ଼ ବ୍ଳକ କଂଗ୍ରେସ ସଭାପତି ପ୍ରେମଲାଲ ଶାଗର, ବରିଷ୍ଠ ଚାଷୀ ନେତା ସତ୍ୟନାରାୟଣ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇ ଚାଷୀଙ୍କ ସହ ଗଣଧାରଣାରେ ଯୋଗଦେଇ ସରକାରଙ୍କ ଚାଷୀ ମାରଣ ନୀତିକୁ ତିବ୍ର ସମାଲୋଚନା କରିଥିଲେ। ସୂଚନା ଯେ, ଇନ୍ଦ୍ରାବତୀ ବାମ ଓ ଡାହାଣ କେନାଲ ଅଞ୍ଚଳର ଚାଷୀମାନେ ରବି ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ କରିଥିବା ବେଳେ ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୧୫ ହଜାର ଚାଷୀ ପି-ପାସ ପୋର୍ଟାଲରେ ମେଗା ଲିଫ୍ଟ ବିକଳ୍ପ ଆସି ନଥିବାରୁ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ତେବେ ସରକାରଙ୍କ ଏଭଳି ପାତରଅନ୍ତର ନୀତି ଯୋଗୁଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଅଞ୍ଚଳର ଚାଷୀ ଧାନ ବିକ୍ରି କରି ନପାରିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଶାସକ ଦଳକୁ ଭାରି ପଡ଼ିବ ବୋଲି କୁହିଛନ୍ତି ଚାଷୀ। ସୂଚନା ଯେ’ ଗତ ୮ ତାରିଖରେ କୋକସରା ଠାରେ ହଜାର ହଜାର ଚାଷୀ ଧାନ ବିକ୍ରି ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ ସୁଦ୍ଧା ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ କୋକସରାଠାରେ ଚାଲିଥିବା ଇନ୍ଦ୍ରାବତୀ ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଆଜି ଦଶମ ଦିନରେ ପହଞ୍ଚିଛି । ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ। ଯାହାକୁ ନେଇ ଅସନ୍ତୋଷ ଚାଷୀମାନେ ୧୯ ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ମଧ୍ୟ ସରକାର ସେମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ୨୦ ତାରିଖରୁ କୋକସରାଠାରେ ପୁଣି ଆମରଣ ଅନଶନରେ ବସିବା ସହ ୨୩ ତାରିଖରେ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସୱେର ଆମପାଣି ଠାରେ ଭୟାବହ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଚାଷୀ ସଂଘ ଚେତାବନୀ ଦେଇଛି। ଆଜି ଗଣଧାରଣାରେ ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରୀଆ, ଦୁର୍ଗା ନାଏକ, ରବିନାରାୟଣ ଦାସ, ପ୍ରଶାନ୍ତ ତିୱାରୀ, ତ୍ରିଭୁବନ ନାଏକ, ବିଶ୍ବନାଥ ପଟ୍ଟନାୟକ, ପ୍ରଣବ ବେହେରା, ଅମୋଜ ଧାରୁଆ, ଧବଲେଶ୍ୱର ନାଗ, ପଞ୍ଚକ ପୋଡ଼, ମନିଜର ପୋଡ଼, ଚିତ୍ତରଞ୍ଜନ ପୁଝାରୀ, ରଘୁ ପଣ୍ଡା, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ପ୍ରମୋଦ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ସୁଶାନ୍ତ ବେହେରା, ଲଲାଟେନ୍ଦୁ ପ୍ରଧାନୀ, କିରଣ ସାହୁ ସମେତ କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ସାମିଲ ହୋଇଥିଲେ।





