ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଯୁବକବି ତଥା ଚଳଚ୍ଚିତ୍ର ନିର୍ମାତା ନିଖିଳେଶ ମିଶ୍ରଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ ପାଇଁ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ଚୟନ କରାଯାଇଛି। ସେ ବର୍ତ୍ତମାନ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ୍ (ଏସ୍ଆରଏଫ୍ଟିଆଇ)ର ଡାଇରେକ୍ସନ ଓ ସ୍କ୍ରିନପ୍ଲେ ରାଇଟିଂ ବିଭାଗର ଅନ୍ତିମ ବର୍ଷର ଛାତ୍ର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ୱେଭ୍ସ ବଜାର ଗ୍ଲୋବାଲ ଆଉଟରିଚ୍ ପ୍ରୋଗ୍ରାମ୍’ ଅଧୀନରେ ସେ ଭାରତର ପ୍ରତିନିଧିତ୍ୱ କରିବେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଚଳଚ୍ଚିତ୍ର ଓ ଗଣମାଧ୍ୟମ କ୍ଷେତ୍ରରେ ଭାରତର ସୃଜନଶୀଳ ପ୍ରତିଭାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିବା ସହ ଆନ୍ତର୍ଜାତିକ ସହଯୋଗ ଓ ସହ-ନିର୍ମାଣର ସୁଯୋଗ ସୃଷ୍ଟି କରିବା। ଏସ୍ଆରଏଫ୍ଟିଆଇର ଏହି ଛାତ୍ରଙ୍କ ଚୟନ ଓଡ଼ିଶାର ଆଞ୍ଚଳିକ ପ୍ରତିଭା ପାଇଁ ବିଶ୍ୱମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।ରେଭେନ୍ଶା ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ପୂର୍ବତନ ଛାତ୍ର ନିଖିଳେଶ ଜଣେ ପୁରସ୍କୃତ ଯୁବକବି ଓ ଲେଖକ ମଧ୍ୟ। ୨୦୨୩ରେ ଇଫି ଗୋଆରେ ସେ ‘୭୫ କ୍ରିଏଟିଭ ମାଇଣ୍ଡସ ଅଫ୍ ଟୁମରୋ’ ମଧ୍ୟରେ ସ୍ଥାନ ପାଇଥିଲେ। ଏହାସହ ୨୦୨୪ରେ ଚୀନରେ ଆୟୋଜିତ ଆନ୍ତର୍ଜାତିକ ଯୁବ କବିତା ଉତ୍ସବରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ତାଙ୍କର ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ରଗୁଡ଼ିକ ଦେଶ ଓ ବିଦେଶର ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି। ତାଙ୍କର ସାମ୍ପ୍ରତିକ ସ୍ୱଳ୍ପଦୈର୍ଘ୍ୟ କାହାଣୀଚିତ୍ର ‘ନବୀନ ସୁନ୍ଦର ଘନଶ୍ୟାମ ହେ’ ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା ଦାସକାଠିଆ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ବର୍ତ୍ତମାନ ସେ କୋଲକାତାର ପ୍ରବାସୀ ଜୀବନର ଅନୁଭୂତିକୁ ନେଇ ‘ଦେୟାର୍ସ ସଲ୍ଟ ଇନ ଆୱର ଡ୍ରିମ୍ସ’ ଶୀର୍ଷକ ଏକ ବ୍ୟକ୍ତିଗତ ତଥ୍ୟଚିତ୍ର ନିର୍ମାଣରେ ବ୍ୟସ୍ତ ଅଛନ୍ତି।





