ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବାଲେଶ୍ୱର ଜିଲ୍ଲା ବାୟୁସେନା ସଂଗଠନ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି। ରବିବାର ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ମାଗଣା ଦହି ସର୍ବତ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାୟୁସେନା ସଂଗଠନର ସମସ୍ତ ପୂର୍ବତନ ସୈନିକ ଏବଂ ସେମାନଙ୍କ ସହଧର୍ମିଣୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରୁଥିବାବେଳେ ଏହି ଦହି ସର୍ବତ ବିତରଣ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଥିଲା। ସଂଗଠନର ସଦସ୍ୟମାନେ କହିଛନ୍ତି, ସାଧାରଣ ଜନତାଙ୍କ ମଧ୍ୟରେ ଭାରତୀୟ ବାୟୁସେନା ପ୍ରତି ସାକାରାତ୍ମକ ମନୋଭାବ ସୃଷ୍ଟି କରିବା ଏହି ଉଦ୍ୟମର ଅନ୍ୟତମ ଉଦ୍ଦେଶ୍ୟ। ବାଲେଶ୍ୱର ସହରର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ଜନହିତ କାର୍ଯ୍ୟର ଶୁଭାରମ୍ଭ କରିଥିବାରୁ ପ୍ରଚଣ୍ଡ ଖରାତାତିରେ ସିଝୁଥିବା ପଥଚାରୀମାନେ ଏହାର ଭୁରି ଭୁରି ପ୍ରଶଂସା କରିଥିଲେ। ଏହି ଜନହିତକର କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବାୟୁସେନାର ପୂର୍ବତନ ସୈନିକମାନଙ୍କୁ ସର୍ବସାଧାରଣରେ ବ୍ୟାପକ ପ୍ରଶଂସା କରାଯାଉଛି। ଅନେକ ସ୍ଥାନୀୟ ବାସିନ୍ଦା ଏଭଳି ଉଦ୍ୟମକୁ ସ୍ୱାଗତ କରିବା ସହ ଭବିଷ୍ୟତରେ ମଧ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି।





