ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମେ ୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି। ଏହି କ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ନର୍ଲାରୋଡ, ରୁପ୍ରାରୋଡ, ରୁପ୍ରା, ବାଲିପଡା, ଛତିକୁଡା ଓ ଶେରଗଡ ପ୍ରଭୃତି ସ୍ଥାନର ଔଷଧ ଦୋକାନ ଗୁଡିକ ବନ୍ଦ ରହିଛି। ସେ ୧୯ରେ ଏହି ବିଷୟରେ ନ୍ୟୁଜ ପ୍ରସାରଣ ହୋଇଥିଲେ ମଧ୍ୟ୍ୟ ସ୍ଥାନୀୟ ଲୋକେ ଜାଣି ପାରି ନ ଥିବାରୁ ଆଜି ସକାଳୁ ଔଷଧ କିଣିବା ପାଇଁ ଦୋକାନକୁ ଆସି ଫେରି ଯାଉଥିବା ଦେଖିବାକୁ ମିଳୁଛି। ଜରୁରୀ ଔଷଧ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁ ଥିବା ଜଣା ପଡିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ ପକ୍ଷରୁ ଦେଶବ୍ୟାପୀ ମେଡିକାଲ୍ ଷ୍ଟୋର ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଡ୍ରଗ୍ଧ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ମ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ଧ କଣ୍ଟ୍ରୋଲର ମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବନ୍ଦ ବେଳେ ହସ୍ପିଟାଲ୍ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ, ସରକାରୀ ଓ ବେସରକାରୀ ହସ୍ପିଟାଲ୍ ସହ ସଂଲଗ୍ନ ସମସ୍ତ ଇନ୍-ହାଉସ୍ ଫାର୍ମାସି ଏବଂ ୨୪ ଘଣ୍ଡିଆ ମେଡିସିନ୍ ଷ୍ଟୋର ଗୁଡ଼ିକୁ ଖୋଲା ରଖିବା ପାଇଁ ଆବଶ୍ୟକ ଅତିରିକ୍ତ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ କୁହାଯାଇଛି। ସାଧାରଣ ଲୋକ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହଯୋଗରେ ଆବଶ୍ୟକ ମେଡିକାଲ୍ ଷ୍ଟୋର ଖୋଲା ରଖୁବାକୁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ସେପଟେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏନ୍ ଦାବି କରିଛି ଯେ, ଇ-ଫାର୍ମାସି ବା ଅନଲାଇନ୍ ବିକ୍ରିରେ ରିହାତି ତ ମିଳୁଛି। ହେଲେ ଏଥିରେ ଗୁଣବତ୍ତାକୁ ଅଣଦେଖା କରାଯାଉଛି। ଯାହା ସ୍ବାସ୍ଥ୍ୟପ୍ରତି ହାନିକାରକ। ରିହାତି ଦ୍ବାରା କର୍ପୋରେଟ ସଂସ୍ଥା ମାର୍କେଟକୁ ଅସ୍ଥିର କରୁଛନ୍ତି। କାରଣ ଔଷଧର ଦର ଓ ଲାଭର ମାର୍ଜିନକୁ ଭାରତ ସରକାର ନିର୍ଦ୍ଧାରଣ କରିଥାନ୍ତି। କର୍ପୋରେଟ ମନମାନି ଦ୍ବାରା ଗାଁ ଓ ଅନ୍ୟ ସ୍ଥାନରେ ଔଷଧ ବିକ୍ରେତାଙ୍କ ବ୍ୟାପାର ପ୍ରଭାବିତ ହେଉଛି। ସେପଟେ କୋଭିଡ ସମୟର ଯେଉଁ ଅସ୍ଥାୟୀ ନିୟମ ଥିଲା, ତାକୁ ଉଛେଦ ପାଇଁ ବି ଦାବି କରିଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଔଷଧ ଦୋକାନୀଙ୍କ ମତାମତ ନେବାରୁ ସେମାନେ କହୁଛନ୍ତି ସେମିତି କିଛି ନିର୍ଦ୍ଦିଷ୍ଟ ଗୁଣବତ୍ତା ପ୍ରମାଣିତ ନଥିବା ଓ ସରକାରଙ୍କ ପାଖରେ କୌଣସି ରେଜିଷ୍ଟ୍ରେସନ ନଥିବା ସଂସ୍ଥାମାନେ ଔଷଧ ଗୁଡିକୁ ଉଚ୍ଚ ମୂଲ୍ୟର ରିହାତିର ପ୍ରଲୋଭନ ଦେଇ ଅନ ଲାଇନ ଯୋଗେ ବ୍ୟବସାୟ କରୁଥିବାରୁ ଆମ ମାନଙ୍କ ବ୍ୟବସାୟରେ ବାଧା ସୃଷ୍ଟି ହେଉଛି। ଏହି ଅନ ଲାଇନ ଔଷଧ ବିକ୍ରେତା ମାନଙ୍କ ପାଇଁ ସରକାରଙ୍କର ମଧ୍ଯ କୌଣସି ଗାଇଡ ଲାଇନ ନାହିଁ। ଏଣୁ ଏସବୁକୁ ବିରୋଧ କରି ଆମେ ବନ୍ଦ ପାଳନ କରୁଛୁ।





