୪୪ ଚୋରି ବାଇକ୍ ଜବତ, ୬ ଗିରଫ

ଜୁନାଗଡ଼ ପୋଲିସର ବଡ଼ ସଫଳତା 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାରେ ବାଇକ୍ ଚୋରି ଘଟଣାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଜୁନାଗଡ଼ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସଂଗଠିତ ଭାବେ କାର୍ଯ୍ୟରତ ଥିବା ଏକ ବାଇକ୍ ଚୋର ଚକ୍ରର ପର୍ଦ୍ଦାଫାସ କରି ପୋଲିସ ୪୪ଟି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ସଫଳତା ସମ୍ପର୍କରେ ବୁଧବାର ଜୁନାଗଡ଼ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ଗନ୍ତାୟତପଡାର ସୁରଜ କୈବର୍ତ୍ତ (୧୮), ପବନ କୈବର୍ତ୍ତ (୨୩), ଆକାଶ କୈବର୍ତ୍ତ (୧୯), ହିଞ୍ଜଲିବାହାଲିପଡାର ଆଲୋକ ବାରିକ (୧୯), ମୁଣ୍ଡରାଗୁଡାର ଚାନ୍ଦ ନାଏକ (୨୧) ଏବଂ ଭବାନୀପାଟଣା ନକଟିଗୁଡାର ସମୀର ଦୁର୍ଗା (୨୨)। ସୂଚନାନୁସାରେ, ଗତ ୧୩ ତାରିଖରେ ଜୁନାଗଡ଼ ଥାନାରେ ଏକ ବାଇକ୍ ଚୋରି ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତକୁ ତୀବ୍ର କରିଥିଲା। ଟେକ୍ନିକାଲ ତଥ୍ୟ ଓ ଗୁପ୍ତ ସୂଚନାକୁ ଆଧାର କରି ଚଢ଼ାଉ କରାଯାଇ ଏହି ଚକ୍ରକୁ ଧରିବାରେ ପୋଲିସ ସଫଳ ହୋଇଥିଲା। ତଦନ୍ତକାଳୀନ ଅଭିଯୁକ୍ତମାନଙ୍କ ନିକଟରୁ ୪୪ଟି ଚୋରି ବାଇକ୍ ଜବତ ହୋଇଛି। ଉଦ୍ଧାର ହୋଇଥିବା ବାଇକ୍‌ଗୁଡ଼ିକ ଜୁନାଗଡ଼ ସମେତ ଧର୍ମଗଡ଼, କୋକସରା, ଆମପାଣି ଓ ଗୋଲାମୁଣ୍ଡା ଥାନା ଅଞ୍ଚଳରୁ ଚୋରି ହୋଇଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି। ଏହି ସବୁ ଥାନାରେ ପୂର୍ବରୁ ଏକାଧିକ ଚୋରି ମାମଲା ରହିଥିଲା। ଏସପି ଶ୍ରୀ ଦେବରକୋଣ୍ଡା କହିଛନ୍ତି, ଏହି ଗ୍ୟାଙ୍ଗ ଦୀର୍ଘଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ସେଗୁଡ଼ିକୁ ଅନ୍ୟତ୍ର ବିକ୍ରି କରୁଥିଲେ। ଜୁନାଗଡ଼ ପୋଲିସର ତତ୍ପରତାରେ ଏହି ଚକ୍ର ଧରାପଡ଼ିଥିବାରୁ ଆଗାମୀଦିନରେ ଏପରି ଅପରାଧ ଉପରେ ନିୟନ୍ତ୍ରଣ ଆସିବ। ଜବତ ବାଇକ୍‌ଗୁଡ଼ିକୁ ଆଇନ ପ୍ରକ୍ରିୟା ପରେ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡ୍ଡାପୁ ଓ ଜୁନାଗଡ଼ ଥାନା ଆଇଆଇସି ଶେଷଦେବ ବେହେରା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.